Latest Odisha News

ଯାଜପୁରର ଗଣପର୍ବ କାଳୀପୂଜା; ସୁଶୋଭିତ ମୂର୍ତ୍ତୀରେ ଝଟକୁଛି ଦେବୀ ମଣ୍ଡପ

ଯାଜପୁର: ଦୀପାବଳୀର ମଧ୍ୟରାତ୍ରୀରୁ ଆରମ୍ଭ ହୋଇଛି ମା ଶ୍ୟାମାକାଳୀଙ୍କର ଷୋଡଶ ଉପଚାର ପୂଜାର୍ଚ୍ଚନା । ରାତ୍ରୀର ବିଳମ୍ବ ପ୍ରହରରେ ପୂଜାମଣ୍ଡପରେ ଘଟସ୍ଥାପନ କରାଯାଇ ଆରମ୍ଭ ହୋଇଛି ମାଙ୍କର ପୂଜା । ସନ୍ଧିପୂଜା ସହିତ ବେଦମନ୍ତ୍ରରେ ପ୍ରକମ୍ପିତ ହୋଇଉଠିଛି ପରିବେଶ । ମନ୍ତ୍ରଧ୍ବନୀ ସାଙ୍ଗକୁ ଯଜ୍ଞକୁଣ୍ଡରେ ସମାପନ ହୋଇଛି ମହାଦେବୀଙ୍କର ଯଜ୍ଞକାର୍ଯ୍ୟ ।

ମହା ଆଡମ୍ବରରେ ଯାଜପୁର ଜିଲ୍ଲାରେ ପାଳନ ହେଉଛି କାଳୀପୂଜା । ଭିନ୍ନଭିନ୍ନ ରୂପରେ ମା କାଳୀଙ୍କର ସୁଶୋଭିତ ମୂର୍ତ୍ତୀରେ ଝଟକୁଛି ଦେବୀ ମଣ୍ଡପ ।

ଉଭୟ ଯାଜପୁର ଏବଂ ବ୍ୟାସନଗର ସହରରେ କାଳୀପୂଜାକୁ ଗଣପର୍ବ ଭାବେ ପାଳନ କରାଯାଉଥିବାରୁ ପୋଲିସ୍ ଏବଂ ଜିଲ୍ଲାପ୍ରଶାସନ ପକ୍ଷରୁ ଟ୍ରାଫିକ ଠାରୁ ଆରମ୍ଭ କରି ସମସ୍ତ ଦିଗ ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି ।

ଲହ ଲହ ଜିହ୍ବା । ମୁକୁଳା କେଶ । ହାତରେ ଖଡ୍ଗ, ଖର୍ପର । ଗଳାରେ ଛିନ୍ନ ମସ୍ତକର ମାଳା । କଟିରେ ଛିନ୍ନ ହସ୍ତ ମାଳା । ଚତୁର୍ପାର୍ଶ୍ବରେ ଡାକିନୀ, ଚିରୁକୁଣୀ । ତ୍ରିନେତ୍ରରେ ଉଦ୍ଭାସିତ ହେଉଛନ୍ତି ଜଗତ ଜନନୀ ମା କାଳୀ । ଦେବୀଙ୍କର ପାଦ ରହିଛି ମହାଦେବଙ୍କ ଛାତି ଉପରେ । କେଉଁଠି ମା ଉଗ୍ରରୂପ ଧାରଣ କରିଛନ୍ତି ତ ଆଉ କେଉଁଠି ଶାନ୍ତ ସରଳ କମନୀୟ ରୂପ । ସତରେ ସୃଷ୍ଟି ହୋଇଛି ଏକ ନିଆରା ଆଧ୍ୟାତ୍ମିକ ପରିବେଶ । ଘୃତ, ଝୁଣା, ଗୋଗଳ, ଧୂପ, ନୈବେଦ୍ୟର ମହକରେ ମହକି ଉଠିଛି ସାରା ପରିବେଶ ।

ଯାଜପୁର ଏବଂ ବ୍ୟାସନଗର ସହରର ବିଭିନ୍ନ ପୂଜା ମଣ୍ଡପରେ ଚାଲିଛି ମା ଶ୍ୟାମାକାଳୀଙ୍କର ପୂଜାର୍ଚ୍ଚନା । ଦୀପାବଳୀର ମଧ୍ୟରାତ୍ରରେ ମଣ୍ଡପରେ କଳସ ସ୍ଥାପନ କରାଯାଇ ମାଙ୍କର ଯଜ୍ଞହୋମାଦି ପୂଜା କାର୍ଯ୍ୟ ସମ୍ପନ୍ନ ହୋଇଛି ।

କାଳୀପୂଜା ଉତ୍ସବକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପୂଜାକମିଟି ମାନଙ୍କ ପକ୍ଷରୁ ବିଭିନ୍ନ ସାଜସଜ୍ଜା ମାନ କରାଯାଇଛି । ଦର୍ଶକଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରତିଟି ସଂନ୍ଧ୍ୟାରେ ଆୟୋଜିତ ହେଉଛି ନାନାଦି ସାଂସ୍କୃତିକ କାର୍ଯ୍ୟକ୍ରମ । ଉଭୟ ସହରରେ ପୂଜାକୁ ଶୃଙ୍ଖଳିତ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି ।

କାଳୀପୂଜା ପାଇଁ ଦୀପାବଳି ଠାରୁ ୧୦ ଦିନ ଯାଏ ଉତ୍ସବ ମୁଖର ହେବ ଯାଜପୁର ଓ ବ୍ୟାସନଗର । ମହାଆଡ଼ମ୍ବରରେ ପାଳନ ହେବ ମାଆ କାଳୀଙ୍କ ଭବ୍ୟ ପୂଜା ।

ସହରର ସାରା ବିଛେଇ ହୋଇ ପଡିଛି ରଙ୍ଗୀନ ଆଲୋକ ମାଳା ତା ସାଙ୍ଗକୁ ସୁଉଚ୍ଚ ତୋରଣ । ଯାଜପୁର କଳିପୂଜାର ଏଥର ମୁଖ୍ୟ ଆକର୍ଷଣ ରହିଛି ଚନ୍ଦ୍ରାୟଣ-୨ ଆକାରରେ ନିର୍ମିତ ତୋରଣ । ଯାହାକୁ ଉପଭୋଗ କରିବାକୁ ଜମୁଛି ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ।

Comments are closed.