Latest Odisha News

BREAKING NEWS

ଜୁନ ୧ରେ କାକଟପୁର ଓ ନିମାପଡାରେ ଭୋଟ, ମତଦାନ କରିବେ ୪୯୧୬୯୮ ଭୋଟର

ପୁରୀ: ଓଡିଶାର ଚତୁର୍ଥ ଓ ପୁରୀ ଜିଲ୍ଲାର ଦ୍ୱିତୀୟ ତଥା ଚୁଡାନ୍ତ ପର୍ଯ୍ୟାୟ ମତଦାନ ଜୁନ ୧ ତାରିଖରେ ଅନୁଷ୍ଠିତ ହେବ। ୧୬ ଜଗତସିଂହପୁର ଲୋକସଭା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୧୦୫ କାକଟପୁର ଓ ୧୦୬ ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଜୁନ ୧ ତାରିଖ ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ମତଦାନ ହେବ ବୋଲି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି।

କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୧୧ ଜଣ ପ୍ରାର୍ଥୀ ଥିବା ବେଳେ ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୧୩ ଜଣ ପ୍ରାର୍ଥୀ ରହିଛନ୍ତି। ଏହି ଦୁଇ ନିର୍ବାଚନ ମଣ୍ଡଳୀର ମୋଟ ୪୯୧୬୯୮ ଭୋଟର ୫୬୦ଟି ମତଦାନ କେନ୍ଦ୍ରରେ ମତଦାନ ସାବ୍ୟସ୍ତ କରିବେ। ଏଥିରେ ପୁରୁଷ ଭୋଟରଙ୍କ ସଂଖ୍ୟା ୨୫୨୬୫୧, ମହିଳା ଭୋଟରଙ୍କ ସଂଖ୍ୟା ୨୩୯୦୩୫ ଏବଂ ୧୨ଜଣ ଅନ୍ୟାନ୍ୟ ଭୋଟର ରହିଛନ୍ତି। ଏଥିରେ କାକଟପୁର ନିର୍ବାଚନ ମଣ୍ଡଳୀର ୨୮୦ଟି ବୁଥରେ ୧୨୫୯୩୯ ପୁରୁଷ, ୧୧୮୧୬୩ ମହିଳା ଓ ୪ ଜଣ ଅନ୍ୟାନ୍ୟ ଭୋଟର ମତଦାନ କରିବାକୁ ଥିବା ବେଳେ ନିମାପଡା ନିର୍ବାଚନ ମଣ୍ଡଳୀର ୨୮୦ ବୁଥରେ ୧୨୬୭୧୨ ପୁରୁଷ, ୧୨୦୮୭୨ ମହିଳା ଓ ୮ ଜଣ ଅନ୍ୟାନ୍ୟ ଭୋଟର ମତଦାନ କରିବେ।

ଏହି ଦୁଇ ନିର୍ବାଚନ ମଣ୍ଡଳୀରେ ୧୮ ରୁ ୧୯ ବର୍ଷ ବୟସର ୧୧୦୦୩ ଜଣ, ୨୦ ରୁ ୨୯ ବୟସର ୮୯୩୫୨ ଜଣ, ୩୦ରୁ ୩୯ ବୟସର ୧୦୦୯୬ ଜଣ, ୪୦ରୁ ୪୯ ବୟସର ୧୦୯୯୬୮ ଜଣ, ୫୦ ରୁ ୫୯ ବୟସର ୭୮୪୧୯, ୬୦ରୁ ୬୯ ବୟସର ୫୫୩୬୯ ଜଣ, ୭୦ରୁ ୭୯ ବୟସର ୩୧୩୬୨ ଜଣ, ୮୦ରୁ ୮୯ ବୟସର ୧୨୯୭୯ ଜଣ, ୯୦ରୁ ୯୯ ବୟସର ୭୪୫୬, ୧୦୦ରୁ ୧୦୯ ବର୍ଷ ବୟସର ୨୦୧ ଜଣ ଓ ୧୧୦ରୁ ୧୨୦ ମଧ୍ୟରେ ଥିବା ୯ ଜଣ ଭୋଟର ସେମାନଙ୍କ ଗଣତାନ୍ତ୍ରିକ ଅଧିକାର ସାବ୍ୟସ୍ତ କରିବେ।

ନିର୍ବାଚନ ଗଣତନ୍ତ୍ରର ମହାପର୍ବ। ତେଣୁ ସମସ୍ତ ଭୋଟର ମାନେ ସେମାନଙ୍କ ନିର୍ଦ୍ଧାରିତ ବୁଥ ମାନଙ୍କରେ ନିଶ୍ଚିତ ମତଦାନ କରିବାକୁ ଜିଲ୍ଲାପାଳ, କାକଟପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ନିମାପଡା ବିଧାନସଭା ନିର୍ବାଚନ ମଣ୍ଡଳୀର ରିଟର୍ଣ୍ଣିଂ ଅଫିସର ତଥା ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ନିଳମାଧବ ଭୋଇ ଅନୁରୋଧ କରିଛନ୍ତି।

Comments are closed.