ନୂଆଦିଲ୍ଲୀ: ଏଥର ଆଇପିଏଲରେ ଭାରତୀୟ ଇତିହାସର ୩ ମହାନ ଖେଳାଳି ଏମଏସ ଧୋନୀ, ବିରାଟ କୋହଲି ଓ ରୋହିତ ଶର୍ମା ଅଧିନାୟକ ଦାୟିତ୍ୱ ତୁଲାଇ ନାହାନ୍ତି । ୨୦୨୫ ଆଇପିଏଲ ପୂର୍ବରୁ ମେଗା ନିଲାମ ହେବ । ପ୍ରାୟ ସମସ୍ତ ଟିମର ରୂପରେଖ ବଦଳିଯିବ । ଫ୍ରାଂଚାଇଜରମାନେ ଆଗାମୀ ୧୦ ବର୍ଷକୁ ଆଖି ଆଗରେ ରଖି ଖେଳାଳି ଚୟନ କରିବ । ରିପୋର୍ଟ ମୁତାବକ ଆଗାମୀ ଆଇପିଏଲ ବେଳକୁ କେଏଲ ରାହୁଲଙ୍କ ସମେତ ୫ଜଣ ଅଧିନାୟକ ତାଙ୍କ ପଦ ହରାଇବେ ବୋଲି ଅନୁମାନ କରାଯାଉଛି । ଲକ୍ଷ୍ନୌ ସୁପର ଜ୍ୟାଂଟସ ମାଲିକ ସଞ୍ଜୀବ ଗୋୟନକା ଓ କେଏଲ ରାହୁଲ ବିବାଦ କାହାକୁ ଅଛପା । ରାହୁଲ ଲକ୍ଷ୍ନୌ ଅଧିନାୟକ ପଦରୁ ଓହରିବା ଏକପ୍ରକାର ନିଶ୍ଚିତ ହୋଇଯାଇଛି ।
ସେହିପରି ମୁମ୍ବାଇ ଇଣ୍ଡିଆନ୍ସ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଏହି ପଦରୁ ହଟେଇ ପାରେ । ରୋହିତ ଶର୍ମାଙ୍କ ବଦଳରେ ହାର୍ଦ୍ଦିକ ମୁମ୍ବାଇ ଅଧିନାୟକ ହୋଇଥିଲେ ମଧ୍ୟ ଦଳ ପ୍ଲେ ଅଫକୁ ଯୋଗ୍ୟତା ହାସଲ କରିପାରି ନ ଥିଲା । ଟିମ ମଧ୍ୟ ଦୁଇ ଭାଗ ହୋଇଯାଇଥିଲା । ଟିମ ମ୍ୟାନେଜମେଂଟ ଆଉ ବିବାଦ ସୃଷ୍ଟି ନ କରି ଜଣେ ନୂତନ ଅଧିନାୟକ ନିଯୁକ୍ତ କରି ପାରନ୍ତି । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରର ଫାପ ଡୁ ପ୍ଲେସିଙ୍କୁ ହଟେଇବା ନିଶ୍ଚିତ । ଜଣେ ଯୁବ ଖେଳାଳିଙ୍କୁ ଏହି ଦାୟିତ୍ୱ ଦଳ ପ୍ରଦାନ କରିବ । ଶିଖର ଧାୱନଙ୍କ ପ୍ରଦର୍ଶନ ଖରାପ ନ ଥିଲେ ମଧ୍ୟ ବୟସ ଓ ଫିଟନେସ ତାଙ୍କ ପାଇଁ ସମସ୍ୟା ସୃଷ୍ଟିପାରେ । ପଞ୍ଜାବ ଭବିଷ୍ୟତକୁ ଆଖି ଆଗରେ ରଖି ଜଣେ ଯୁବ ଖେଳାଳିଙ୍କୁ ଦାୟିତ୍ୱ ପ୍ରଦାନ କରିବ ବୋଲି ଆଶା କରାଯାଉଛି ।
Comments are closed.