Latest Odisha News

BREAKING NEWS

ବିଜେଡିରେ ଆଗକୁ କଣ?

ଭୁବନେଶ୍ବର: ବିଜେଡି ଗଠନ ପରଠୁ କ୍ଷମତାରେ ରହିଥିଲା। ପ୍ରଥମ ଥର ପାଇଁ ବିଜେଡିକୁ କ୍ଷମତାଚ୍ୟୁତ କଲେ ଜନତା । ଲୋକସଭାରେ ଦଳର ପ୍ରତିନିଧିତ୍ବ ରହିଲାନି । ବିଧାନସଭାରେ ବି ଶାସକରୁ ବିରୋଧୀ ଦଳ ହୋଇଛି ବିଜେଡି । ଦଳ ଗଠନ ପରଠୁ ସବୁଠୁ କଠିନ ସମୟ ଦେଇ ଗତି କରୁଛି ବିଜେଡି । ଏଭଳି ସ୍ଥିତିରେ ଆଗକୁ କଣ ହେବ? କେମିତି ଲୋକଙ୍କ ପାଖରେ ବିଶ୍ବାସଭାଜନ ହେବ ବିଜେଡି ? କେମିତି ପୁଣି ଦଳ ଲୋକପ୍ରିୟ ହେବ ? ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କେଉଁ ପଦକ୍ଷେପ ନେବେ ?

ବିରୋଧୀ ଦଳ ଭୂମିକାରେ ବିଜେଡି

୨୪ବର୍ଷରୁ ଅଧିକ ସମୟ ଧରି ଶାସନ କ୍ଷମତାରେ ରହିଥିବା ବିଜେଡି ଏଥର ବିରୋଧୀ ଦଳ ଭୂମିକାରେ । ପ୍ରଥମ ଥର ପାଇଁ ଦଳ କ୍ଷମତାରୁ ବାହାରେ । ତେଣୁ ମଜଭୂତ ବିରୋଧୀ ଦଳ ଭାବେ କିପରି ନିଜକୁ ଗଢିବ, ସେନେଇ ପଦକ୍ଷେପ ନେଇପାରନ୍ତି ନବୀନ । ନିଜେ ବିରୋଧୀ ଦଳ ନେତା ହେବା ସହ ଜଣେ ବରିଷ୍ଠ ନେତାଙ୍କୁ ବିଧାନସଭାରେ ଦାୟିତ୍ବ ଦେଇପାରନ୍ତି । ଶାସକ ଭାବେ ବର୍ଷ ବର୍ଷ ଧରି ଲୋକଙ୍କ ପାଇଁ ବିକାଶମୂଳକ ଯୋଜନା କରିଥିବା ବିଜେଡି ଏଥର ଲୋକଙ୍କ ସମସ୍ୟା ଉଠାଇ ବିଜେପି ସରକାରକୁ ଘେରିବ। ଲୋକଙ୍କ ସହ ଆହୁରି ଅଧିକ ଯୋଡି ହୋଇ ରହିବାକୁ ଉଦ୍ୟମ କରିବ। ଶାସକ ଭୂମିକାରେ ଦୀର୍ଘ ଦିନର ଅଭିଜ୍ଞତା ବିଜେଡି ପାଖରେ ରହିଛି। ଏହାକୁ ଆଧାର କରି ଶାସକ ବିଜେପିକୁ ପ୍ରଶ୍ନ କରିବା ସହ ଲୋକଙ୍କ ସ୍ବର ହୋଇପାରିବ ବିଜେଡି ।

କିଏ ହେବେ ନବୀନଙ୍କ ଉତ୍ତରାଧିକାରୀ ?

ଶେଷ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଭିକେ ପାଣ୍ଡିଆନ ତାଙ୍କର ଉତ୍ତରାଧିକାରୀ ନୁହନ୍ତି, ଓଡିଶାବାସୀ ତାଙ୍କ ଉତ୍ତରାଧିକାରୀ ବାଛିବେ ବୋଲି କହିଥିଲେ ନବୀନ ପଟ୍ଟନାୟକ । ରାଜ୍ୟବାସୀ ଉତ୍ତରାଧିକାରୀ ବାଛିବାର କୌଣସି ଉପାୟ ନାହିଁ । ତେଣୁ ନିଜେ ନବୀନ ନିଜର ତଥା ବିଜେଡିର ଉତ୍ତରାଧିକାରୀ ବାଛିପାରନ୍ତି। ଏବେ ପ୍ରଶ୍ନ, କିଏ ହେବେ ନବୀନଙ୍କ ଉତ୍ତରାଧିକାରୀ? ଭିକେ ପାଣ୍ଡିଆନ ନବୀନଙ୍କ ଅଘୋଷିତ ଉତ୍ତରାଧିକାରୀ ଭାବେ କିଛି ବର୍ଷ ହେଲା ଉଭୟ ଶାସନ ବ୍ୟବସ୍ଥା ଓ ଦଳୀୟ ନିଷ୍ପତ୍ତିରେ ହସ୍ତକ୍ଷେପ କରି ଆସୁଥିଲେ। ତେବେ ଏହାକୁ ନେଇ ଜନଅସନ୍ତୋଷ ଏତେ ତୀବ୍ର ହେଲା ଯେ, କ୍ଷମତାଚ୍ୟୁତ ହେଲା ବିଜେଡି । ତେଣୁ ପୁଣି ଭିକେ ପାଣ୍ଡିଆନ ଯଦି ବିଜେଡିରେ ଆଗଭଳି ନିଷ୍ପତ୍ତି ନିଅନ୍ତି, ତେବେ ଦଳ ଜନତାଙ୍କ ପାଖରେ ଆଦୌ ଗ୍ରହଣୀୟ ହେବନାହିଁ । ବିଜୁଙ୍କ ନାଁରେ ଗଠିତ ଦଳର ନେତୃତ୍ବ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ କିମ୍ବା ତାଙ୍କ ପରିବାରରୁ କେହି ଓଡିଶା ଆସି ନେଇପାରନ୍ତି । କିମ୍ବା ଦଳ ଭିତରୁ ହିଁ କୌଣସି ବରିଷ୍ଠ ନେତାଙ୍କୁ ଉତ୍ତରାଧିକାରୀ କରିପାରନ୍ତି ନବୀନ । ଏଥର ନିର୍ବାଚନରେ ନବୀନଙ୍କ ଖରାପ ସ୍ବାସ୍ଥ୍ୟ ନେଇ ମୋଦିଙ୍କଠାରୁ ଆରମ୍ଭ କରି ବିଜେପିର ବହୁ ନେତା ଅଙ୍ଗୁଳି ନିର୍ଦ୍ଦେଶ କରିଥିଲେ । ତେଣୁ ଦଳର ଉତ୍ତରାଧିକାରୀ ବାଛିପାରନ୍ତି ନବୀନ ।

କଣ କରିବେ ପାଣ୍ଡିଆନ୍?

ବିଜେଡିର ଦ୍ବିତୀୟ କ୍ଷମତାକେନ୍ଦ୍ର କୁହାଯାଉଥିବା ଭିକେ ପାଣ୍ଡିଆନ ଏବେ କଣ କରିବେ? ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ନହେଲେ ସେ ରାଜନୀତିରୁ ସନ୍ୟାସ ନେଇଯିବେ ବୋଲି କହିଥିଲେ ପାଣ୍ଡିଆନ । ତେବେ ଫଳାଫଳ ଆସିବା ପରଠୁ ତାଙ୍କ ଦେଖା ମିଳୁନି । ୨୦୧୪ ପରଠୁ ବିଜେଡିରେ ପାଣ୍ଡିଆନଙ୍କ ଦବଦବା ବଢିଥିଲା। ୨୦୧୯ରେ ଟିକେଟ୍ ବଣ୍ଟନରେ ବି ତାଙ୍କର ବଡ ଭୂମିକା ରହିଥିବା କୁହାଯାଇଥିଲା । ଚାକିରିରେ ଥାଇ ବି ସେ ବିଜେଡି ଦଳୀୟ ବ୍ୟାପାରରେ ମୁଣ୍ଡ ଖେଳାଉଥିଲେ । ଚାକିରି ଛାଡି ସିଧାସଳଖ ବିଜେଡିର ନମ୍ବର ଟୁ ସାଜିଲେ। ନବୀନଙ୍କ ପଞ୍ଚମ ପାଳି ସରକାରରେ ତାଙ୍କ ଆଧିପତ୍ୟ ଅହେତୁକ ଭାବେ ବଢିଥିଲା । ଚବିଶ ନିର୍ବାଚନରେ ଟିକେଟ୍ ବାଣ୍ଟିବା ସହ ପ୍ରଚାରରେ ବି ପାଣ୍ଡିଆନ ଶୋ ହିଁ ଦେଖିବାକୁ ମିଳିଥିଲେ। ତେବେ ପାଣ୍ଡିଆନଙ୍କ ହସ୍ତକ୍ଷେପ ବିଜେଡି ପରାଜୟର ସବୁଠୁ ବଡ କାରଣ କୁହାଯାଉଥିବା ବେଳେ ଏବେ ପାଣ୍ଡିଆନଙ୍କ ରାଜନୈତିକ ଭବିଷ୍ୟତ ନେଇ ବି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ଘର ସଜାଡିବେ ନବୀନ

ବିଜେପିର ଓଡିଆ ଅସ୍ମିତା କାର୍ଡରେ ଧୂଳିସାତ ହୋଇଛି ବିଜେଡିର ଲୋକପ୍ରିୟତା । ତେଣୁ ପରାଜୟର କାରଣ ଖୋଜିବା ସହ ଘର ସଜାଡିବେ ନବୀନ । ଦଳର ସାଂଗଠନିକ ସ୍ତରରେ ଅଦବଦଳ ବି କରିପାରନ୍ତି । କେଉଁଠି ଭୁଲ୍ ରହିଲା, କାହିଁକି ବିଜେଡି ପ୍ରାର୍ଥୀ ହାରିଲେ? କାହିଁକି ରାଜ୍ୟବାସୀଙ୍କ ବିଶ୍ବାସଭାଜନ ହୋଇପାରିଲେନି? ତାର ଉତ୍ତର ଖୋଜିବା ସହ ଦଳର ସବୁ ସଦସ୍ୟଙ୍କୁ ଏକାଠି କରି ରଖିବା ନେଇ ପଦକ୍ଷେପ ନେଇପାରନ୍ତି ନବୀନ । ବିଜେଡିର ପରାଜୟ ସହ ଦଳ ଭାଙ୍ଗିବା ଆଶଙ୍କା ବି ରହିଛି। ରାଜନୈତିକ ସୁବିଧାବାଦ ଦୃଷ୍ଟିରୁ ବିଜେଡି ଛାଡି ଅନ୍ୟ ଦଳକୁ ଯାଇପାରନ୍ତି ଅନେକ ନେତା। ନିର୍ବାଚନ ହାରିଥିବା ବା ଲଢିନଥିବା ନେତା ସୁଯୋଗ ଦେଖି ଦଳବଦଳ କରିପାରନ୍ତି । ବିଜେପି, କଂଗ୍ରେସ ମଧ୍ୟ ସୁଯୋଗର ଫାଇଦା ଉଠାଇ ସେମାନଙ୍କ ଶକ୍ତି ବୃଦ୍ଧି ପାଇଁ ବିଜେଡି ନେତା ଓ କର୍ମୀଙ୍କୁ ଦଳକୁ ନେଇପାରନ୍ତି । ତେଣୁ ବିଜେଡି ପାଇଁ ଏବେ ସବୁଠାରୁ ଘଡିସନ୍ଧି ସମୟ । କଠିନ ସମୟକୁ ଦୃଢତାର ସହ ମୁକାବିଲା କରିବାକୁ ନବୀନ କେଉଁ ପଦକ୍ଷେପ ନେଉଛନ୍ତି, ତାଉପରେ ନଜର ରହିଛି।

Comments are closed.