Latest Odisha News

BREAKING NEWS

ଭାଷା ଭାଗବତ : ସ୍ବେଚ୍ଛାଚାର ଓ ଭିନ୍ନାଚାର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ

ସ୍ବ-ଇଚ୍ଛା ଥିଲେ ସ୍ବେଚ୍ଛାଚାର
ନ କରି, କଲେ ଭିନ୍ନାଚାର
ଥରଟେ ଲୋଡ଼ୁଛି ବିଚାର
ବିଷୟ ହେବ ପରିଷ୍କାର

ସ୍ବେଚ୍ଛାଚାରୀ ହେଲେ ସୁଯୋଗ୍ୟ
ଉଠେ ଅସଂଖ୍ୟ ଅଭିଯୋଗ
ଏହା ଏ ଦେଶର ପ୍ରକୃତି
ସବୁଠି ଚଳେ ରାଜନୀତି

ରାଜନୀତିର ସୀମାରେଖା
ଏଯାଏଁ ହୋଇନାହିଁ ଅଂକା
ତେଣୁ ତ ମନରେ ଆଶଂକା
ସ୍ଥାୟୀ ନିବାସୀ ହୁଏ ଏକା

ଆଶଂକାକ୍ରାଂତ ହେଲେ ଜଣେ
ନିଜକୁ ହତଭାଗ୍ୟ ମଣେ
ଯେତେ ତାହାକୁ ଥାଏ ଜଣା
କଲେ ବି ମିଳେନି ପାଉଣା

ଚଂଚଳ ବିତ୍ତ ପ୍ରାପ୍ତି ପାଇଁ
ଚିତ୍ତକୁ ସଦା ଦୋହଲାଇ
ଯେ ଦିଏ ପ୍ରତ୍ୟହ ବିବୃତି
ସେ କରେ ସ୍ବଦେଶର କ୍ଷତି

ଯେ ମଣେ ନିଜକୁ ଦେଶାଂଶ
ତା’ର କାମ ହୁଏନି ଶେଷ
ଗୋଟେ ସାରିଲେ, ନୂଆ କାମ
କରିଲେ ସେ ପାଏ ଆରାମ

ଏପରି ନେତାଂକର ସଂଖ୍ୟା
କେବେ ବି ହୁଏନି ଅଧିକା
ଯିଏ ଯେତିକି ସ୍ବେଚ୍ଛାଚାରୀ
ସେ ହୁଏ ସେତେ ହିତକାରୀ

ଗଣତଂତ୍ରର ଦ୍ବାହି ଦେଇ
ଯେ ନିତି କଳହ କରଇ
ତା’ଠାରୁ ରଖିଲେ ଦୂରତ୍ବ
ବଢ଼ିବ ଦେଶର ମହତ୍ତ୍ୱ

ଚେଷ୍ଟାରେ ମିଶାଇଲେ ନିଷ୍ଠା
ନିଶ୍ଚୟ ମିଳିବ ପ୍ରତିଷ୍ଠା
ନିଜେ ନିଜର ଭଳି ହୋଇ
ସଂସାରେ ସୁଖେ ହୁଏ ରହି

ଅନ୍ୟ କାହାର ତୃପ୍ତି ପାଇଁ
ପଦଟେ କଥା କହନାହିଁ
ଧାଡ଼ିଏ ସୁଦ୍ଧା ଲେଖନାହିଁ
ସଂଭାଳ ନିଜର ସ୍ବାତଂତ୍ର୍ୟ
ତାହା ହିଁ ହେଉ ବୀଜମଂତ୍ର

ମନରେ କରିଲେ ରୋପଣ
ଅବଶ୍ୟ ଘଟେ ପଲ୍ଲବନ
ମିଳେ ବିବିଧ ଶସ୍ୟ, ଫଳ
ତାହା ହିଁ ସାଧନାର ବଳ

 

Comments are closed.