Latest Odisha News

BREAKING NEWS

ଆଜି ମଙ୍ଗନ କାଲି ବାହାଘର, ବିବାହ ବନ୍ଧନରେ ବାନ୍ଧି ହେବେ ହର-ଗୌରୀ

ଭୁବନେଶ୍ଵର: ଆଜି ମଙ୍ଗନ କାଲି ବାହାଘର । ବିବାହ ବନ୍ଧନରେ ବାନ୍ଧି ହେବେ ହର-ଗୌରୀ । ଆଜି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହର ଆଦ୍ୟ ପର୍ବ ମଙ୍ଗଳକୃତ୍ୟ ଅନୁଷ୍ଠିତ ହେବ । ମଙ୍ଗଳକୃତ୍ୟର ସମସ୍ତ ନୀତି ଆଜି ସନ୍ଧ୍ୟାଧୂପ ପରେ ଆରମ୍ଭ ହେବ । ଜୁନ ୧୦ ତାରିଖ ସକାଳୁ ୫ ତାରିଖ ରାତ୍ରି ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଶୀତଳ ଷଷ୍ଠୀ ପାଇଁ ନୀତି ନିର୍ଘଣ୍ଟ କରିଛି ମନ୍ଦିର ପ୍ରଶାସନ ।

ସୂଚନା ଅନୁସାରେ, ୧୦ ତାରିଖ ସକାଳେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ଓ ଅବକାଶ ନୀତି ସକାଳ ସାଢେ଼ ୬ ଟା ରେ ଅନୁଷ୍ଠିତ ହେବ। ଶାହାଣମେଳା ଦର୍ଶନ ସାଢ଼େ ୬ ଟାରୁ ସାଢ଼େ ୯ଟା, ମହାସ୍ନାନ ସକାଳ ୧୦ ଟା ,ସୂର୍ଯ୍ୟପୂଜା,ଦ୍ଵାରପାଳ ପୂଜା,ବଲ୍ଲଭ,ଠାକୁରାଣୀ ବଲ୍ଲଭ ୧୦ଟା ୨୦ ରୁ ୧୧ ଘଟିକା, ସକାଳ ଧୂପ ୧୧ ଟାରୁ ୧୨ଟା ୩୦ ପରେ ଅପରାହ୍ନ ୩ଟା ଯାଏ ସାହାଣ ମେଳା ଦର୍ଶନ ରହିଛି । ଏହା ପରେ ସନ୍ଧ୍ୟା ଧୂପ। ଏହାସହ ଠାକୁର ବିଜେ ସାନ୍ଧ୍ୟ ସାଢ଼େ ୬ ଟାରୁ ରହିଛି । ରାତ୍ର ୮ ଘଟିକାରେ ଶ୍ରୀ କପିଳନାଥ ବିଜେ ହେବା ପରେ ରାତ୍ର ୧୧ ଘଟିକାରେ ବରାନୁଗମନ କାର୍ଯକ୍ରମ ରହିଛି । ରାତ୍ର ୧୨ ଘଟିକାରେ ବିବାହ ଉତ୍ସବ ଅନୁଷ୍ଠିତ ହେବ । ଭୋର ୩ଟା ସୁଦ୍ଧା ହସ୍ତଗଣ୍ଠି ପଡ଼ି ବିବାହ ନୀତି ସମାପନ ହେବ । ଏହାପରେ ଦେବ ଦମ୍ପତି ଦିନ ତମାମ କେଦାରଗୌରୀ ପୀଠରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ । ମଙ୍ଗଳବାର ରାତି ୧୦ଟାରେ ମନ୍ଦିର ଅଭିମୁଖ ପ୍ରତ୍ୟାବର୍ତ୍ତନ କରିବେ ।

ଗତକାଲି ମନ୍ଦିର ପ୍ରଶାସନ ତରଫରୁ ବିବାହ ଉତ୍ସବରେ ୨୦୦ ଜଣ ବରଯାତ୍ରୀଙ୍କ ନିମନ୍ତେ ପ୍ରସାଦର ବ୍ୟବସ୍ଥା ହୋଇଛି । ସନ୍ଧ୍ୟାରେ ଶ୍ରୀଜିଉଙ୍କ ମନ୍ଦିର ସମ୍ମୁଖରେ ପ୍ରାୟ ୨୦୦୦ ଶ୍ରଦ୍ଧାଳୁଙ୍କ ନିମନ୍ତେ ସେବାୟତ ମାନଙ୍କ ଦ୍ୱାରା ଅନ୍ୟ ଏକ ଭୋଜି ଦିଆଯିବ । ସେହିପରି ମଙ୍ଗଳବାର ଶୀତଳଷଷ୍ଠୀ ଅବସରରେ ଗୌରୀଙ୍କ ପୀଠରେ ପ୍ରାୟ ୧୦,୦୦୦ ଶ୍ରଦ୍ଧାଳୁଙ୍କ ନିମନ୍ତେ ପ୍ରସାଦ ସେବନର ବ୍ୟବସ୍ଥା ହୋଇଛି ।

Comments are closed.