Latest Odisha News

BREAKING NEWS

‘ରାଜ୍ୟ ଷ୍ଟିୟରିଂ କମିଟି’ ବୈଠକ, ଭିନ୍ନକ୍ଷମ ମତଦାତାଙ୍କ ଅଂଶଗ୍ରହଣ ବୃଦ୍ଧି ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର: ଦେଶରେ ଆସନ୍ତା ସାଧାରଣ ନିର୍ବାଚନ-୨୦୨୪କୁ ଏକ ସମ୍ମିଳିତ ମତଦାନର ପର୍ବ ରୂପେ ପାଳନ କରିବା ପାଇଁ ଭାରତ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ସେହି କ୍ରମରେ ଓଡ଼ିଶାରେ ନିର୍ବାଚନ ପ୍ରକ୍ରିୟାରେ ସବୁବର୍ଗର ମତାଦାତାଙ୍କୁ ଯେଭଳି ଭାବରେ ସାମିଲ କରାଯାଇପାରିବ ସେହି ସଂକ୍ରାନ୍ତରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟରେ ‘ରାଜ୍ୟ ଷ୍ଟିୟରିଂ କମିଟି (ସୁଗମ ନିର୍ବାଚନ)’ର ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ନିକୁଞ୍ଜ ବିହାରୀ ଧଳଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ‘ଭିନ୍ନକ୍ଷମ ମତଦାତା’ମାନଙ୍କ ପାଇଁ ମତଦାନ ପ୍ରକ୍ରିୟାକୁ ସୁଗମ କରିବା ବିଷୟରେ ଆଲୋଚନା ହୋଇଥିଲା ।

ମତଦାତା ତାଲିକାରେ ଭିନ୍ନକ୍ଷମ ମତଦାତାଙ୍କୁ ସାମିଲ କରିବାରେ ଓଡ଼ିଶାର ହାର ଜାତୀୟ ହାରଠୁ ଉପରେ ରହିଛି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୫.୪୭ ଲକ୍ଷ ଭିନ୍ନକ୍ଷମ ଭୋଟର ମତଦାନ ପାଇଁ ମାର୍କିଂ ହୋଇଛନ୍ତି । ସମସ୍ତଙ୍କୁ ଘରୁ ମତଦାନ କେନ୍ଦ୍ରକୁ ଆଣିବା ଓ ମତଦାନ କେନ୍ଦ୍ରରୁ ନେଇ ଘରେ ଛାଡ଼ିବା ପାଇଁ ସ୍ୱତନ୍ତ୍ର ଗାଡ଼ିର ବ୍ୟବସ୍ଥା କରାଯାଇଛି । ମତଦାନ କେନ୍ଦ୍ରରେ ଭିନ୍ନକ୍ଷମ ମତଦାତାଙ୍କ ପାଇଁ ହ୍ୱିଲ୍‌ ଚେୟାରର ବନ୍ଦୋବସ୍ତ କରାଯାଇଛି । ସମସ୍ତ ମତଦାନ କେନ୍ଦ୍ରରେ ହ୍ୱିଲ୍‌ଚେୟାର ନେବା ପାଇଁ ସ୍ୱତନ୍ତ୍ର ର୍ୟାମ୍ପର ବ୍ୟବସ୍ଥା ରହିବ । ସମସ୍ତ ବୁଥ୍‌ରେ ଭିନ୍ନକ୍ଷମ ମତଦାତାମାନେ ଅଗ୍ରାଧିକାର ଭିତ୍ତିରେ ମତଦାନ କରିବେ । ସେମାନଙ୍କୁ ସାହାଯ୍ୟ କରିବା ପାଇଁ ୧୪ରୁ ୧୮ ବର୍ଷ ବୟସର ସେ୍ୱଚ୍ଛାସେବୀମାନଙ୍କୁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯାଉଛି ।

ଜିଲ୍ଲାସ୍ତରୀୟ ନିର୍ବାଚନ ପ୍ରଶିକ୍ଷଣ ସମୟରେ ମଧ୍ୟ ଭିନ୍ନକ୍ଷମ ମତଦାତାମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ସୁଗମ ମତଦାନର ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା କରାଇବା ପାଇଁ ସେକଫର ଅଫିସର, ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସର ଓ ବୁଥ୍‌ସ୍ତରୀୟ ଅଧିକାରୀମାନଙ୍କୁ ପ୍ରଶିକ୍ଷିତ କରାଯାଇଛି । ଦୃଷ୍ଟିବାଧିତ ମତଦାତାଙ୍କ ପାଇଁ ବ୍ରେଲି ଅକ୍ଷରରେ ମୁଦି୍ରତ ବାଲାଟ ପେପର ସମସ୍ତ ବୁଥ୍‌ରେ ରଖାଯିବ । ମତଦାନ ପାଇଁ ରାଜ୍ୟର ସମସ୍ତ ବୁଥ୍‌କୁ ତଳମହଲାରେ କରାଯାଇଛି । ଯେଉଁ ଭିନ୍ନକ୍ଷମ ମତଦାତାଙ୍କର ୪୦ ପ୍ରତିଶତରୁ ଊଦ୍ଧ୍ୱର୍ ବେଞ୍ଚମାର୍କ ଭିନ୍ନକ୍ଷମତା ରହିଥିବ ଏବଂ ତତ୍‌ସଂକ୍ରାନ୍ତୀୟ ପ୍ରମାଣପତ୍ର ଥିବ ସେମାନେ ଫର୍ମ ୧୨ (ଡି) ମାଧ୍ୟମରେ ଆବେଦନ କରି ନିଜ ଘରେ ଥାଇ ପୋଷ୍ଟାଲ ବାଲାଟ୍‌ ଜରିଆରେ ମତଦାନ କରିପାରିବେ । ଏହି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ଦ୍ୱାରା ସମସ୍ତ ଭିନ୍ନକ୍ଷମ ଭୋଟରଙ୍କ ପାଇଁ ସୁଗମ ମତଦାନର ପରିବେଶ ସୃଷ୍ଟି କରାଯାଇଛି ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ଶ୍ରୀ ଧଳ ମତ ରଖିଛନ୍ତି ।

 

Comments are closed.