Latest Odisha News

ମୃତ୍ୟୁର ଦ୍ୱାରଦେଶରେ ସୂଚନା ଅଧିକାର

ମୃତ୍ୟୁର ଦ୍ୱାରଦେଶରେ ସୂଚନା ଅଧିକାର

ବିଚିତ୍ର ବିଶ୍ୱାଳ

ଆଜିଠୁ ଚଉଦ ବର୍ଷ ତଳେ ସୂଚନା ଅଧିକାର ଆଇନ୍ ଯେତେବେଳେ ପ୍ରଣୟନ ହେଲା, ସେତେବେଳେ ଏହାକୁ ଏକ ଯୁଗାନ୍ତକାରୀ ଆଇନ୍ ବୋଲି କୁହାଯାଉଥିଲା । କାରଣ ସରକାରୀବାବୁମାନେ ଯେତେବେଳେ ଲୋକଙ୍କ ପାଇଁ ଆସୁଥିବା କାମ ସମ୍ବନ୍ଧୀୟ ସୂଚନାକୁ ଗୋପନୀୟ କହି ଲୋକଙ୍କୁ କିଛି ବି ଖବର ଦେଉନଥିଲେ, ସେତେବେଳେ ଏହି ଆଇନ୍ ଲୋକଙ୍କୁ ସୂଚନା ମିଳିବାର ଅଧିକାର ଅଛି ବୋଲି କହିଥିଲା । ଏହା ଦ୍ୱାରା ଦୁର୍ନୀତି ଅନେକ ପରିମାଣରେ କମିବ ବୋଲି ବହୁତ ଆଶା କରାଯାଉଥିଲା । ସୂଚନା ଅଧିକାର ଆଇନ୍ ଯୋଗୁ ସରକାରୀବାବୁଙ୍କ ରାଜ୍ କମ୍ ହୋଇ ଗୋଟେ ଗଣତନ୍ତ୍ର ଦେଶରେ ସାଧାରଣ ଲୋକଙ୍କର କଥା ବି ଶୁଣାଯିବ ବୋଲି ସମସ୍ତଙ୍କୁ ବିଶ୍ୱାସ ଦିଆଗଲା । ଆଇନ୍ ପ୍ରଣୟନ ହେବାର ଆରମ୍ଭ କେତେଦିନ ଏହି ଉତ୍ସାହ ବଳବତ୍ତର ବି ରହିଥିଲା ।

ଏହା ସତ୍ୟ ଯେ ଅନେକ ସଂଗ୍ରାମ ଓ ନାଗରିକ ସମାଜର କ୍ରମାଗତ ଚାପରେ ତତ୍କାଳୀନ ସରକାର ଏହି ଆଇନ୍ ଆଣିବାକୁ ବାଧ୍ୟ ହୋଇଥିଲେ ।

ସେତେବେଳର ସରକାର ନିଜ ଇଚ୍ଛାରେ ଏହି ଆଇନ୍ ଆଣିଥିଲେ ବୋଲି କହିଲେ ଏହା ସତ୍ୟର ଅପାଳାପ ହେବ । କିନ୍ତୁ ସୂଚନା ଅଧିକାର ଆଇନ୍ ଆସିବା ପରଠାରୁ ଏହା ବାରମ୍ବାର ଦେଖାଯାଇଛି ଯେ ଏହାକୁ ଦୁର୍ବଳ କରିବା ପାଇଁ ସରକାରୀ ସ୍ତରରେ ବିଭିନ୍ନ ବାଗରେ ଚେଷ୍ଟା କରାଯାଇଛି । ସୂଚନା ଅଧିକାର ଆଇନକୁ ନଖଦାନ୍ତହୀନ କରିବା ପାଇଁ ମନମୋହନ ସିଂହଙ୍କଠାରୁ ଆରମ୍ଭ କରି ମୋଦୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ଭୂମିକା ଅଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । କାରଣ ଆମ ଦେଶରେ ସରକାର ଓ ବାବୁମାନେ ଲୋକଙ୍କ ପାଖରେ ଉତ୍ତରଦାୟୀ ହେବାକୁ ଆଦୌ ବି ପସନ୍ଦ କରନ୍ତି ନାହିିଁ । ଯାହାର ପରିଣାମ ସ୍ୱରୂପ ସୂଚନା ଅଧିକାର ଆଇନ୍ ଆଜି ପ୍ରାୟତଃ ଶେଷ ନିଶ୍ୱାସ ଗଣୁଛି ନହେଲେ ସବୁଦିନ ପାଇଁ ତାକୁ ଆଇ.ସି.ୟୁ.ରେ ରଖିବାର ବନ୍ଦୋବସ୍ତ କରାଯାଉଛି ।

ସଂପ୍ରତି ଆମ ଦେଶର ଗୃହମନ୍ତ୍ରୀ ଅମିତ୍ ଶାହ କହିଛନ୍ତି- ଆମ ସରକାରରେ ଏତେ ସ୍ୱଚ୍ଛତା ଅଛି ଯେ ଲୋକମାନଙ୍କୁ ଆଉ ସୂଚନା ଅଧିକାର ଆଇନ୍ ବ୍ୟବହାର କରିବାର ଆବଶ୍ୟକତା ନାହିଁ । ଅର୍ଥାତ୍ ଲୋକମାନଙ୍କୁ ଆଉ ସରକାରଙ୍କୁ ସୂଚନା ମାଗିବାର ଆବଶ୍ୟକତା ନାହିଁ । ଦେଶର ଗୃହମନ୍ତ୍ରୀଙ୍କ ଏହି କଥାରୁ କ’ଣ ବୁଝାପଡ଼ୁଛି, ଲୋକମାନେ ବିଚାର କରନ୍ତୁ । ଯଦି ସରକାରୀ ବ୍ୟବସ୍ଥା ତଥା ପ୍ରଶାସନରେ ଯଥେଷ୍ଟ ସ୍ୱଚ୍ଛତା ଅଛି, ତେବେ ସୂଚନା ଅଧିକାର ଆଇନ୍ ମାଧ୍ୟମରେ ସୂଚନା ମାଗିଲେ ତ ବିନା ଦ୍ୱିଧାରେ ତାହା ମିଳିଯିବା କଥା । କିନ୍ତୁ ଏପରି କ୍ଷେତ୍ରରେ ଅମିତ୍ ଶାହ ଯେପରି କହୁଛନ୍ତି ଯେ ଦେଶର ଲୋକମାନଙ୍କୁ ଆଉ ସୂଚନା ମାଗିବାର ଆବଶ୍ୟକତା ନାହିଁ, ଏହା ସଂପୂର୍ଣ୍ଣ ଭାବେ ଏକ ପ୍ରଚ୍ଛନ୍ନ ଧମକ ଭଳି ହିଁ ଶୁଣାଯାଉଛି । ସୂଚନା ଅଧିକାର ଆଇନର ଅଂଟା ଭାଙ୍ଗିଦେବା ପାଇଁ ଏହା ଏକ ଷଡ଼ଯନ୍ତ୍ର ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ସଂପ୍ରତି ମୋଦୀ ସରକାର ସୂଚନା ଅଧିକାର ଆଇନକୁ ଅମଲାତାନ୍ତ୍ରିକ ଢ଼ାଂଚାରେ ଫସେଇ ଦୁର୍ବଳ କରିବା ପାଇଁ ସବୁ ପ୍ରକାର କୌଶଳ ଆପଣାଉଛନ୍ତି । ଆମ ଭିତରୁ ଅନେକ ଏବେ ମୁଖ୍ୟ ସୂଚନା କମିଶନରଙ୍କ ନାମ କହିପାରିବେ ନାହିଁ । କାରଣ ମୁଖ୍ୟ ନିର୍ବାଚନ କମିଶନ ଗତ କିଛି ଦିନ ହେବ କାର୍ଯ୍ୟକ୍ଷମ ଥିବା ପରି ଜଣାଯାଉନାହିଁ । ଯଦିଓ ସଂପ୍ରତି ସୁଧୀର ଚୌଧୁରୀ ମୁଖ୍ୟ ନିର୍ବାଚନ କମିଶନର ଅଛନ୍ତି, କିନ୍ତୁ ସୂଚନା ଅଧିକାର ଆଇନକୁ ବ୍ୟାପକ କରିବା ଦିଗରେ ତାଙ୍କର ଆନ୍ତରିକତାର ଅଭାବ ଯୋଗୁ ତାଙ୍କ ପଦ ଓ କାର୍ଯ୍ୟକଳାପ ଆଦୌ ବି ଚର୍ଚ୍ଚାକୁ ଆସୁନାହିଁ । ପ୍ରଶାସନିକ ଅଧିକାରୀମାନେ ନିଜର ଦୋଷ ଦୁର୍ବଳତା ଓ ଦୁର୍ନୀତିକୁ ଲୁଚେଇବା ପାଇଁ ସୂଚନା ଅଧିକାର ଆଇନକୁ ଦୁର୍ବଳ କରିବାର ଉଦ୍ଦେଶ୍ୟ ବିଷୟରେ ବୁଝିହେଉଛି । କିନ୍ତୁ ଖୋଦ୍ ମୁଖ୍ୟ ନିର୍ବାଚନ କମିଶନ ବି ପରୋକ୍ଷ ଭାବେ ଏହି ଦୁର୍ବଳ କରିବା କାମରେ ଯଦି ରହିବେ, ତେବେ ଆଉ କାହାକୁ କୁହାଯିବ! ମୁଖ୍ୟ ସୂଚନା କମିଶନ ପଦବୀ ଆରମ୍ଭ ହେବା ପରଠାରୁ ଏହାକୁ ଅତ୍ୟନ୍ତ ଚତୁରତାର ସହିତ କେବଳ ଅବସରପ୍ରାପ୍ତ ଅମଲାମାନଙ୍କର ଥଇଥାନସ୍ଥଳୀ କରାଯାଇଛି । ଏମିତି ବରିଷ୍ଠ ଅମଲାଙ୍କୁ ଏହି ପଦବୀରେ ରଖାଯାଇଛି, ଯେଉଁମାନେ ନିଜ ଚାକିରି କାଳରେ ଲୋକମାନଙ୍କୁ ସୂଚନା ପ୍ରଦାନ ନକରିବା ପାଇଁ ଓ ସୂଚନା ଅଧିକାର ଆଇନକୁ ଦୁର୍ବଳ କରିବା ପାଇଁ ପ୍ରାଣପଣେ ଚେଷ୍ଟା କରୁଥିଲେ । ତେଣୁ ସେମାନେ ସୂଚନା କମିଶନ ହେବା ପରେ କେମିତି କାମ କରିବେ ଏହା ବେଶ୍ ଅନୁମେୟ । ଏହା ବାରମ୍ବାର ଦେଖାଯାଉଛି ଯେ ସୂଚନା କମିଶନ ଜାଣିଜାଣି ସୂଚନା ପ୍ରଦାନରେ ବିଳମ୍ବକୁ ପ୍ରୋତ୍ସାହିତ କରୁଛନ୍ତି, ଯେମିତିକି ସୂଚନା ପାଇଁ ଦାବୀ କରୁଥିବା ଲୋକମାନେ ନିରାଶ ହିଁ ହେବେ ଓ ଧୀରେଧୀରେ ଲୋକମାନଙ୍କର ଏହି ଆଇନ୍ ଉପରୁ ଆସ୍ଥା ତୁଟିଯିବ ।

ଅତୀତରେ ମନମୋହନ ସିଂହ ସରକାର ସୂଚନା ଅଧିକାର ଆଇନ୍ ପରିସରରୁ ସି.ବି.ଆଇ.କୁ ମୁକ୍ତ କରିଦେଇଥିଲେ । ସଂପ୍ରତି ମୋଦୀ ସରକାରଙ୍କ ଅମଳରେ ଜାଣିଜାଣି ଦୁର୍ବଳ ସୂଚନା କମିଶନ ନିଯୁକ୍ତି କରାଯାଉଛି ଓ ଅନେକ ରାଜ୍ୟରେ ସୂଚନା କମିଶନ ପଦବୀ ଖାଲି ପଡ଼ିଛି । ମୁଖ୍ୟ ନିର୍ବାଚନ କମିଶନରେ ଥିବା ୧୧ଟି ପଦବୀରୁ ୪ ଟି ପଦବୀ ଖାଲି ପଡ଼ିଛି । ସଂପ୍ରତି ମୁଖ୍ୟ ନିର୍ବାଚନ କମିଶନଙ୍କ ପାଖରେ ୩୩ ହଜାରୁ ଅଧିକ କେଶ୍ ଫଇସଲା ନହୋଇ ପଡ଼ିରହିଛି । ସେହିପରି ରାଜ୍ୟ ସ୍ତରରେ ମଧ୍ୟ ଅନେକ ସୂଚନା ଅଧିକାର କେଶ୍ ଫଇସଲା ନହୋଇ ପଡ଼ିରହିଛି । ଆନ୍ଧ୍ରପ୍ରଦେଶର ସୂଚନା କମିଶନଙ୍କ ପାଖରେ ଏତେ କେଶ୍ ଫଇସଲା ନହୋଇ ପଡ଼ିରହିଛି ଯେ ଯଦି ଏବେ ଜଣେ ସେଠାରେ କୌଣସି କେଶ୍ ନେଇ ସୂଚନା କମିଶନଙ୍କ ପାଖକୁ ଯାଏ, ତେବେ ତାହା ଫଇସଲା ହେବା ପାଇଁ ୧୮ ବର୍ଷ ଲାଗିଯିବ । ସେହିପରି ପଶ୍ଚିମବଙ୍ଗରେ ଏହା ୭ ବର୍ଷ ୫ ମାସ ଲାଗିବ ଓ ଆମ ରାଜ୍ୟ ଓଡ଼ିଶାରେ ଏହା ୪ ବର୍ଷ ୩ ମାସ ସମୟ ଲାଗିବ । ଏଥିସହିତ ପ୍ରତିବର୍ଷ ଅନେକ ସୂଚନା ଅଧିକାର କାର୍ଯ୍ୟକର୍ତ୍ତାଙ୍କୁ ହତ୍ୟା କରାଯାଉଥିବା ଘଟଣା ବି ଏକ ଚିନ୍ତାଜନକ ବିଷୟ ।

ଗୋଟିଏ କଥା ବାରମ୍ବାର କୁହାଯାଉଛି ଯେ ଲୋକମାନେ ସୂଚନା ଅଧିକାର ଆଇନକୁ ଦୁରୁପଯୋଗ କରୁଛନ୍ତି । ଏହା ଦ୍ୱାରା ଦେଶର ହିତ ସାଧନ ବାଧାପ୍ରାପ୍ତ ହେବ । ଏହି ଯୁକ୍ତିକୁ ଦେଖେଇ ସରକାର ସୂଚନା ଅଧିକାର ଆଇନକୁ ସବୁଦିନ ପାଇଁ ଦୁର୍ବଳ କରିବାର ଚକ୍ରାନ୍ତ କରୁଛନ୍ତି । ଗତ ଜୁଲାଇ ମାସରେ ମୋଦି ସରକାର ସୂଚନା ଅଧିକାର ଆଇନରେ ଏକ ନୂଆ ସଂଶୋଧନ ଆଣିଛନ୍ତି, ଯେଉଁଥିପାଇଁ ନାଗରିକ ସମାଜ କିମ୍ବା କାହାର ବି ମତାମତ ନିଆଯାଇନାହିଁ । ଆହୁରି ଦୁର୍ଭାଗ୍ୟର ବିଷୟ ଯେ ଏହି ସଂଶୋଧନ ହେବାର ଓ ତା ଉପରେ ରାଷ୍ଟ୍ରପତିଙ୍କ ମୋହର ବାଜିବାର ଦୁଇ ମାସରୁ ଊର୍ଦ୍ଧ୍ୱ ସମୟ ବିତିଯାଇଥିଲେ ମଧ୍ୟ ସେ ସମ୍ବନ୍ଧୀୟ ନିୟମ ପ୍ରଣୟନ କରାଯାଇନାହିଁ । ତାହେଲେ ଏହି ନୂଆ ସଂଶୋଧନ ଅନୁସାରେ ଲୋକମାନେ ଏହି ଆଇନକୁ ବ୍ୟବହାର କରିବେ କିପରି? ଏପରି ଜାଣି ଜାଣି କରାଯାଉଥିବା ବିଳମ୍ବ ପଛର ଉଦ୍ଦେଶ୍ୟ ସ୍ପଷ୍ଟ ଯେ, ଧୀରେଧୀରେ ଲୋକମାନଙ୍କର ଆଇନ୍ ଉପରୁ ଆସ୍ଥା ତୁଟିଯାଉ ଓ ସୂଚନା ଅଧିକାର ଆଇନ୍ ମୃତ୍ୟୁର ଦ୍ୱାର ଦେଶରେ ପହଂଚିଯାଉ ।
…………………………….
ଭିରଙ୍ଗ, ତିରଣ, ଜଗତସିଂହପୁର-୭୫୪୧୩୮

Comments are closed.