ଭୁବନେଶ୍ୱର: ଗତକାଲି ରାଜଧାନୀରେ ମୋଦୀ ବିଶାଳ ରୋଡ ସୋ କରିବା ପରେ ଆଜି କନ୍ଧମାଳ ଜନସଭାରେ ଯୋଗ ଦେବାକୁ ଭୁବନେଶ୍ୱରରୁ ବାହାରିଛନ୍ତି ପ୍ରଧାନମନ୍ତ୍ରୀ। କନ୍ଧମାଳ ଗସ୍ତ ପୂର୍ବରୁ ସୋସିଆଲ ମିଡିଆ ଏକ୍ସରେ ପୁଣି ଏକ ଭିଡିଓ ପୋଷ୍ଟ କଲେ ପ୍ରଧାନମନ୍ତ୍ରୀ ମୋଦୀ। କାଲିର ରୋଡ୍ ସୋ’ ଭିଡିଓ ସହ ପୁଣି ଟୁଇଟ୍ କରି କହିଲେ ଏଥର ନିର୍ବାଚନରେ ଓଡ଼ିଶା ଇତିହାସ ରଚିବ।
It’s clear that Odisha will create history in these elections! Here are highlights from the roadshow in Bhubaneswar… pic.twitter.com/CVouUjokA0
— Narendra Modi (@narendramodi) May 11, 2024
ମୋଦୀ ସେୟାର କରିଥିବା ଭିଡ଼ିଓରେ ଲୋକମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବ୍ରହ୍ମପୁର ଜନସଭାରେ ଓଡ଼ିଶାରେ ବିଜେଡି ସରକାରର ଏକ୍ସପାଏରୀ ତାରିଖ ଆସିଲାଣି ବୋଲି କହି ଟାର୍ଗେଟ କରିଥିଲେ। ତେବେ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ଅର୍ଥାତ ଆଜି ଫୁଲବାଣୀ, ବଲାଙ୍ଗିର ଏବଂ ବରଗଡ଼ରେ ବିଶାଳ ଜନ ସମାବେଶକୁ ସମ୍ବୋଧନ କରିବେ ମୋଦୀ। ସକାଳ ପ୍ରାୟ ସାଢ଼େ ୮ଟାରେ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ଭୁବନେଶ୍ୱର ଏୟାରପୋର୍ଟରୁ ବାହାରି ଫୁଲବାଣୀ ପହଞ୍ଚିଛନ୍ତି। ଏଠାରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ । ଏୟାରଷ୍ଟ୍ରିପ୍ରୁ ସଭାସ୍ଥଳ ଯାଏ ମୁତୟନ ହୋଇଛନ୍ତି ସୁରକ୍ଷାକର୍ମୀ। ହଜାରହଜାର ସଂଖ୍ୟାରେ ଲୋକ ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ଏକତ୍ରିତ ହୋଇଛନ୍ତି।
ଫୁଲବାଣୀରେ ଜନସଭା ସାରି ସେଠାରୁ ହେଲିକପ୍ଟରରେ ବାହାରିବେ ବଲାଙ୍ଗିର ଅଭିମୁଖେ। ବଲାଙ୍ଗିର ଉପକଣ୍ଠ ପଥରଚେପା ପଡ଼ିଆରେ ବିଜୟ ସଂକଳ୍ପ ସମାବେଶରେ ମଧ୍ୟାହ୍ନ ୧୨ଟାରେ ଯୋଗଦେବେ ମୋଦୀ। ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ପୋଲିସ ପ୍ରଶାସନ ତରଫରୁ ସେଠାରେ କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ସହ ମକଡ୍ରିଲ କରାଯାଇଛି। ସେଠାରୁ ବରଗଡ଼ ଯିବେ ପ୍ରଧାନମନ୍ତ୍ରୀ। ବରଗଡ଼ ବିକାଶ ଗ୍ରାଉଣ୍ଡରେ ଅବତରଣ ପରେ ଅପରାହ୍ନ ୨ଟାରେ ହେବାକୁଥିବା ଜନସମାବେଶକୁ ମୋଦୀ ସମ୍ବୋଧନ କରିବା ସହ ବରଗଡ଼ ଟୋଲପ୍ଲାଜା ନିକଟ ପଡ଼ିଆରେ ହେବାକୁ ଥିବା ଜନ ସମାବେଶରେ ଉଦବୋଧନ ଦେବେ। ମୋଦୀଙ୍କ ବରଗଡ଼ ଗସ୍ତ ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯିବା ସହ ସଭାସ୍ଥଳକୁ ନୋ ପ୍ଲାଇଂ ଜୋନ୍ ଏବଂ ନିକଟ ଜାତୀୟ ରାଜପଥରେ ବ୍ୟାରିକେଡିଂ ବ୍ୟବସ୍ଥା କରାଯାଇଛି।
Comments are closed.