Latest Odisha News

ମୋହନ ସରକାର…ଆସୁ ଆସୁ ଆକ୍ସନ୍

ଭୁବନେଶ୍ବର: କ୍ଷମତାକୁ ଆସୁ ଆସୁ ଆକ୍ସନ୍ ମୋଡରେ ମୋହନ ସରକାର। ଶପଥ ଗ୍ରହଣ ସମାରୋହ ପରେ ନୂଆ ସରକାରର ପ୍ରଥମ  କ୍ୟାବିନେଟ୍ ବୈଠକରେ ହିଁ ରାଜ୍ୟବାସୀଙ୍କ ପାଇଁ ୪ଟି ବଡ ନିଷ୍ପତ୍ତି ନିଆଯାଇଛି। ରାଜ୍ୟ ସରକାରଙ୍କ ଅତିଥୀ ଭବନରୁ କାମ ଆରମ୍ଭ କରିଛନ୍ତି ନୂଆ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବିଜେପି ସରକାରର ପ୍ରଥମ ଶହେ ଦିନ ପାଇଁ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ କରାଯାଉଛି। ଲୋକଙ୍କ ବିଶ୍ବାସ ଜିତିବା ସହ ଲୋକଙ୍କ ପାଇଁ କାମ କରିବାକୁ ଫୁଲ୍ ସ୍ପିଡରେ ଆଗେଇ ଚାଲିଛି ମୋହନ ସରକାର।

ଖୋଲିଲା ଚାରି ଦୁଆର

ନିର୍ବାଚନ ବେଳେ କଥା ଦେଇଥିଲେ, ସରକାରକୁ ଆସିବା ପରେ ପୂରଣ କଲେ। ପ୍ରାୟ ୪ବର୍ଷ ଧରି କଷ୍ଟରୁ ମିଳିଲା ମୁକ୍ତି, ଏବେ ବିନା ବ୍ୟାରିକେଡ୍ ବାଧାରେ ଜଗା ଦର୍ଶନ। ଶପଥ ଗ୍ରହଣ ପରଦିନ ହିଁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରିମଣ୍ଡଳ ସଦସ୍ୟଙ୍କ ଉପସ୍ଥିତିରେ ରତ୍ନବେଦୀରେ ମହାପ୍ରଭୁଙ୍କ ଆଳତି ସରୁ ସରୁ ଭକ୍ତଙ୍କ ପାଇଁ ଖୋଲାଯାଇଥିଲା ଶ୍ରୀମନ୍ଦିର ଚାରିଦ୍ବାର। ବିଜେପି ସରକାରର ଏହି ପଦକ୍ଷେପରେ ଖୁସ୍ ଶ୍ରଦ୍ଧାଳୁ। ସେହିପରି ଶ୍ରୀମନ୍ଦିର ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ୫ଶହ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରାଯିବା ନିଷ୍ପତ୍ତିରେ ବାଜିଛି କ୍ୟାବିନେଟ୍ ମୋହର।

ଚାଷୀରୁ ମହିଳା…ବଡ଼ ନିଷ୍ପତ୍ତି

ଶପଥ ଗ୍ରହଣ ସମାରୋହ ପରେ ପ୍ରଥମ କ୍ୟାବିନେଟ୍ ବୈଠକରେ ହିଁ ବଡ ନିଷ୍ପତ୍ତି ନେଇଛନ୍ତି ମୋହନ ସରକାର। ଖୁବ୍ ଶୀଘ୍ର ଆସିବ ସମୃଦ୍ଧ କୃଷକ ନୀତି ଯୋଜନା। ଧାନର ଏମଏସପି ୩୧ଶହ ଟଙ୍କା ଦାବି ନେଇ ସମୀକ୍ଷା କରିବାକୁ କମିଟି ଗଠନ କରାଯିବ। କେନ୍ଦ୍ର ଏମଏସପି ବୃଦ୍ଧି କରିବାକୁ ରାଜି ହେଲେ ବି ରାଜ୍ୟ ସରକାରଙ୍କୁ କିଛି ଖର୍ଚ୍ଚ ବହନ କରିବାକୁ ପଡିପାରେ। ସମୃଦ୍ଧ କୃଷକ ନୀତିର ବିସ୍ତୃତ ମାର୍ଗଦର୍ଶିକା ପ୍ରସ୍ତୁତ କରିବାକୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନାକୁ ଫୋକସ୍ କରାଯାଇଛି। କେନ୍ଦ୍ର ସରକାରଙ୍କ ସୁଭଦ୍ରା ଯୋଜନା ରାଜ୍ୟରେ ଲାଗୁ କରିବାକୁ ନିର୍ବାଚନ ବେଳେ ପ୍ରତିଶ୍ରୁତି ଦେଇଥିଲା ବିଜେପି। ଏଥିରେ ମହିଳାଙ୍କୁ ଦୁଇବର୍ଷ ପାଇଁ ୫୦ହଜାର ଟଙ୍କାର ଭାଉଚର ମିଳିବ।

ଲୋକସେବା ଭବନକୁ ଗଲେ ସାମ୍ବାଦିକ

କୋଭିଡ୍ ସଂକ୍ରମଣ ସହ ୨୦୨୦ ମସିହାରୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଲୋକସେବା ଭବନକୁ ପ୍ରବେଶ ମନା ଥିଲା। ୪ବର୍ଷ ହେଲା ଲାଗିଥିଲା କଟକଣା । ତେବେ ନୂଆ ସରକାର ଶପଥ ଗ୍ରହଣ ପରେ ସାମ୍ବାଦିକଙ୍କ ପାଇଁ ଲୋକସେବା ଭବନ ଖୋଲିଛନ୍ତି। ନୂଆ ସରକାରର ପ୍ରଥମ କ୍ୟାବିନେଟ୍ ସହ ବଦଳିଛି ପଲିଟିକାଲ ରିପୋର୍ଟିଂ ଧାରା । ପୁଣି ଲୋକସେବା ଭବନକୁ ଯାଇଛନ୍ତି ଗଣମାଧ୍ୟମ ପ୍ରତିନିଧି ।

ଅତିଥି ଭବନରେ ଅସ୍ଥାୟୀ ସିଏମଓ

ରାଜ୍ୟ ସରକାରଙ୍କ ଅତିଥି ଭବନରୁ କାମ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ବିଜେପି ସରକାରର ପ୍ରଥମ ଶହେ ଦିନର କାର୍ଯ୍ୟକ୍ରମ ପାଇଁ ଆକ୍ସନ୍ ପ୍ଲାନ୍ ପ୍ରସ୍ତୁତ ହେଉଛି । ପ୍ରଥମ ଶହେ ଦିନରେ ରାଜ୍ୟ ସରକାର କେଉଁ ନିଷ୍ପତ୍ତି ନେବେ, ସେନେଇ ଅଫିସରଙ୍କ ସହ ପ୍ରାରମ୍ଭିକ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ବିଜେପି ସଂକଳ୍ପ ପତ୍ର ଆଧାରରେ ଶହେ ଦିନର କାର୍ଯ୍ୟସୂଚୀ ପ୍ରସ୍ତୁତ କରିବାକୁ କୁହାଯାଇଛି । ବିଧାନସଭା ଅଧିବେଶନ ନେଇ ସଂସଦୀୟ ବ୍ୟାପାର ବିଭାଗ ସଚିବ ଓ ବିଧାନସଭା ସଚିବଙ୍କ ସହ ବିଚାର ବିମର୍ଶ କରିଛନ୍ତି।

କୈଫତ୍ ମାଗିଲେ ମୁଖ୍ୟମନ୍ତ୍ରୀ

ରାଜ୍ୟର ବିଭିନ୍ନ ବିଭାଗ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ଢିଲା ପ୍ରଶାସନିକ ବ୍ୟବସ୍ଥାକୁ ନେଇ ସେ ଅଫିସରଙ୍କୁ ତାଗିଦ୍ କରିଥିବା ଜଣାପଡିଛି। କାହିଁକି ରାଜ୍ୟରେ ପ୍ରଶାସନିକ ସ୍ଥିତି ହୁଗୁଳା ହେଲା, ସେନେଇ କୈଫତ୍ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରଶାସନିକ ଅବ୍ୟବସ୍ଥା ନେଇ ସେ ଅସନ୍ତୋଷ ପ୍ରକାଶ କରିବା ପରେ ରାଜ୍ୟରେ ଅଫିସରସ୍ତରରେ ବଡ଼ ଧରଣର ଅଦଳବଦଳ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ପୂର୍ବ ବିଜେଡି ସରକାରକୁ ନେଇ ପ୍ରବଳ ଜନଅସନ୍ତୋଷ ରହିଥିଲା। ବେକାରୀ ହେଉ କି ଦୁର୍ନୀତି, ଲୋକଙ୍କ ପ୍ରସଙ୍ଗକୁ ନେଇ ନିର୍ବାଚନ ଲଢିଥିଲା ବିଜେପି। ଜନତା ବି ବିଜେପିକୁ ବିଶ୍ବାସ କରି କ୍ଷମତାରେ ବସାଇଛନ୍ତି। ଚାଷୀ ଓ ମହିଳା ସ୍ବାର୍ଥରେ ନିଷ୍ପତ୍ତି ନେବା ସହ ବରପୁତ୍ରଙ୍କ ସମ୍ମାନ ଓ ଶ୍ରୀଜଗନ୍ନାଥ ମନ୍ଦିର ଚାରିଦ୍ବାର ଖୋଲି ଓଡିଆ ଅସ୍ମିତା, ଶାସନ ବ୍ୟବସ୍ଥାରେ ସ୍ବଚ୍ଛତା ନେଇ ପ୍ରାଥମିକ ପର୍ଯ୍ୟାୟରେ ନାରେଟିଭ୍ ପ୍ରସ୍ତୁତ କରିବାରେ ସଫଳ ହୋଇଛନ୍ତି ମୋହନ ସରକାର। ଲୋକଙ୍କ ପାଖରେ ପହଞ୍ଚିବେ, ୫ବର୍ଷରେ ୫୦ବର୍ଷର ବଳକା କାମ କରିବେ ବୋଲି ମୋହନ ମାଝୀ କହିଛନ୍ତି । ତେବେ, ବିକାଶକୁ କେତେ ବାଟ ଆଗେଇ ନେବ ଡବଲ ଇଞ୍ଜିନ ସରକାର? ଲୋକଙ୍କ ହୃଦୟ କେମିତି ଜିତିବେ? ବିଜେପି ସରକାର ଲୋକଙ୍କ ଆଶାକୁ କେତେ ପୂରଣ କରିପାରିବେ? ବିକାଶର ପ୍ରତିଶ୍ରୁତି କେତେ ପାଳନ କରିବେ?

Comments are closed.