Latest Odisha News

ରାଜସ୍ଥାନରେ ବସୁନ୍ଧରାଙ୍କୁ ବିଜେପିର ଅଣଦେଖା, ବିରୋଧୀ କଂଗ୍ରେସକୁ ଦେଲା ସୁଯୋଗ?

ଜୟପୁର: ୨୦୧୪ରେ ସମସ୍ତ ୨୫ଟି ଲୋକସଭା ଆସନରେ ବିଜୟୀ ହୋଇଥିବା ବେଳେ ୨୦୧୯ରେ ୨୪ଟି ଆସନରେ ବିଜୟୀ ହୋଇଥିଲା ଭାରତୀୟ ଜନତା ପାର୍ଟି। କିନ୍ତୁ ବିଧାନସଭା ନିର୍ବାଚନ ଜିତିବାର ମାତ୍ର ୬ ମାସ ପରେ ରାଜସ୍ଥାନରେ ଖରାପ ପ୍ରଦର୍ଶନ କରିଛି ଏହି ଦଳ। ଏହାର କାରଣ କଣ ଏହାକୁ ନେଇ ତର୍ଜମା ଚାଲିଛି।

ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଅଣଦେଖା, ତାଙ୍କ ଉତ୍ତରାଧିକାରୀ ଭଜନ ଲାଲ ଶର୍ମାଙ୍କ ନିମ୍ନମାନର ପ୍ରଦର୍ଶନ ଏବଂ ଟିକେଟରୁ ବଞ୍ଚିତ ବ୍ୟକ୍ତିଙ୍କ ବିଦ୍ରୋହ ଏବଂ ନେତାମାନଙ୍କ ମଧ୍ୟରେ ମତଭେଦ ଆଦି ଅନେକ କାରଣପାଇଁ ଚଳିତ ସାଧାରଣ ନିର୍ବାଚନରେ ବିଜେପି ୧୩ଟି ଆସନ ଜିତିଥିବା କୁହାଯାଉଛି।

ଗତ ଡିସେମ୍ବର ମାସରେ ବିଜେପି ହାଇକମାଣ୍ଡ ରାଜସ୍ଥାନ ନିର୍ବାଚନରେ ବିଜୟୀ ହେବା ପରେ ପ୍ରଥମ ଥର ବିଧାୟକ ହୋଇଥିବା ଭଜନ ଲାଲ ଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିଥିଲେ। ତାଙ୍କର ‘ପ୍ରଶାସନିକ ଅନଭିଜ୍ଞତା’ ପାଓ୍ୱାର କରିଡରରେ ଚର୍ଚ୍ଚାର ବିଷୟ ପାଲଟିଛି।

ଗ୍ରୀଷ୍ମ ପ୍ରବାହ ମଧ୍ୟରେ ଜଳ ସଙ୍କଟକୁ ନେଇ ଭଜନ ଲାଲ ଶର୍ମାଙ୍କ ସରକାରରେ ମନ୍ତ୍ରୀ ଓ ବିଜେପିର ବରିଷ୍ଠ ନେତାମାନେ ସାର୍ବଜନୀନ ଭାବେ ତାଙ୍କ ଶାସନରେ ତ୍ରୁଟି ପ୍ରକାଶ କରୁଥିବାରୁ ଭଜନ ଲାଲ ଶର୍ମାଙ୍କୁ ଘର ଭିତରୁ ଅସନ୍ତୋଷର ବାତାବାରଣ ସାମ୍ନା କରିବାକୁ ପଡିଛି।

୨୦୦୩ରେ ରାଜସ୍ଥାନର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ହୋଇଥିବା ବସୁନ୍ଧରା ରାଜେଙ୍କୁ ଦୁଇ ଥର ମୁଖ୍ୟମନ୍ତ୍ରୀ କରିବାକୁ ଦଳର ଉଦ୍ଦେଶ୍ୟର ସ୍ପଷ୍ଟ ସଙ୍କେତ ଥିଲା। ଷ୍ଟାର ପ୍ରଚାରକ ହୋଇଥିଲେ ମଧ୍ୟ ୫ ଥର ସାଂସଦ ଓ ୬ ଥର ବିଧାୟକ ଥିବା ରାଜେ ନିର୍ବାଚନ ପ୍ରଚାରରେ ଅନୁପସ୍ଥିତ ରହିବା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ଦଳ ତାଙ୍କୁ ନିର୍ବାଚନ ସମ୍ବନ୍ଧୀୟ କୌଣସି ଦାୟିତ୍ୱ ଦେଇନଥିଲା, ତେଣୁ ପୁଅର ସ୍ୱାର୍ଥକୁ ଦୃଷ୍ଟିରେ ରଖି ସେ ନିଜକୁ ସୀମିତ ରଖିଥିଲେ। ସେ ପ୍ରଚାର କରିଥିଲେ କିନ୍ତୁ ମୁଖ୍ୟତଃ ତାଙ୍କ ପୁଅ ପାଇଁ ବୋଲି ବିଜେପିର ଜଣେ ବରିଷ୍ଠ ନେତା କହିଛନ୍ତି।

ଦଳର ଅନ୍ୟ ଜଣେ ନେତା କହିଛନ୍ତି ଯେ ରାଜେଙ୍କୁ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆୟୋଜିତ ଜନସଭାରେ ଯୋଗ ଦେବା ପାଇଁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରାଯାଇ ନଥିଲା। ଲୋକସଭା ନିର୍ବାଚନ ପାଇଁ ଫୋକସ ଥିଲେ ମୋଦୀ ଏବଂ ତାଙ୍କ ସହ ଏହାର କୌଣସି ସମ୍ପର୍କ ନାହିଁ କିମ୍ବା ତାଙ୍କୁ ଅସମ୍ମାନ କରାଯାଇନାହିଁ । ପୂରା ପ୍ରଚାର ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗ୍ୟାରେଣ୍ଟି କୁ ନେଇ ଥିଲା ବୋଲି ଅନ୍ୟ ଜଣେ ନେତା କହିଛନ୍ତି।

ଚଳିତ ନିର୍ବାଚନରେ ଦଳ ପକ୍ଷରୁ ପ୍ରାର୍ଥୀ ହୋଇଥିବା ବିଜେପିର ବର୍ତ୍ତମାନର ସାଂସଦମାନଙ୍କୁ ବିପୁଳ ପରିମାଣର ସରକାର ବିରୋଧୀ ହାଓ୍ବାର ସମ୍ମୁଖୀନ ହେବାକୁ ପଡ଼ିଥିଲା ଏବଂ ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମାଙ୍କ ‘ଅନଭିଜ୍ଞତା’ ମଧ୍ୟ ପ୍ରଚାରକୁ ପ୍ରଭାବିତ କରିଥିଲା ବୋଲି ବିଜେପି ନେତାମାନେ କହିଛନ୍ତି। ଯାହାର ଫାଇଦା ନେଇଛି କଂଗ୍ରେସ। ଦଳ ରାଜ୍ୟରେ ବିରୋଧୀ ଆସନରେ ଥିଲେ ମଧ୍ୟ ଶାସକ ଦଳର ଆଭ୍ୟନ୍ତରୀଣ ଅସନ୍ତୋଷର ଫାଇଦା ନେଇଛି। ଆଉ ୧୨ଟି ଲୋକସଭା ଆସନ ଜିତିବାରେ ସକ୍ଷମ ହୋଇଛି ବୋଲି କୁହାଯାଉଛି।

Comments are closed.