Latest Odisha News

BREAKING NEWS

କିଏ ହେବେ ମୁଖ୍ୟମନ୍ତ୍ରୀ ?

ଭୁବନେଶ୍ବର: ରାଜ୍ୟରେ ଐତିହାସିକ ବିଜୟ ହାସଲ କରିଛି ବିଜେପି। ସରକାର ଗଢିବା ପାଇଁ ୭୪ଟି ଆସନ ଦରକାର ଥିବା ବେଲେ ବିଜେପି ଖାତାରେ ରହିଛି ୭୮ସିଟ୍ । ବଡ଼ ବିଜୟ ପରେ ସରକାର ଗଠନ ପାଇଁ କସରତ ଆରମ୍ଭ ହୋଇଛି । ତେବେ ବିଜେପି ସରକାରରେ କିଏ ହେବେ ମୁଖ୍ୟମନ୍ତ୍ରୀ ? ନିର୍ବାଚନ ପୂର୍ବରୁ ବିଜେପି କାହାକୁ ବି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଉପସ୍ଥାପିତ କରିନାହିଁ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଅନେକ ହେଭିଓ୍ବେଟ୍ ନେତାଙ୍କ ନାଁ ନେଇ ଚର୍ଚ୍ଚା ହେଉଛି ।

ସିଏମ୍ ରେସରେ ଆଗରେ ଧର୍ମେନ୍ଦ୍ର
ବିଜେପି ସରକାରରେ ମୁଖ୍ୟମନ୍ତ୍ରୀ ପଦ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନାଁକୁ ନେଇ ସବୁଠୁ ଅଧିକ ଚର୍ଚ୍ଚା ହେଉଛି । ବିଜେପି ରାଜନୀତିରେ ଧର୍ମେନ୍ଦ୍ରଙ୍କ କାଟତି ଅଧିକ ରହିଛି। ୨୦୧୪ରୁ ଧର୍ମେନ୍ଦ୍ର କେନ୍ଦ୍ରରେ ମନ୍ତ୍ରୀ ରହିଆସିଛନ୍ତି । ପେଟ୍ରୋଲିୟମ ଓ ଶିକ୍ଷା ଭଳି ଗୁରୁତ୍ବପୂର୍ଣ୍ଣ ମନ୍ତ୍ରଣାଳୟ ସମ୍ଭାଳିଛନ୍ତି ଧର୍ମେନ୍ଦ୍ର । ରାଜ୍ୟରେ ବିଜେପି ସରକାରକୁ ଆସିବା ପଛରେ ମଧ୍ୟ ଧର୍ମେନ୍ଦ୍ରଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ମୋଦି ଓ ଶାହାଙ୍କ ବିଶ୍ବସ୍ତ କୁହାଯାଉଥିବା ଧର୍ମେନ୍ଦ୍ରଙ୍କ ନାଁ ମୁଖ୍ୟମନ୍ତ୍ରୀ ପଦ ପାଇଁ ଘୋଷଣା କରିପାରେ ବିଜେପି । ସମ୍ବଲପୁର ଲୋକସଭା ଜିତିଥିବା ଧର୍ମେନ୍ଦ୍ରଙ୍କୁ ଚୟନ କରାଗଲେ ସେ ଲୋକସଭା ଆସନ ଛାଡି ବିଧାନସଭା ନିର୍ବାଚନ ଲଢିବେ ।

ହେଭିଓ୍ବେଟ୍ ନେତାଙ୍କ ନାଁ ଚର୍ଚ୍ଚା

ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ଦଳର ବହୁ ହେଭିଓ୍ବେଟ୍ ନେତାଙ୍କ ନାଁ ମଧ୍ୟ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚର୍ଚ୍ଚା ହେଉଛି । ବ୍ରଜରାଜନଗର ବିଧାନସଭା ଆସନରୁ ବିଜୟୀ ହୋଇଥିବା ସୁରେଶ ପୂଜାରୀଙ୍କ ନାଁ ଚର୍ଚ୍ଚାରେ ରହିଛି । ସୁରେଶ ପୂଜାରୀ ପୂର୍ବରୁ ରାଜ୍ୟ ବିଜେପି ସଭାପତି ଭାବେ ସଂଗଠନ ଦାୟିତ୍ବ ତୁଲାଇଥିଲେ। ୨୦୧୯ରେ ସେ ବରଗଡରୁ ସାଂସଦ ନିର୍ବାଚିତ ହୋଇଥିଲେ। ସେହିପରି ସମ୍ବଲପୁର ବିଧାନସଭା ଜିତିଥିବା ଜୟନାରାୟଣ ମିଶ୍ରଙ୍କ ନାଁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ପଶ୍ଚିମ ଓଡିଶାର ଟାଣୁଆ ନେତା ଜୟନାରାୟଣ ପୂର୍ବରୁ ବିଧାନସଭାରେ ବିରୋଧୀ ଦଳ ନେତା ମଧ୍ୟ ରହିଥିଲେ । ସେହିପରି ପାଟଣାଗଡ଼ରୁ ବିଜୟୀ ହୋଇଥିବା କନକ ବର୍ଦ୍ଧନ ସିଂହଦେଓଙ୍କ ନାଁ ରେସରେ ରହିଛି। ପାଟଣାଗଡରୁ ୫ଥର ଲଗାତର ଜିତିବା ପରେ ଗତଥର ହାରି ଯାଇଥିଲେ କେଭି ସିଂହଦେଓ । ତେବେ ଏଥର ପୁଣି ସେ ଗଡ଼ ଦଖଲ କରିଛନ୍ତି ।

ଓଡିଶାରେ ସରପ୍ରାଇଜ୍ ସିଏମ୍ !

ରାଜସ୍ଥାନ, ମଧ୍ୟପ୍ରଦେଶ ଫର୍ମୂଲାରେ ଓଡିଶାରେ ସରପ୍ରାଇଜ୍ ସିଏମ୍ ଘୋଷଣା କରିପାରେ ବିଜେପି । ଭାରତ ସରକାରଙ୍କ କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ବା ସିଏଜି ଗିରିଶ ଚନ୍ଦ୍ର ମୁର୍ମୁଙ୍କ ନାଁ ବି ଚର୍ଚ୍ଚାରେ ରହିଛି । ଗୁଜରାଟ କ୍ୟାଡରର ବରିଷ୍ଠ ଓଡିଆ ଆଇଏଏସ୍ ଅଫିସର ଗିରିଶ ଚନ୍ଦ୍ର ମୁର୍ମୁ ପୂର୍ବରୁ ଜାମ୍ମୁ କାଶ୍ମୀରର ପ୍ରଥମ ଉପରାଜ୍ୟପାଳ ରହିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଘନିଷ୍ଠ ଅଧିକାରୀ କୁହାଯାଉଥିବା ଗିରିଶ ମୁର୍ମୁଙ୍କୁ ମୁଖ୍ୟମନ୍ତ୍ରୀ ଘୋଷଣା କରି ସରପ୍ରାଇଜ୍ କରିପାରେ ବିଜେପି । ଚାନ୍ଦବାଲିରୁ ହାରିଥିଲେ ବି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନାଁ ଚର୍ଚ୍ଚାରେ ରହିଛି । ରାଜ୍ୟରେ ବିଜେପିର ସଫଳତା ପଛରେ ମନମୋହନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ।

ରାଜ୍ୟରେ ପ୍ରଥମ ଥର ପାଇଁ ଏକାକୀ ସରକାର ଗଠନ କରିବ ବିଜେପି । ଜୁନ୍ ୧୦ତାରିଖରେ ଜଣେ ଓଡିଆ ବିଜେପିର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବୋଲି କହିଥିଲେ ମୋଦି । ତେବେ କିଏ ହେବେ ମୁଖ୍ୟମନ୍ତ୍ରୀ, ସେ ନିଷ୍ପତ୍ତି ଦିଲ୍ଲୀରେ ଦଳୀୟ ହାଇକମାଣ୍ଡ ନେବେ ।

Comments are closed.