Latest Odisha News

ରୂପାନ୍ତରିତ ହୋଇଥିବା ଆଇଆରସି ଭିଲେଜ ସରକାରୀ ଉଚ୍ଚ ବିଦ୍ୟାଳୟ ଉଦଘାଟିତ

ଭୁବନେଶ୍ବର, ୯ ମାର୍ଚ୍ଚ ୨୦୨୪: ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ୱରଠାରେ ଅବସ୍ଥିତ ଆଇଆରସି ଭିଲେଜ, ସରକାରୀ ଉଚ୍ଚ ବିଦ୍ୟାଳୟକୁ ଉଦଘାଟନ କରିଛନ୍ତି। ଏହି ସ୍ଵତନ୍ତ୍ର କାର୍ଯ୍ୟକ୍ରମ ବିଦ୍ୟାଳୟ ପରିସରରେ ଅନୁଷ୍ଠତ ହୋଇଥିଲା। ଏହି ରୂପାନ୍ତରୀକରଣ ପ୍ରକ୍ରିୟାରେ ଶିକ୍ଷାନୁଷ୍ଠାନରେ ସ୍ମାର୍ଟ ଶ୍ରେଣୀଗୃହ ସହିତ ଉତ୍କର୍ଷତା ଏବଂ ଅନୁଷ୍ଠାନର ନବସୃଜନ ପାଇଁ ନିରନ୍ତର ପ୍ରୟାସ ଜାରି ରହିଛି ଯାହା ଫଳରେ ବିଦ୍ୟାଳୟରେ ଉଚ୍ଚସ୍ତରୀୟ ତଥା ଗୁଣାତ୍ମକ ମାନର ଶିକ୍ଷା ଦେବା ପାଇଁ ବ୍ୟାପକ ଆଭିମୁଖ୍ୟ ଗ୍ରହଣ କରାଯାଇଛି।

ଏହି ଉଦ୍‌ଘାଟନୀ ସମାରୋହରେ ୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କ ସମେତ ଭୁବନେଶ୍ୱର(ଉତ୍ତର) ବିଧାୟକ ସୁଶାନ୍ତ କୁମାର ରାଉତ, ମେୟର ସୁଲୋଚନା ଦାସ, , ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର କମିଶନର ତଥା ସଚିବ ଅଶ୍ଵଥି ଏସ୍, ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)ର ଉପାଧ୍ୟକ୍ଷ ବଲୱନ୍ତ ସିଂ, ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରଣା ପ୍ରମୁଖ ଉପସ୍ଥିତ ଥିଲେ। ଏହା ସହିତ ଏହି କାର୍ଯ୍ୟକ୍ରମରେ ହଜାରେରୁ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକ ଯୋଗ ଦେଇଥିଲେ।

ନବୀକରଣ ହୋଇଥିବା ବିଦ୍ୟାଳୟ ପରିସରରେ ୧୨ଟି ସ୍ମାର୍ଟ ଶ୍ରେଣୀଗୃହ, ଏକ ଫୁଟବଲ୍ ଗ୍ରାଉଣ୍ଡ, ବାହ୍ୟ କାର୍ଯ୍ୟକଳାପ ପାଇଁ ନିର୍ଦ୍ଧିଷ୍ଟ ସ୍ଥାନ, ଦୁଇଟି ଅଙ୍ଗନୱାଡି କେନ୍ଦ୍ର, ଏକ ଶିଶୁ ଉଦ୍ୟାନ, ପାର୍କିଂ ଜୋନ୍, ମୁକ୍ତାକାଶ ମଞ୍ଚ, ଟେନିସ୍ କୋର୍ଟ ସମେତ ଅତ୍ୟାଧୁନିକ ସୁବିଧା ରହିଛି। ଏଥିସହ, ପିଲାଙ୍କ ମଧ୍ୟାହ୍ନ ଭୋଜନ ପାଇଁ ଏକ ଭୋଜନ ବଣ୍ଟନ କେନ୍ଦ୍ର ମଧ୍ୟ ରହିଛି।

ବିଦ୍ୟାଳୟ ରୂପାନ୍ତରୀକରଣ କାର୍ଯ୍ୟକ୍ରମରେ, ପ୍ରତ୍ୟେକ ଶ୍ରେଣୀଗୃହରେ ଅତ୍ୟାଧୁନିକ ସୁବିଧାଗୁଡ଼ିକ ସଜ୍ଜିତ ହୋଇଛି, ପରିସର ମଧ୍ୟରେ ଯୋଗାଯୋଗକୁ ବଢାଇବା ପାଇଁ ଏକ ସାର୍ବଜନୀନ ଘୋଷଣା ଯନ୍ତ୍ର କାର୍ଯ୍ୟକ୍ଷମ ହୋଇଛି। ବିଦ୍ୟାଳୟ ପରିସରରେ ହୋଇଥିବା ଉନ୍ନତମାନର ଅପଗ୍ରେଡ୍ ଭିତ୍ତିଭୂମି ବ୍ୟବସ୍ଥା ଏକ ସମୃଦ୍ଧ ଶିକ୍ଷଣ ପରିବେଶକୁ ଉତ୍ସାହିତ କରିବା ସହିତ ଛାତ୍ରଛାତ୍ରୀ ମାନଙ୍କର ସାମଗ୍ରିକ ବିକାଶକୁ ତ୍ବରାନ୍ବିତ କରିବାରେ ସହାୟକ ହେବ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ବିଦ୍ୟାଳୟରେ ଖେଳ ପଡିଆ ସହ ଅନେକ ଗୁଡିଏ ସୁବିଧା ଉପଲବ୍ଧ କରାଯାଇଛି ଯେପରିକି ରନିଂ ଟ୍ରାକ୍ , ଓପନ୍ ଏୟାର ଜିମ୍, ଭଲିବଲ୍, କବାଡି କୋର୍ଟ ଏବଂ ଯୋଗ ଓ ପ୍ରାଣାୟାମ କରିବା ପାଇଁ ବ୍ୟବସ୍ଥା ରହିଛି। ଏଥିସହ ଏଠାରେ ଡ୍ରେନେଜ୍ ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି। ଉପରୋକ୍ତ ସମସ୍ତ ସୁବିଧା ବିଦ୍ୟାଳୟ ସମୟ ବ୍ୟତୀତ ଅନ୍ୟ ସବୁ ସମୟରେ ସ୍ଥାନୀୟ ଲୋକଙ୍କ ପାଇଁ ମଧ୍ୟ ଉପଲବ୍ଧ ରହିବ।

୧୯୮୩ ମସିହା ଅକ୍ଟୋବର ମାସ ୨୫ ତାରିଖରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟଟି ସୀମିତ ସ୍ଥାନ ହେତୁ ପ୍ରଥମେ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲା। ତେବେ, ପରବର୍ତ୍ତୀ ସମୟରେ ୧୯୮୮ ମସିହା ସେପ୍ଟେମ୍ବର ମାସ ୨୨ ତାରିଖରେ ଏହି ବିଦ୍ୟାଳୟଟି ଏକ ନୂତନ କୋଠାକୁ ସ୍ଥାନାନ୍ତରିତ ହୋଇଥିଲା। ସେତେବେଳେ ଏହି ବିଦ୍ୟାଳୟରେ ୮ ଟି ଶ୍ରେଣୀଗୃହ ଏବଂ ୪ ଟି ଷ୍ଟାଫ୍ ରୁମ୍ ଥିଲା ଯେଉଁଠି ପ୍ରାୟ ୬୫୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିଲେ। ପରବର୍ତ୍ତୀ ସମୟରେ ବିଦ୍ୟାଳୟର ଉତ୍ତମମାନର ଶିକ୍ଷା ଗ୍ରହଣ ପଦ୍ଧତିରେ ଆକୃଷ୍ଟ ହୋଇ ଛାତ୍ରଛାତ୍ରୀ ମାନଙ୍କ ସଂଖ୍ୟା କ୍ରମଶଃ ବଢିଥିଲା ଓ ପିଲା ଙ୍କ ଆବଶ୍ୟକତା କୁ ଦୃଷ୍ଟି ରେ ରଖି ଶ୍ରେଣୀ ଗୃହ ସଂଖ୍ୟା ମଧ୍ୟ ବଢିଥିଲା। ବର୍ତ୍ତମାନ, ବିଦ୍ୟାଳୟରେ ପ୍ରାୟ ୨୦୦୦ ରୁ ଅଧିକ ଛାତ୍ରଛାତ୍ରୀ ପଢିବା ପାଇଁ ବିଦ୍ୟାଳୟର କ୍ଷମତା ମଧ୍ୟ ବିସ୍ତାର କରାଯାଇଛି।

ବିଦ୍ୟାଳୟ ପରିସରରେ ହୋଇଥିବା ଭିତ୍ତିଭୂମି ଉନ୍ନତିକରଣ ଓ ବିକାଶର ଏହି ପ୍ରୟାସରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏବଂ ଓଡିଶା ବନ ବିକାଶ ନିଗମ (ଓଏଫଡିସି) ସମେତ ଏକାଧିକ ସରକାରୀ ସଂସ୍ଥାଗୁଡ଼ିକର ସକ୍ରିୟ ଯୋଗଦାନ ଦେଖିବାକୁ ମିଳିଛି, ଯାହା ଶିକ୍ଷା ତଥା ସମ୍ପ୍ରଦାୟର କଲ୍ୟାଣ ପାଇଁ ଏକ ସାମୂହିକ ପ୍ରତିବଦ୍ଧତାକୁ ଦର୍ଶାଉଛି।

Comments are closed.