ନୂଆଦିଲ୍ଲୀ: ସାମ୍ନାକୁ ଆସିଲା ୨୦୦୨ ଅକ୍ଷରାଧାମ ମନ୍ଦିର ଆକ୍ରମଣର ମାଷ୍ଟରମାଇଣ୍ଡ । ପୁଣି ଦେଲା ଭାରତକୁ ଧମକ । ୨୦୦୨ରେ ଗୁଜରାଟ ଗାନ୍ଧୀନଗରର ଅକ୍ଷରାଧାମ ମନ୍ଦିର ଆକ୍ରମଣ ସମେତ ଅନେକ ବଡ ବଡ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଫରହାତୁଲ୍ଲା ଗୋରୀର ଏକ ଭିଡିଓ ଜାରି କରିଛି ଆଇଏସଆଇ । ଯେଉଁ ଭିଡିଓରେ ସେ ଭାରତ ବିରୋଧରେ ଯୁଦ୍ଧର ଆହ୍ଵାନ ଦେଉଥିବା ଦେଖିବାକୁ ମିଳିଛି । ଅନେକ ଆତଙ୍କବାଦୀ ଆକ୍ରମଣର ତଦନ୍ତରେ ଗୋରୀର ସମ୍ପୃକ୍ତିଥିବା ଜାଣିବା ପରେ ଭାରତୀୟ ଏଜେନ୍ସିର ଟାର୍ଗେଟରେ ରହିଛି ଏହି ଆତଙ୍କବାଦୀ ।
ମିଡିଆ ରିପୋର୍ଟ ଅନୁସାରେ, ଲୋକସଭା ନିର୍ବାଚନ ପୂର୍ବରୁ କୌଣସି ବଡ ଧରଣର ହମଲା କରିବା ତଥା ସାମ୍ପ୍ରଦାୟିକ ସୌହାର୍ଦ୍ଦକୁ ଭାଙ୍ଗିବା ପାଇଁ ଏହି ଭିଡିଓ ଆଇଏସଆଇ ଦ୍ୱାରା ହୋଇଥିବା ଷଡଯନ୍ତ୍ର ହୋଇପାରେ ବୋଲି ଗୁପ୍ତ ସୂତ୍ରରୁ ପ୍ରକାଶ ପାଇଛି। ତେବେ ୨୦୧୯ ପର୍ଯ୍ୟନ୍ତ ନିଖୋଜ ଥିବା ଗୋରୀ ପରମୁହୂର୍ତ୍ତରେ ଟେଲିଗ୍ରାମ ଏବଂ ଅନ୍ୟାନ୍ୟ ଏନକ୍ରିପ୍ଟ ହୋଇଥିବା ଚାଟ୍ ଆପ୍ଲିକେଶନରେ ସକ୍ରିୟ ଥିବା ଜଣାପଡିଥିଲା । ଆଇଏସଆଇ ଯୁବପିଢୀଙ୍କ ବ୍ରେନୱାଶ କରିବା ପାଇଁ ଏକ ସିରିଜ୍ ଭିଡିଓ ଜାରି କରିଛି । ଭିଡିଓ ଜାରି ପରେ ଅନେକ ସୁରକ୍ଷା ଏଜେନ୍ସି ଏନେଇ ତଦନ୍ତ ଆରମ୍ଭ କରିଛନ୍ତି । ଗୋରୀ ଆବୁ ସୁଫିଆନ୍ ଏବଂ ସର୍ଦ୍ଦାର ନାମରେ ମଧ୍ୟ ଜଣାଶୁଣା ।
ଗୋରୀକୁ ୨୦୨୦ ମସିହାରେ ଭାରତ ଗୃହ ମନ୍ତ୍ରଣାଳୟ ଦ୍ୱାରା ବ୍ୟକ୍ତିଗତ ଆତଙ୍କବାଦୀ ଘୋଷଣା କରାଯାଇଥିଲା । ନିର୍ଭୟର ସହକାରେ ସେ ସେତେବେଳେ ଲାହୋରରେ ରହି କାମଦାମ କରୁଥିଲା । ସେ ସମୟ ଭିତରେ ସେ କାହା ନଜରକୁ ମଧ୍ୟ ଆସିନଥିଲା । ଏପରିକି ଆମେରିକା ଏବଂ ଇଣ୍ଟରପୋଲ ପାଖରେ ମଧ୍ୟ ତା’ର କୌଣସି ଫଟୋ ନଥିଲା । ଗତ ଦୁଇ ବର୍ଷ ମଧ୍ୟରେ ଭାରତୀୟ ଗୁପ୍ତଚର ସଂସ୍ଥା ଗୋରୀ ବ୍ୟବହାର କରୁଥିବା ଫେସବୁକ୍ ପେଜ୍ ଏବଂ ଟେଲିଗ୍ରାମ ଚ୍ୟାନେଲଗୁଡ଼ିକୁ ବ୍ୟାନ କରିଛନ୍ତି। ଆତଙ୍କବାଦ ବିରୋଧୀ ଜଣେ ଅଧିକାରୀଙ୍କ କହିବାନୁସାରେ, ‘ସେ ଆତଙ୍କବାଦୀ ଫାଇନାନ୍ସର୍ ଭାବେ ମଧ୍ୟ କାମ କରନ୍ତି ଏବଂ ଦେଶ ବିରୋଧରେ ଭାରତରେ ମୁସଲମାନ ଯୁବକମାନଙ୍କୁ ଉତ୍ତେଜିତ କରିବା ପାଇଁ ଫେସବୁକ, ଟେଲିଗ୍ରାମ୍ ଏବଂ ୟୁଟ୍ୟୁବରେ ଆକାଉଣ୍ଟରେ ଏକ ନେଟୱାର୍କର ବ୍ୟବହାର କରୁଛନ୍ତି ।
Comments are closed.