Latest Odisha News

ମୋ ବସର କଣ୍ଡକ୍ଟରଙ୍କୁ ଆକ୍ରମଣ, ଯାତ୍ରୀଙ୍କୁ ଗିରଫ କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଜଣେ ଯାତ୍ରୀ ୧୬ନମ୍ବର ମୋ ବସ୍‌ କଣ୍ଟକ୍ଟରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ମାଷ୍ଟର କ୍ୟାଣ୍ଟିନରେ ମୋ ବସ ଅଟକାଇ ଆନ୍ଦୋଳନ କରୁଛନ୍ତି ସମସ୍ତ ବସ ଡ୍ରାଇଭର ଓ କଣ୍ଡକ୍ଟର।

ସୂଚନାନୁସାରେ, କ୍ରୁଟ ଦ୍ୱାରା ପରିଚାଳିତ ମୋ ବସ୍ ନମ୍ବର ୧୬ ଗନ୍ତବ୍ୟ ସ୍ଥଳକୁ ଯାଉଥିବା ବେଳେ ଏହି ବସର ଜଣେ ଯାତ୍ରୀ କିଛି ପ୍ରସଙ୍ଗକୁ ନେଇ କଣ୍ଡକ୍ଟର ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ଆକ୍ରମଣ ପରେ ମୋ ବସ୍‌ର କଣ୍ଡକ୍ଟର ଏବଂ ଡ୍ରାଇଭରମାନେ ଗାଡି ଚଲାଇବା ବନ୍ଦ କରି ସନ୍ଧ୍ୟାରେ ରାଜଧାନୀର ମାଷ୍ଟର କ୍ୟାଣ୍ଟିନରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।

ମୋ ବସ୍ କଣ୍ଡକ୍ଟର ଉପରେ ଆକ୍ରମଣ କରିଥିବା ଯାତ୍ରୀଙ୍କୁ ତୁରନ୍ତ ଗିରଫ କରିବାକୁ ସେମାନେ ଦାବି କରିଛନ୍ତି। ମୋବସ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଯେପର୍ଯ୍ୟନ୍ତ ସୁରକ୍ଷା ନମିଳିଛି, ସେ ପର୍ଯ୍ୟନ୍ତ ବସ୍‌ ନଚଲାଇବାକୁ ସେମାନେ ଦାବି କରିଛନ୍ତି। ସେମାନଙ୍କର ଦାବି ପୂରଣ ନହେବା ପର୍ଯ୍ୟନ୍ତ ବସ୍ ଚଳାଚଳ ଆରମ୍ଭ ନକରିବାକୁ ସେମାନେ ଚେତାବନୀ ମଧ୍ୟ ଦେଇଛନ୍ତି। ସେପଟେ ଘଟଣା ସ୍ଥଳରେ ଖାରବେଳ ନଗର ଥାନା ପୁଲିସ ପହଞ୍ଚି ଡ୍ରାଇଭର ମାନଙ୍କୁ ବୁଝାସୁଝା କରିବା ସହିତ ଛାନବିନ ଆରମ୍ଭ କରିଛି। ଆକ୍ରମଣ କରିଥିବା ଯାତ୍ରୀଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଚି ପୋଲିସ।

Comments are closed.