Latest Odisha News

BREAKING NEWS

ଚମକାଇବ ଚମ୍ପୁଆ ଫଳ !

ଭୁବନେଶ୍ବର : ଚମ୍ପୁଆରେ ଏଥର ଜୋରଦାର ଟକ୍କର । ତିନି ପ୍ରମୁଖ ଦଳ ପୁରୁଖା ଓ ଅଭିଜ୍ଞ ନେତାଙ୍କୁ ପ୍ରାର୍ଥୀ କରିଛନ୍ତି । ବିଜେଡିରୁ ଟାଣୁଆ ନେତା ସନାତନ ମହାକୁଡ ପ୍ରାର୍ଥୀ ହୋଇଛନ୍ତି ତ ବିଜେପିରୁ ମୁରଲୀ ମନୋହର ଶର୍ମା ଓ କଂଗ୍ରେସରୁ ପୂର୍ବତନ ସାଂସଦ ଯଶୋବନ୍ତ ସିଂ ଲାଗୁରୀ ମଇଦାନକୁ ଓହ୍ଲାଇଛନ୍ତି । ଗତଥର ପ୍ରାର୍ଥୀ ଦେଇଥିବା ସନାତନ ଏଥର ନିଜେ ମଇଦାନରେ । ତେବେ ନିକଟରେ ତାଙ୍କୁ ଜୋତାମାଳ ପିନ୍ଧାଯିବା ଭିଡିଓ ଭାଇରାଲ୍ ହୋଇଥିଲା। ଏଥିରୁ ସନାଙ୍କ ପ୍ରତି କିଛି ପରିମାଣରେ ଅସନ୍ତୋଷ ରହିଥିବା କୁହାଯାଉଛି ।

କିଙ୍ଗମେକର ନୁହେଁ କିଙ୍ଗ !

ମଇଦାନରେ ଚମ୍ପୁଆର ଟାଣୁଆ ନେତା ସନାତନ ମହାକୁଡ । ଗତଥର ସନାଙ୍କ ସମର୍ଥନରେ ଚମ୍ପୁଆରୁ ବିଧାୟିକା ହୋଇଥିଲେ ମୀନାକ୍ଷୀ ମହନ୍ତ। ତେବେ କ୍ଷମତା ପାଇ ୟୁ-ଟର୍ଣ୍ଣ ମାରିଥିଲେ । ବିଧାୟିକାଙ୍କ ସ୍ବାମୀ ସନାତନଙ୍କ ବିରୋଧରେ ସ୍ବର ଉଠାଇଥିଲେ । ତେଣୁ ଏଥର କିଙ୍ଗମେକର ନୁହେଁ ବରଂ କିଙ୍ଗ ହେବାକୁ ମନବଳାଇଥିଲେ ସନା । ତାଙ୍କୁ ବିଜେଡି ପ୍ରାର୍ଥୀ କରିଛି। ସ୍ବାଧୀନ ପ୍ରାର୍ଥୀ ଭାବେ ୨୦୧୪ରେ ଚମ୍ପୁଆରୁ ଜିତିଥିବା ସନା ମହାକୁଡଙ୍କର ସଂଗଠନ ସାଙ୍ଗକୁ ନିଜସ୍ୱ ଭୋଟ୍ ବ୍ୟାଙ୍କ ରହିଛି । ବିଭିନ୍ନ ସମୟରେ ଲୋକଙ୍କୁ ଆର୍ଥିକ ସାହାଯ୍ୟ କରିଥିବାରୁ ସନାତନଙ୍କ ପ୍ରତି ସମର୍ଥନ ବି ରହିଛି। କେବଳ ଚମ୍ପୁଆ ନୁହେଁ ପୂରା କେନ୍ଦୁଝରରେ ସନାଙ୍କର ଭଲ ପ୍ରଭାବ ରହିଛି ।

ସନାଙ୍କ ପାଇଁ ସହଜ ନୁହେଁ ଲଢେଇ

ଚମ୍ପୁଆର ପ୍ରଭାବଶାଳୀ ନେତା ସନାତନ ମହାକୁଡଙ୍କ ପାଇଁ ସହଜ ହେବନି ଚବିଶ ଲଢେଉ । ତାଙ୍କ ବିପକ୍ଷରେ କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ସାଂସଦ ଯଶୋବନ୍ତ ଲାଗୁରୀ। ଯଶୋବନ୍ତଙ୍କ ପତ୍ନୀ ଶକୁନ୍ତଳା ଲାଗୁରୀ ସାଂସଦ ରହିଥିବା ବେଳେ ବାପା ଧନୁର୍ଜୟ ଲାଗୁରୀ ବିଧାୟକ ରହିଥିଲେ । ଉଭୟ ଯଶୋବନ୍ତ ଓ ଶକୁନ୍ତଳା ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଇଛନ୍ତି । ରାଜନୈତିକ ପରିବାର ଭାବେ ଯଶୋବନ୍ତଙ୍କର ଚମ୍ପୁଆ ନିର୍ବାଚନମଣ୍ଡଳୀରେ ଭଲ ସଂଗଠନ ରହିଛି । ଚମ୍ପୁଆ ବ୍ଲକ ଓ ଏନଏସିରେ ତାଙ୍କର ନିଜସ୍ବ ଭୋଟବ୍ୟାଙ୍କ ରହିଛି । ତେଣୁ ସନାଙ୍କ ସମୀକରଣ ବିଗାଡିପାରନ୍ତି ଯଶୋବନ୍ତ ଲାଗୁରୀ ।

ଅଳ୍ପକେ ହାରିଥିଲେ ଏଥର ଜିତିବେ କି?

୨୦୧୯ରେ ବିଜେପିରୁ ପ୍ରାର୍ଥୀ ହୋଇଥିବା ମୁରଲୀ ମନୋହର ଶର୍ମାଙ୍କୁ ଏଥର ପୁଣି ରିପିଟ୍ କରିଛି ଦଳ । ଗତଥର ୬୩ହଜାରରୁ ଅଧିକ ଭୋଟ୍ ପାଇବା ସହ ବିଜେପି ଭୋଟ୍ ପର୍ସେଣ୍ଟେଜ୍ ୩୩ପ୍ରତିଶତ ବଢାଇଥିଲେ ମୁରଲୀ । ଚମ୍ପୁଆ ଅଞ୍ଚଳରେ ମୁରଲୀଙ୍କର ଭଲ ସଂଗଠନ ରହିଛି । ଏହାସହ ମୋଦି ହାଓ୍ବା ତାଙ୍କ ସପକ୍ଷରେ ଯାଇପାରେ । ସନାଙ୍କୁ କଡା ଟକ୍କର ଦେଇପାରନ୍ତି ମୁରଲୀ ।

ସନାଙ୍କୁ ଜୋତାମାଳ

ପ୍ରଚାର ବେଳେ ହଟହଟା ହୋଇଛନ୍ତି ବିଜେଡି ପ୍ରାର୍ଥୀ ସନାତନ ମହାକୁଡ । ଚମ୍ପୁଆ ନିର୍ବାଚନମଣ୍ଡଳୀର ମିରିଗିସିଂଘା ଗାଁରେ ହଠାତ୍ ଜଣେ ବ୍ୟକ୍ତି ସନାଙ୍କୁ ଜୋତାମାଳ ପିନ୍ଧାଇଥିଲେ । ବିଧିବଦ୍ଧ ଭାବେ ଦଳରେ ସାମିଲ ନହୋଇ ବି ବିଜେଡି ଟିକେଟ୍ ହାତେଇଛନ୍ତି ସନାତନ ମହାକୁଡ । ତେବେ ତାଙ୍କୁ ନେଇ ଦଳରେ ଅସନ୍ତୋଷ ରହିଛି କି ? ଚମ୍ପୁଆରେ ସନାଙ୍କୁ ବିରୋଧ କାହିଁକି? ଭୋଟରେ ପରିଣତ ହେବନି ତ ଲୋକଙ୍କ ପ୍ରତିବାଦ ?

ଖଣିଜ ସଂପଦରେ ଭରପୂର ଚମ୍ପୁଆ ବିଧାନସଭା ଆସନରେ ଖଣି ଅର୍ଥର ରହିଛି ପ୍ରମୁଖ ଭୂମିକା । ହାଇଭୋଲଟେଜ୍ ପ୍ରଚାର, ବଲିଉଡ ଷ୍ଟାରଙ୍କ କ୍ୟାମ୍ପେନିଂ ପାଇଁ ଚର୍ଚ୍ଚାରେ ଥିବା ଚମ୍ପୁଆରେ ଗତ ୫ଟି ନିର୍ବାଚନ ମଧ୍ୟରୁ ୩ଟି ସ୍ୱାଧୀନ ପ୍ରାର୍ଥୀ ଜିତିଛନ୍ତି । ତେଣୁ ଏଥର କାହାକୁ ଭରସା କରିବ ଚମ୍ପୁଆ?

Comments are closed.