ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ସନ୍ଦେଶଖାଲିରେ ଆଜି ସକାଳୁ ଟିଏମସି ନେତା ଶାହାଜାହାନ ଶେଖଙ୍କ ସହ ଜଡ଼ିତ ବିଭିନ୍ନ ସ୍ଥାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ରେଡ୍ ଚାଲିଛି । ସନ୍ଦେଶଖାଲି ଓ ଏହାର ଆଖପାଖ ଅଞ୍ଚଳରେ ଜମି ହଡ଼ପ ଅଭିଯୋଗରେ ରେଡ୍ କରୁଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।
ପଶ୍ଚିମବଙ୍ଗରେ ଜମି ହଡ଼ପ ନେଇ ଶାହାଜାହାନ ଶେଖଙ୍କ ବିରୋଧରେ ଅନେକ ମାମଲା ଦାଖଲ ହୋଇଛି । ମିଳିଥିବା ସୂଚନା ଅନୁସାରେ, ଇଡି ପକ୍ଷରୁ ଶାହାଜାହାନ ଶେଖଙ୍କ ବିରୋଧରେ ବେଆଇନ ଅର୍ଥ କାରବାର ନିରୋଧି ଆଇନ (ପିଏମ୍ଏଲ୍ଏ) ଅଧିନରେ ମାମଲା କରାଯାଇଛି । ଇଡି ପକ୍ଷରୁ ଶାହାଜାହାନଙ୍କ ସହ ସମ୍ପର୍କ ଥିବା ୪ଟି ସ୍ଥାନରେ ଇଡି ରେଡ୍ କରାଯାଉଛି । ଏହାସହ ଶାହାଜାହାନଙ୍କ ସହ ଜଡ଼ିତ କିଛି ବ୍ୟକ୍ତିଙ୍କୁ ମଧ୍ୟ ପଚରାଉଚରା କରୁଛି ଇଡି ।
ସୂଚନା ଥାଉକି, ଗତ ଜାନୁଆରୀ ୫ ତାରିଖରେ ଶାହାଜାହାନ ଶେଖ ଇଡି ଅଧିକାରୀଙ୍କୁ ଆକ୍ରମଣ କରିଥିବା ନେଇ ଅଭିଯୋଗ ହୋଇଥିଲା । ଏହି ଘଟଣାରେ କିଛି ଦିନ ତଳେ ସିବିଆଇ ଟିଏମସି ନେତା ଶାହାଜାହାନ ଶେଖଙ୍କୁ ଗିରଫ କରିଛି । ଏହାପରେ ପଶ୍ଚିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ ତାଙ୍କୁ ଦଳରୁ ବହିଷ୍କାର କରିଥିଲା ।
Comments are closed.