Latest Odisha News

BREAKING NEWS

ସୁନା ବେଶରେ ଦର୍ଶନେ ଦେଇଛନ୍ତି ମା’ ତାରିଣୀ, ଧୁମଧାମରେ ଜମୁଛି ଚଇତି ପର୍ବ

କେନ୍ଦୁଝର: ଆଜି ହେଉଛି ମହାବିଷୁବ ପଣା ସଂକ୍ରାନ୍ତି। ଏହା ସହ ଓଡ଼ିଆ ନବବର୍ଷ। ଏହି ମହାବିଷୁବ ସଂକ୍ରାନ୍ତି ଉପଲକ୍ଷେ ଘଟଗାଁ ମାତାରିଣୀଙ୍କ ପୀଠରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଗତ ମଙ୍ଗଳବାରଠାରୁ ୬ ଦିନ ଧରି ମା’ ତାରିଣୀଙ୍କ ଚଇତି ପର୍ବ ପାଳିତ ହେଉଛି । ଆଜି ଭୋର ୫ଟାରୁ ମା’ଙ୍କ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ଆରମ୍ଭ ହୋଇଛି ।

ମା’ ତାରିଣୀଙ୍କ ୮୮ତମ ଚଇତି ପର୍ବର ଆଜି ଷଷ୍ଠ ଦିନ । ଭକ୍ତଙ୍କୁ ମା ସୁନାବେଶରେ ଦର୍ଶନ ଦେଉଛନ୍ତି। ଆଜି ମାଙ୍କର ସ୍ଵତନ୍ତ୍ର ପୂଜାର୍ଚ୍ଚନା, ହୋମଯଜ୍ଞ, ଚଣ୍ଡୀପାଠ, ଭାଗବତ ପାଠ, ସାଂସ୍କୃତିକ କାର୍ଯ୍ୟକ୍ରମ, ବାଦୀପାଲା, ପ୍ରବଚନ ଆଦି ଅନୁଷ୍ଠିତ ହେଉଛି । ମନ୍ଦିର ପରିସରରେ ଥିବା ସାଂସ୍କୃତିକ ମଣ୍ଡପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି ।

ପୋଲିସ ଓ ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଛି । ମହିଳା, ଭିନ୍ନକ୍ଷମ, ବରିଷ୍ଠ ନାଗରିକଙ୍କ ପାଇଁ ସ୍ୱତନ୍ତ୍ର ଧାଡି ବ୍ୟବସ୍ଥା, ଗରମରୁ ରକ୍ଷା ପାଇଁ ପ୍ରବେଶ ଦ୍ୱାରରେ ଏସି କୁଲର ବ୍ୟବସ୍ଥା, ସ୍ୱତନ୍ତ୍ର ଟ୍ରାଫିକ ନିୟନ୍ତ୍ରଣ, ଶୃଙ୍ଖଳିତ ଦର୍ଶନ ପାଇଁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଚଇତି ପର୍ବ ଘଟଗାଁ ତାରିଣୀ ବେଢ଼ାରେ ପ୍ରତିବର୍ଷ ପାଳିତ ହୋଇଥାଏ । ଏହି ସମୟରେ ମାଜଣା, ଷୋଡ଼ଷ ଉପଚାର, ମଙ୍ଗଳ ଆଳତି ଓ ବଡ଼ସଂହାର ପରେ ତାରିଣୀଙ୍କ ସୁନାବେଶ ହୋଇଥାଏ । ଭୋର ୫ରୁ ୬ ଘଟିକା ଯାଏ ଚଇତି ପହଡ଼ ଖୋଲିଥାଏ । ପହଡ଼ ଖୋଲିଲେ ଭକ୍ତମାନେ ଧାଡ଼ି କରି ଦର୍ଶନ ପାଇଁ ଯାଇଥାନ୍ତି । ପୂର୍ବରୁ ଚଇତିପର୍ବ କେବଳ ଗୋଟିଏ ଦିନ ଅର୍ଥାତ୍ ପଣା ସଂକ୍ରାନ୍ତି ଦିନ ପାଳିତ ହୋଇ ଆସୁଥିବା ବେଳେ ୧୯୩୭ ମସିହାରୁ ଏହା ୭ଦିନ ଧରି ପାଳନ କରାଯାଉଛି । ଚଇତିପର୍ବରେ ପ୍ରତିଦିନ ମା’ଙ୍କ ସୁନାବେଶ ହେବା ସହ ସକାଳ ଓ ସନ୍ଧ୍ୟା ସମୟରେ ସ୍ୱତନ୍ତ୍ର ଭାବେ ମଙ୍ଗଳଆଳତୀ, ଭାଗବତ ପାଠ, ଚଣ୍ଡିପାଠ, ହୋମଯଜ୍ଞ ଓ ସତ୍ୟନାରାୟଣଙ୍କ ଆସ୍ଥାନ ପୂଜା ବିଧି ମତେ କରାଯାଇଥାଏ ।

 

Leave A Reply

Your email address will not be published.