Latest Odisha News

BREAKING NEWS

କିଏ ହେବେ ମୁଖ୍ୟମନ୍ତ୍ରୀ, ୨୦ ବିଜେପି ସାଂସଦଙ୍କ ମତ ଲୋଡିବାକୁ ଦିଲ୍ଲୀ ଡାକରା

ଭୁବନେଶ୍ୱର: ୮ ତାରିଖରେ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ୧୦ ତାରିଖରେ ଓଡ଼ିଶାର ବିଜେପି ସରକାରର ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିବେ। ତେବେ କିଏ ହେବେ ମୁଖ୍ୟମନ୍ତ୍ରୀ ଏହାକୁ ନେଇ ଚର୍ଚ୍ଚା ଜାରି ରହିଛି। ଏହାରି ଭିତରେ ସଂଧ୍ୟାରେ ଶୀର୍ଷ ନେତୃତ୍ବଙ୍କୁ ଭେଟିବେ ଦଳର ନବ ନିର୍ବାଚିତ ୨୦ ସାଂସଦ।

୨୦ ସାଂସଦଙ୍କ ମଧ୍ୟରୁ ଗତକାଲି କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ଲୋକସଭାରୁ ନିର୍ବାଚିତ ହୋଇଥିବା ଧର୍ମେନ୍ଦ୍ର ପ୍ରଧାନ ଦିଲ୍ଲୀରେ ଅଛନ୍ତି। ଏବେ ବାକି ସାଂସଦ ଦିଲ୍ଲୀ ଯିବେ। ଆଜି ସଂଧ୍ୟାରେ ଶୀର୍ଷ ନେତୃତ୍ୱଙ୍କୁ ଭେଟିବେ ସାଂସଦ ମାନେ। ସରକାର ଗଠନ ନେଇ ମତାମତ ନେଇପାରନ୍ତି ଦଳର ଶୀର୍ଷ ନେତୃତ୍ୱ। ରାଜ୍ୟରେ ବିଜେପି ସରକାରର ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ଚର୍ଚ୍ଚା ଭିତରେ ଆଜିର ଏହି ବୈଠକ ଗୁରୁତ୍ବ।

ଏହି ବୈଠକ ପରେ ସଂସଦୀୟ ବୋର୍ଡ ବୈଠକ ବସିବ। ତେଣୁ କିଏ ମୁଖ୍ୟମନ୍ତ୍ରୀ ହେବେ ତାକୁ ନେଇ ଆଲୋଚନା ହେବ। ନିର୍ବାଚିତ ସାଂସଦମାନଙ୍କର ଅଭିଜ୍ଞତା ମଧ୍ୟ ରହିଛି। ଯେଉଁଥିରେ ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀ, ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ଅନେକ ଅଭିଜ୍ଞ ନେତା ରହିଛନ୍ତି। ରାଜ୍ୟରେ ମୋଟ୍ ୨୧ ସାଂସଦଙ୍କ ମଧ୍ୟରୁ ବିଜେପି ଏକାକୀ ୨୦ ସାଂସଦ ବିଜୟୀ ହୋଇଥିବା ବେଳେ ସରକାର ଗଠନ କରିବା ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ମଧ୍ୟ ପାର କରିଛି। ଏବେ ବିଜେପିର ୭୮ ବିଧାୟକ ରହିଛନ୍ତି। ତିନି ସ୍ବାଧୀନ ବିଧାୟକ ମଧ୍ୟ ବିଜେପିକୁ ସମର୍ଥନ କରିବାର ସମ୍ଭାବନା ମଧ୍ୟ ରହିଛି।

ସମ୍ବାବିତ ମୁଖ୍ୟମନ୍ତ୍ରୀ ରେସରେ ସିଏଜି ଗିରୀଶ ଚନ୍ଦ୍ର ମୁର୍ମୁ, ଧର୍ମେନ୍ଦ୍ର ପ୍ରଧାନ, ବୈଜୟନ୍ତ ପଣ୍ଡା, ଅପରାଜିତା ଷଡ଼ଙ୍ଗୀ, ସୁରେଶ ପୂଜାରୀ, କେଭି ସିଂଦେଓ, ପ୍ରତାପ ଷଡ଼ଙ୍ଗୀଙ୍କ ନାଁ ଚର୍ଚ୍ଚା ହେଉଛି।

Comments are closed.