Latest Odisha News

BREAKING NEWS

ଉବେର କପ ଚୟନରେ ଋତୁପର୍ଣ୍ଣା, ଶ୍ୱେତପର୍ଣ୍ଣା ଯୋଡିଙ୍କୁ ଅଣଦେଖା

ଭୁବନେଶ୍ୱର: ଚୀନର ଚେଙ୍ଗୁଡୁରେ ଏପ୍ରିଲ ୯ରୁ ୧୪ ପର୍ଯ୍ୟନ୍ତ ହେବାକୁ ଥିବା ଉବେର କପ ପାଇଁ ଓଡିଶାର ଷ୍ଟାର ମହିଳା ଡବଲ୍ସ ଖେଳାଳି ଋତୁପର୍ଣ୍ଣ ଓ ଶ୍ୱେତପର୍ଣ୍ଣା ପଣ୍ଡା ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ କରି ଦେଇଥିଲେ । ଭାରତର ଶ୍ରେଷ୍ଠ ୨ ଡବଲ୍ସ ଯୋଡି ତାନିଶା କ୍ରାଷ୍ଟୋ-ଅଶ୍ୱୀନ ପୋନ୍ନାପ୍ପା ଓ ତ୍ରିଷା ଜଲୀ-ଗାୟତ୍ରୀ ଗୋପୀଚାନ୍ଦ ପ୍ୟାରିସ ଅଲିମ୍ପିକ୍ସ ପ୍ରସ୍ତୁତି ଦୃଷ୍ଟି କୋଣରୁ ଏହି ପ୍ରତିଯୋଗିତାରେ ଓହରି ଯାଇଥିଲେ । ଫଳରେ ପଣ୍ଡା ଭଉଣୀଙ୍କ ପାଇଁ ସ୍ୱତଃ ସୁଯୋଗ ସୃଷ୍ଟି ହୋଇଥିଲା । ସେମାନେ ବିଶ୍ୱ ର‌୍ୟାଙ୍କିଙ୍ଗରେ ୪୯ ଓ ଭାରତରେ ୩ ନମ୍ବର ସ୍ଥାନରେ ରହିଛନ୍ତି । ମାତ୍ର ଆଶ୍ଚର୍ଯ୍ୟଜନକ ଭାବେ ଭାରତୀୟ ବ୍ୟାଡମିଂଟନ ଆସୋସିଏଶନ ପ୍ରିୟି ଦେବୀ କୋଞ୍ଜେଙ୍ଗବାମ-ଶ୍ରୁତି ମିଶ୍ର ଏବଂ ସିମ୍ରନ ସିଂଘାଇ-ରିତିକା ଠାକରେଙ୍କୁ ଏମାନଙ୍କ ବଦଳରେ ଚୟନ କରିଛନ୍ତି । ଏହି ୨ ଯୋଡି ପଣ୍ଡା ଭଉଣୀଙ୍କ ନିକଟରୁ କମ ର‌୍ୟାଙ୍କିଙ୍ଗରେ ରହିଛନ୍ତି ।

ବାଇର ସେକ୍ରେଟାରୀ ସଞ୍ଜୟ ମିଶ୍ରଙ୍କ କହିବା ଅନୁସାରେ ଜାତୀୟ କୋଚ ପୁଲେଲା ଗୋପୀଚାନ୍ଦ, ଭିମଲ କୁମାର, ଜ୍ୱାଲା ଗୁଟ୍ଟା, ମଞ୍ଜୁଷା କନୱର, ପାର୍ଥୋ ଗାଙ୍ଗୁଲି ଓ ମଲିକା ବାରୁଷ ଶର୍ମା ଯୁବ ଖେଳାଳିଙ୍କୁ ସୁଯୋଗ ଦେବା ପାଇଁ ଏହି ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ବ୍ୟତୀତ ପ୍ରିୟା-ଶ୍ରୁତି ଓ ସିମ୍ରନ-ରିତିକା ଜାତୀୟ ସିନିୟର ଚାମ୍ପିୟନ ଓ ରନର୍ସଅପ ରହିଛନ୍ତି । ପଣ୍ଡା ଭଉଣୀଙ୍କ ବାପା ତଥା କୋଚ ରାମଚନ୍ଦ୍ର ପଣ୍ଡା କହିଛନ୍ତି ବିଶ୍ୱ ଚାମ୍ପିୟନଶିପ ପାଇଁ ଖେଳାଳି ଚୟନ ବେଳେ ବିଶ୍ୱ ର‌୍ୟାଙ୍କିଙ୍ଗକୁ ଗୁରୁତ୍ୱ ଦିଆଯାଏ । ଶ୍ୱେତପର୍ଣ୍ଣାଙ୍କ ବୟସ ୧୮ ଏବଂ ସେ ଅନେକ ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଛନ୍ତି । ଉବେର କପ ଦଳ ପାଇଁ ବାଇ ୧୦ରୁ ଏଥର ୮ ଖେଳାଳି ଚୟନ କରିଛି ।

ଯଦି ୫ ଯୋଡି ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ଓହରିଛନ୍ତି ତେବେ ସେମାନଙ୍କ ପଛକୁ ଥିବା ଅନ୍ୟ ୫ଜଣଙ୍କୁ କାହିଁକି ସୁଯୋଗ ପ୍ରଦାନ କରା ନ ଯିବ ବୋଲି ସେ ପ୍ରଶ୍ନ କରିଛନ୍ତି । ଏବେ ପଣ୍ଡା ଭଉଣୀ ଏସିଆନ ଚାମ୍ପିୟନଶିପ ଯୋଗ୍ୟତାପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରିବା ନେଇ ଉଦ୍ୟମ ଆରମ୍ଭ କରିଛନ୍ତି । ଅବଶ୍ୟ ଏବେ ବି ଏହି ଦୁଇ ଉଦୀୟମାନ ଖେଳାଳିଙ୍କ ନିକଟରେ ଉବେର କପ ଖେଳିବା ସୁଯୋଗ ରହିଛି । ବାଇ ଯଦି ତାର ମନୋପରିବର୍ତନ କରେ ତେବେ ଏପ୍ରିଲ ୧୩ ସୁଦ୍ଧା ସେମାନଙ୍କ ନାମ ପଠାଯାଇପାରିବ ବୋଲି ପଣ୍ଡା କହିଛନ୍ତି ।

Comments are closed.