Latest Odisha News

ଆକାଶରୁ ଖସୁଛି ନିଆଁ ଝୁଲ, ପଶ୍ଚିମରେ ଅସମ୍ଭାଳ ତାତି

ଭୁବନେଶ୍ଵର: ରାଜ୍ୟରେ ପୁଣି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଜାରି ।ପଶ୍ଚିମ ଓଡ଼ିଶାରେ ଅଗ୍ନିବର୍ଷା ହେଉଥିବା ବେଳେ ଉପକୂଳରେ କଲବଲ କରୁଛି ଗୁଳୁଗୁଳି । ଆଜି ଝାରସୁଗୁଡ଼ାର ସର୍ବାଧିକ ୪୭ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ୪୬ ଡିଗ୍ରୀ ଉପରେ ଅଛି ରାଜ୍ୟର ୪ ସହର ।

ଆଜି ଝାରସୁଗୁଡ଼ାରେ ୪୭.୦ ଡ଼ିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି। ସେହିପରି ଟିଟିଲାଗଡ଼ରେ ୪୬.୫, ବରଗଡ଼ରେ ୪୬.୩, ସମ୍ବଲପୁରରେ ୪୬.୨, ମାଲକାନଗିରି ଓ ସୋନପୁରରେ ୪୫.୬, ଭବାନୀପାଟଣାରେ ୪୫.୫, ବଲାଙ୍ଗିରରେ ୪୫.୩ ଓ ହୀରାକୁଦରେ ୪୫.୨ ଡିଗ୍ରି ତାପମାତ୍ରା ରେକର୍ଡ କରାଯାଇଛି ।

ତେବେ ଆଗାମୀ ୩ ଦିନ ଯାଏଁ ରାଜ୍ୟରେ ଏପରି ଗ୍ରୀଷ୍ମ ପ୍ରବାହ ଲାଗି ରହିବ। ହିଟୱେଭ ସହ ଉପକୂଳରେ ହଟ୍ ଆଣ୍ଡ ହ୍ୟୁମିଡ ସ୍ଥିତି ରହିବ। ଆସନ୍ତାକାଲି ପାଇଁ ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ, କନ୍ଧମାଳ, ବଲାଙ୍ଗୀର ରେ ହିଟୱେଭ ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ସେହିପରି ସୁନ୍ଦରଗଡ, ଦେଓଗଡ଼, କେନ୍ଦୁଝର, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ବରଗଡ଼, ନୂଆପଡ଼ା, କଳାହାଣ୍ଡି ଓ ମାଲକାନଗିରିରେ ହିଟୱେଭ ନେଇ ୟେଲୋ ଆଲର୍ଟ ଜାରି କରାଯାଇଛି।

ସେପଟେ ଆଜି କେରଳ ଛୁଇଁଛି ମୌସୁମୀ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁବା ପରେ ଉତ୍ତର ପୂର୍ବ ଆଡ଼କୁ ଅଗ୍ରସର ହେବ। ତେବେ ବର୍ତ୍ତମାନ ପାଗ ଅନୁକୂଳ ଥିବା ବେଳେ ଅନେକ ସ୍ଥାନରେ ତାତିରୁ ଆଶ୍ବସ୍ତି ମିଳିପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।

 

Comments are closed.