Latest Odisha News

ଜୀବନପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ଲୋଡିବାକୁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ପ୍ରଦୀପ ପାଣିଗ୍ରାହୀ

ଭୁୁବନେଶ୍ୱର: ବ୍ରହ୍ମପୁରରୁ ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ ପ୍ରଧାନମନ୍ତ୍ରୀଙ୍କୁ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସୁରକ୍ଷା ମାଗିଛନ୍ତି। ନିକଟରେ ସେ ଆକ୍ରମଣର ଶିକାର ହୋଇଥିଲେ। ଏହାପରେ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଚିଠି ଲେଖିଛନ୍ତି। ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ଗତ ୧୩ ତାରିଖରେ ହୋଇଥିବା ଏହି ଆକ୍ରମଣରେ ପୂର୍ବତନ ମେୟର ତଥା ବ୍ରହ୍ମପୁର ବିଧାନସଭା ଆସନର ବର୍ତ୍ତମାନର ସ୍ୱାଧୀନ ପ୍ରାର୍ଥୀ ଶିବଶଙ୍କର ଦାସ ଆକ୍ରମଣ କରିଛନ୍ତି। ଗୋଷାଣିନୁଆଗାଁ ଅଞ୍ଚଳର ୧୩୪ ନମ୍ବର ବୁଥ୍ ନିକଟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଇଭିଏମ୍ ସିଲ୍ ହେବା ନେଇ ନିର୍ବାଚନ ଅଧିକାରୀଙ୍କ ସହ ଆଲୋଚନା ବେଳେ ଏହି ଗଣ୍ଡଗୋଳ ହୋଇଥିଲା।

ଏହି ଆକ୍ରମଣ କେବଳ ଯୋଜନାବଦ୍ଧ ନୁହେଁ ବରଂ ତାଙ୍କ ସୁରକ୍ଷା ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଛି ବୋଲି ପ୍ରଦୀପ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ତୁରନ୍ତ ଓ କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ କରିବାକୁ ସେ ଅନୁରୋଧ କରିଛନ୍ତି। ପ୍ରଦୀପ ପାଣିଗ୍ରାହୀଙ୍କ ମତରେ ଏହି ଘଟଣା ଦେଶର ଗଣତାନ୍ତ୍ରିକ ନୀତି ଉପରେ ଆକ୍ରମଣ। ଶିବଶଙ୍କର ଦାସ ଏବେ ଏହି ଆକ୍ରମଣ ମାମଲାରେ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ପ୍ରଦୀପ ପାଣିଗ୍ରାହୀଙ୍କର ଏବେ ଏମ୍ସରେ ଚିକିତ୍ସା ଚାଲିଛି।

ନିର୍ବାଚନ ପରାଜୟ ଭୟରେ ବିଜେଡି ଏହି ଆକ୍ରମଣ ଘଟାଇଥିବା ବିଜେପି ଅଭିଯୋଗ କରିଛି। ପ୍ରଦୀପ ପାଣିଗ୍ରାହୀ ଓ ଶିବଶଙ୍କର ଦାସଙ୍କ ମଧ୍ୟରେ ପୂର୍ବ ବିବାଦରୁ ଏହି ହିଂସା କାଣ୍ଡ ଘଟିଥିବା ବିଜେଡି କହିଛି।

ସୂଚନାଯୋଗ୍ୟ, ଚଳିତ ମାସ ପ୍ରାରମ୍ଭରେ ଶିବଶଙ୍କର ଦାସଙ୍କୁ ବିଜେପିରୁ ବହିଷ୍କାର କରାଯାଇଥିଲା ଏବଂ ଚାକିରି ଦୁର୍ନୀତି ଅଭିଯୋଗରେ ବିଜେଡିରୁ ବହିଷ୍କୃତ ହେବା ପରେ ପ୍ରଦୀପ ପାଣିଗ୍ରାହୀ ଗତ ଫେବ୍ରୁଆରି ମାସରେ ବିଜେପିରେ ଯୋଗ ଦେଇଥିଲେ । ପରେ ବ୍ରହ୍ମପୁର ପାଇଁ ଦଳର ସାଂସଦ ପ୍ରାର୍ଥୀ ଭାବେ ମନୋନୀତ ହୋଇଥିଲେ।

Comments are closed.