Latest Odisha News

BREAKING NEWS

ଆଜି ଭୀମରାଓ ଆମ୍ବେଦକରଙ୍କ ୧୩୪ ତମ ଜନ୍ମ ଜୟନ୍ତୀ

ନୂଆଦିଲ୍ଲୀ: ଆଜି ଭାରତୀୟ ସମ୍ବିଧାନ ପ୍ରଣୟତା ଡକ୍ଟର ଭୀମରାଓ ଆମ୍ବେଦକରଙ୍କ ୧୩୪ ତମ ଜନ୍ମ ଜୟନ୍ତୀ । ୧୪ ଏପ୍ରିଲ ୧୮୯୧ରେ ମଧ୍ୟପ୍ରଦେଶର ଏକ ମହାର ପରିବାରରେ ଜନ୍ମଗ୍ରହଣ କରିଥିଲେ ଡକ୍ଟର ଭୀମରାଓ ଆମ୍ବେଦକର । ତାଙ୍କୁ ଅନେକ ଲୋକ ବାବାସାହେବ ନାମରେ ଜାଣନ୍ତି ।

ଭାରତର ପ୍ରଥମ ଆଇନ ମନ୍ତ୍ରୀ ଆମ୍ବେଦକର ବମ୍ବେ ବିଶ୍ୱବିଦ୍ୟାଳୟର ଏଲଫିନଷ୍ଟନ କଲେଜରୁ ସ୍ନାତକ ହାସଲ କରିବା ପରେ ଆମ୍ବେଦକର କଲମ୍ବିଆ ବିଶ୍ୱବିଦ୍ୟାଳୟ ଏବଂ ଲଣ୍ଡନ ସ୍କୁଲ ଅଫ୍ ଇକୋନୋମିକ୍ସରେ ଅର୍ଥନୀତି ଅଧ୍ୟୟନ କରିଥିଲେ । ଏହାପରେ ସେ ଲଣ୍ଡନର ଗ୍ରେ’ସ ଇନ‌ରେ ଆଇନରେ ପ୍ରଶିକ୍ଷଣ ମଧ୍ୟ ନେଇଥିଲେ । ତାଙ୍କର ପ୍ରାରମ୍ଭିକ କ୍ୟାରିୟରରେ ସେ ଜଣେ ଅର୍ଥନୀତିଜ୍ଞ, ପ୍ରଫେସର ଏବଂ ଆଇନଜୀବୀ ଥିଲେ ।

ସାମାଜିକ ନ୍ୟାୟ ଏବଂ ସମାନତା କ୍ଷେତ୍ରରେ ବାବାସାହେବଙ୍କ ଯୋଗଦାନ ଥିଲା ଅନ୍ୟତମ । ଦଳିତ ସମ୍ପ୍ରଦାୟର ଉନ୍ନତି ପାଇଁ ସେ ନିରନ୍ତର ଉଦ୍ୟମ କରିଥିଲେ । ଜାତି ପ୍ରଥା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା ସହ ଶିକ୍ଷା ତଥା ନିଯୁକ୍ତି ସୁଯୋଗରେ ସମାନତା ପାଇଁ ଜୀବନକୁ ଉତ୍ସର୍ଗିତ କରି ଦେଇଥିଲେ ଭୀମରାଓ ।

ଦଳିତଙ୍କ ପ୍ରତି ଥିବା ସାମାଜିକ ଭେଦଭାବ ଦୂର କରିବା, ମହିଳା ଏବଂ ଶ୍ରମିକଙ୍କ ଅଧିକାର ପାଇଁ ଲଢେଇ କରିଥିଲେ ଭୀମରାଓ । ସେ ଭାରତୀୟ ସମ୍ୱିଧାନର ପ୍ରଣୟତା ବ୍ୟତୀତ ଜଣେ ଆଇନଜୀବୀ, ଅର୍ଥନୀତିଜ୍ଞ, ରାଜନେତା ତଥା ସାମାଜିକ ସଂସ୍କାରକ ଭାବେ ଗୌରବ ଅର୍ଜନ କରିଛନ୍ତି ।

ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଛନ୍ତି ।

Comments are closed.