Latest Odisha News

ଜଗତସିଂହପୁର ଯୁଦ୍ଧ: ବିଭୁ ବନାମ ରାଜଶ୍ରୀ

ଜଗତସିଂହପୁର: କିଏ ଜିତିବ ଜଗତସିଂହପୁର? ଚବିଶ ଯୁଦ୍ଧରେ ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ସାମ୍ନାସାମ୍ନି । ବିଜେଡିରୁ ରାଜଶ୍ରୀ ମଲ୍ଲିକ ତ ବିଜେପିରୁ ବିଭୁପ୍ରସାଦ ତରାଇ ପ୍ରାର୍ଥୀ । ବିଜେଡି ଗଡରେ ରାଜଶ୍ରୀ ପୁଣି କରିବେ କି ଶଙ୍ଖଧ୍ୱନୀ? ପୁଣି ବିଭୁପ୍ରସାଦଙ୍କୁ ଦେବେ କି ମାତ୍? ନା ୧୯ର ବଦଲା ନେବେ ବିଭୁପ୍ରସାଦ? କାହାକୁ ଜିତାଇବ ଜଗତସିଂହପୁର?

ଜଗତସିଂହପୁର ଯୁଦ୍ଧରେ ପ୍ରତିଯୋଗୀ ପୁରୁଣା । ଦ୍ୱିତୀୟ ଥର ପାଇଁ ଜଗତସିଂହପୁର ସଂରକ୍ଷିତ ଲୋକସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି ଡାକ୍ତର ରାଜଶ୍ରୀ ମଲ୍ଲିକ । ଗତଥର ପ୍ରଥମ ଥରରେ ହିଁ ବଡ ବିଜୟ ସହ ଦିଲ୍ଲୀ ଲଢେଇରେ ବାଜିମାତ କରିଥିଲେ ରାଜଶ୍ରୀ । ଏଥର ବି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଯୋଜନା ଓ ବିଜେଡି ଭୋଟ୍ ବ୍ୟାଙ୍କ ଆଧାରରେ ବିଜୟର ଦ୍ୱିତୀୟ ଇନିଂସ ଖେଳିବେ ରାଜଶ୍ରୀ । ଲୋକସଭାରେ ଭଲ ପରଫର୍ମାନ୍ସ ସାଙ୍ଗକୁ ଗ୍ରାଉଣ୍ଡରେ ଲୋକସମ୍ପର୍କ ଆଧାରରେ ପୁଣି ରାଜଶ୍ରୀଙ୍କୁ ରିପିଟ୍ କରିଛି ବିଜେଡି । ଟିକେଟ୍ ଘୋଷଣା ପରଠୁ ତୃଣମୂଳସ୍ତରରେ ଆକ୍ଟିଭ ରହିଛନ୍ତି ରାଜଶ୍ରୀ ।

ବିଜେପିରୁ ପୁଣି ପ୍ରାର୍ଥୀ ହୋଇଛନ୍ତି ବିଭୁପ୍ରସାଦ ତରାଇ । ଗତ ତିନିଟି ନିର୍ବାଚନରେ ତିନି ଅଲଗା ଅଲଗା ଦଳରୁ ପ୍ରାର୍ଥୀ ହୋଇଛନ୍ତି ବିଭୁ । ୨୦୦୯ରେ ବିଜେଡି ସମର୍ଥନରେ ସେ ସିପିଆଇରୁ ସାଂସଦ ହୋଇଥିଲେ । ୨୦୧୪ରେ ଦଳ ବଦଳାଇ କଂଗ୍ରେସ ଓ ୨୦୧୯ରେ ବିଜେପି ଟିକେଟରେ ଲଢି ହାରିଛନ୍ତି ବିଭୁ ତରାଇ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫ୍ୟାକ୍ଟରକୁ ନେଇ ମଇଦାନକୁ ଓହ୍ଲାଇଛନ୍ତି ବିଭୁ । ବିଜେଡି ବିରୋଧୀ ହାୱାରୁ ସଫଳତା ଆଶାରେ ରହିଛି ବିଜେପି । କଂଗ୍ରେସ ପକ୍ଷରୁ ଜଗତସିଂହପୁର ଲୋକସଭା ପ୍ରାର୍ଥୀ ଘୋଷଣା ହୋଇନି । ତେବେ ଏଠାରେ ମୁଖ୍ୟ ଟକ୍କର ବିଜେଡି ଓ ବିଜେପି ମଧ୍ୟରେ ହେବ ।

ନିଆଳି, ଜଗତସିଂହପୁର, ପାରାଦୀପ, ତିର୍ତ୍ତୋଲ, ବାଲିକୁଦା-ଏରସମା, କାକଟପୁର ଓ ନିମାପଡା ବିଧାନସଭା ସିଟକୁ ନେଇ ରହିଛି ଜଗତସିଂହପୁର ଲୋକସଭା ଆସନ । ୨୦୧୯ରେ ସମସ୍ତ ସିଟରେ ଜିତିଥିଲା ବିଜେଡି । ଲୋକସଭା ସିଟରେ ବିଜୟ ବ୍ୟବଧାନ ୨ଲକ୍ଷରୁ ଅଧିକ ରହିଥିଲା । ବିଜେଡି ପ୍ରାର୍ଥୀ ରାଜଶ୍ରୀ ମଲ୍ଲିକ ପ୍ରାୟ ୬ଲକ୍ଷ ୨୦ହଜାର ଭୋଟ୍ ପାଇଥିଲେ । ତେବେ ୨୦୧୪ ଓ ୨୦୧୯ ନିର୍ବାଚନ ଫଳାଫଳ ଦେଖିଲେ, ବିଜେଡି ଭୋଟ୍ ହାର ୫୫.୧୭ରୁ ୫୦.୪୪କୁ ଖସିଛି । ତେଣୁ ଚବିଶ ଅଗ୍ନିପରୀକ୍ଷାରେ କିଏ କରିବ ବାଜିମାତ୍, ତାଉପରେ ରହିଛି ନଜର ।

Comments are closed.