Latest Odisha News

ଚିଙ୍ଗୁଡ଼ି ପ୍ଲାଣ୍ଟରେ ଗ୍ୟାସ୍ ଲିକ୍: ୧୦ରୁ ଅଧିକ ଅସୁସ୍ଥ, ଶ୍ରମ ଅଧିକାରୀଙ୍କ ତଦନ୍ତ ଆରମ୍ଭ

ବାଲେଶ୍ୱର: ନୀଳଗିରି ଅଘଟଣ। ରେମୁଣା ବ୍ଲକ ଗଡିଆମାଳସ୍ଥିତ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗ୍ୟାସ ଲିକ୍ ହୋଇ ୧୦ରୁ ଅଧିକ ଅସୁସ୍ଥ ହୋଇଥିବା ସୂଚନା ମିଳିଛି। ଗଡ଼ିଆମାଳ ଠାରେ ଥିବା ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ ଗତକାଲି ସନ୍ଧ୍ୟା ବେଳେ କର୍ମଚାରୀମାନେ କାର୍ଯ୍ୟ କରୁଥିବାବେଳେ, ହଠାତ୍ ମୁଣ୍ଡ ବୁଲାଇବା ସହ ଅଚେତ ହୋଇଯାଇଥିଲେ। ସମସ୍ତ ଗୁରୁତରଙ୍କୁ ନୀଳଗିରି ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ତେବେ ଘଟଣାରେ ସମସ୍ତ ଗୁରୁତର ଯୁବତୀ ଥିବା ଜଣାପଡିଛି। ସେମାନଙ୍କ ମଧ୍ୟରେ ଅନେକ ନାବାଳିକା ମଧ୍ୟ ଅଛନ୍ତି। କମ୍ପାନୀର କୌଣସି କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ନଥିବା ବେଳେ ସାଥୀମାନେ ସେମାନଙ୍କୁ ମେଡିକାଲକୁ ନେଇଛନ୍ତି। ହଠାତ ବିଷାକ୍ତ ଗ୍ୟାସ ଲିକ କରିବାରୁ ସମସ୍ତେ ଅଚେତ ହୋଇପଡିଥିଲେ। ଅନ୍ୟପଟେ ଅସୁସ୍ଥଙ୍କ ମଧ୍ୟରେ ନାବାଳିକା ଥିବାରୁ ଏହି ଘଟଣାକୁ ଲୁଚାଇବାକୁ ପ୍ରୟାସ କରାଯାଉଥିବା ଅଭିଯୋଗ ଆସିଛି।

ନୀଳଗିରି ମେଡିକାଲ୍‌ରୁ ବିନା ଡିସଚାର୍ଜରେ ନେଇ ଯାଇଥିବା ଅଭିଯୋଗ ହୋଇଛି। ତେବେ ଉକ୍ତ ଅସୁସ୍ଥ ବ୍ୟକ୍ତିଙ୍କୁ ବାଟରେ ଧରି ଲୋକେ ଥାନାକୁ ନେଇ ପ୍ଲାଣ୍ଟ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ଘଟଣାକୁ ଲୁଚାଇବାକୁ ପ୍ରୟାସ କରାଯାଉଛି। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଥାନାକୁ ଯାଇ ପରିସ୍ଥିତି ବୁଝିଲେ ବିଜେପି ସାଂସଦ ପ୍ରାର୍ଥୀ ପ୍ରତାପ ଷଡ଼ଙ୍ଗୀ। ସେହିପରି ଉକ୍ତ ଘଟଣା ସମ୍ପର୍କରେ ଥାନାରେ ଅଭିଯୋଗ ହୋଇଥିବାରୁ ଶ୍ରମ ଅଧିକାରୀଙ୍କ ତଦନ୍ତ ଆରମ୍ଭ ହୋଇଛି।

Comments are closed.