Latest Odisha News

ରାଜ୍ୟକୁ ଗୌରବାନ୍ୱିତ କରିଥିବା କ୍ରୀଡ଼ାବିତଙ୍କ ଲାଗି ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ଘୋଷଣା

ଭୁବନେଶ୍ୱର: କ୍ରୀଡା କ୍ଷେତ୍ରରେ ଓଡ଼ିଶା ଆଜି କେବଳ ଭାରତ ନୁହେଁ, ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିପାରିଛି । ଭୁବନେଶ୍ୱରରେ ୨୦୧୭ ଏସୀୟ ଖେଳକୁଦ ଚମ୍ପିଅନସିପ୍‌ ଏବଂ ୨୦୧୯ ହକି ବିଶ୍ୱକପ୍‌ର ସଫଳ ଆୟୋଜନ ସାରା ବିଶ୍ୱରେ ଭାରତର ଗୌରବକୁ ବୃଦ୍ଧି କରିଛି । ଓଡିଶାର କ୍ରୀଡାବିତ୍‌ମାନେ ମଧ୍ୟ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ କ୍ରୀଡାରେ ନିଜ ପ୍ରତିଭାର ପରିଚୟ ଦେଇ ଆସିଛନ୍ତି ।

କ୍ରୀଡା ଭିତ୍ତିଭୂମିର ବିକାଶ ସହ କ୍ରୀଡା ପ୍ରତିଭାର ବିକାଶ ପାଇଁ ଓଡ଼ିଶା ସରକାରଙ୍କ କ୍ରୀଡା ନୀତି ବ୍ୟାପକ ସୁଯୋଗ ସୃଷ୍ଟି କରିଛି । ଓଡିଶାରେ ବ୍ୟାଡମିଣ୍ଟନ, ହକି, ଫୁଟ୍‌ବଲ, ସୁଟିଙ୍ଗ୍‌, ସନ୍ତରଣ ଓ ଦୌଡକୁଦ ଆଦି ଦଶଟି ବିଭାଗରେ ହାଇ ପଫରମାନ୍ସ ସେଣ୍ଟର ପ୍ରତିଷ୍ଠା ଓଡିଶା ସମେତ ସାରା ଭାରତର କ୍ରୀଡାବିତ୍‌ମାନଙ୍କ ପାଇଁ ଅନେକ ସମ୍ଭାବନା ସୃଷ୍ଟି କରିବାରେ ସହାୟକ ହୋଇପାରିଛି । ଅଲମ୍ପିକ ପଦକ ଭାରତ ପାଇଁ ଆଉ ବେଶୀ ଦୂର ନୁହେଁ ।

୫-ଟି କାର୍ଯ୍ୟକ୍ରମ ଅନୁଯାୟୀ, କ୍ରୀଡା ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନଙ୍କର ବିଭିନ୍ନ ଆବଶ୍ୟକତା ସଂପର୍କରେ ଆଲୋଚନା କରାଯାଇ ସେମାନଙ୍କ ଉତ୍ତମ ପ୍ରଦର୍ଶନ ପାଇଁ ଅଧିକ ସୁଯୋଗ ସୃଷ୍ଟି ଲକ୍ଷ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କ୍ରୀଡା ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀ ଏବଂ ଜାତୀୟସ୍ତରରେ ପଦକ ବିଜେତାଙ୍କ ପାଇଁ ଭତ୍ତା ବୃଦ୍ଧି ବିଷୟରେ ଘୋଷଣା କରିଛନ୍ତି ।

-କ୍ରୀଡା ହଷ୍ଟେଲରେ ଝିଅଙ୍କ ପାଇଁ ମାସିକ ଭତ୍ତାକୁ ୨୦୦ ଟଙ୍କାରୁ ୫୦୦ ଟଙ୍କାକୁ ବୃଦ୍ଧି କରାଗଲା । ପୁଅମାନଙ୍କ ପାଇଁ ଭତ୍ତା ମାସିକ ୩୦୦ ଟଙ୍କାକୁ ବୃଦ୍ଧି କରାଗଲା ।

-ଜାତୀୟ କ୍ରୀଡ଼ା ଫେଡେରେସନ୍ ଦ୍ବାରା ସ୍ବୀକୃତି ପ୍ରାପ୍ତ ବା ତତୁଲ୍ୟ ସ୍ତରର କ୍ରୀଡା ପ୍ରତିଯୋଗୀତାରେ ଭାଗ ନେବା ପାଇଁ ସହର ବାହାରକୁ ଯାଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଦୈନିକ ୩୦୦ ଟଙ୍କା ଭତ୍ତା ଦିଆଯିବ।

-ଜାତୀୟ ସ୍ତରର ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରିଥିବା କ୍ରୀଡାବିତ୍‌ମାନଙ୍କୁ ଏକ ବର୍ଷ ପାଇଁ ମାସିକ ୧୦୦୦ ଟଙ୍କା ଏବଂ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଥିବା କ୍ରୀଡାବିତ୍‌ମାନଙ୍କୁ ମାସିକ ଯଥାକ୍ରମେ ୫୦୦ ଓ ୩୦୦ ଟଙ୍କା ଏକ ବର୍ଷ ପାଇଁ ଭତ୍ତା ଦିଆଯିବ। କ୍ରୀଡା ହଷ୍ଟେଲରେ ରହିଥିବା ଛାତ୍ର ଓ ଛାତ୍ରୀମାନେ ସେମାନଙ୍କ ମାସିକ ଭତ୍ତା ସହିତ ଏହି ଅତିରିକ୍ତ ଭତ୍ତା ପାଇପାରିବେ ।

-ଯଦି ପଦକ ଜିତିଥିବା ଜଣେ କ୍ରୀଡାବିତ୍ ଏକ ଜାତୀୟ ରେକର୍ଡ ସୃଷ୍ଟି କରନ୍ତି ଏବଂ ସେହି ରେକର୍ଡ ଏକବର୍ଷ ମଧ୍ୟରେ ଭଙ୍ଗ ନହୁଏ, ତେବେ ସେହି କ୍ରୀଡାବିତଙ୍କୁ ଏକବର୍ଷ ପର୍ୟ୍ୟନ୍ତ ମାସିକ ୫୦୦୦ ଟଙ୍କା ଅତିରିକ୍ତ ଭତ୍ତା ଦିଆଯିବ।

-ଜାତୀୟ ଦଳରେ ଭାଗ ନେବା ପାଇଁ ମନୋନୀତ କ୍ରୀଡାବିତ୍‌ମାନଙ୍କୁ ମଧ୍ୟ ଏକ ବର୍ଷ ପାଇଁ ମାସିକ ୧୦୦୦ ଟଙ୍କା ଲେଖାଏଁ ଭତ୍ତା ମିଳିବ।

-କ୍ରୀଡା ବିଭାଗର କୋଚ୍‌ମାନଙ୍କ ପାଇଁ ସେମାନଙ୍କ ଛାତ୍ରଛାତ୍ରୀଙ୍କ ପାରଦର୍ଶିତା ଭିତ୍ତିରେ କ୍ରୀଡା ବିଭାଗ ଏକ ସ୍ବତନ୍ତ୍ର ଆର୍ଥିକ ପ୍ରୋତ୍ସାହନ ନୀତି ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

Comments are closed.