Latest Odisha News

BREAKING NEWS

ଜଙ୍ଗଲରୁ ଛୁଆ ଦନ୍ତାର ମୃତଦେହ ଠାବ, ମତ୍ୟୁର କାରଣ ଆସ୍ପଷ୍ଟ

କଟକ: ଗତକାଲି ବଡ଼ମ୍ବା ରେଞ୍ଜରେ ତିନିଟି ହାତୀ ଏକ ନାଳରେ ଫସି ଯାଇଥିବା ଖବର ସାମ୍ନାକୁ ଆସିଥିଲା। ଆଉ ଆଜି କଟକ ଜିଲ୍ଲା ଆଠଗଡ଼ ବନାଞ୍ଚଳ ଜେନାପଦା ବିଟ୍‌ ଅନ୍ତର୍ଗତ ସୋରିଶପାଳ ସଂରକ୍ଷିତ ଜଙ୍ଗଲ ନିକଟରେ ଏକ ଦନ୍ତାହାତୀର ମୃତଦେହ ଠାବ କରାଯାଇଛି। ହାତୀଟିର ବୟସ ୫ରୁ ୬ ବର୍ଷ ଥିବା ଜଣାପଡିଛି।

ଆଠଗଡ଼ ଡିଏଫଓ ଯଜ୍ଞଦତ୍ତଙ୍କ କହିବା ଅନୁସାରେ ମୃତ ହାତୀଟିର ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ। ବିଦ୍ୟୁତ୍ ଆଘାତ ଜନିତ କ୍ଷତ ମଧ୍ୟ ତା’ ଦେହରେ ନାହିଁ। ତେବେ କେଉଁ କାରଣରୁ ଛୁଆ ହାତୀର ମୃତ୍ୟୁ ଘଟିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ଘଟଣାସ୍ଥଳରେ ଆଠଗଡ଼ ବନବିଭାଗ ଅଧିକାରୀଙ୍କ ସହିତ ପ୍ରାଣୀ ଚିକିତ୍ସିକ ପହଞ୍ଚି ଯାଞ୍ଚ କରିଛନ୍ତି। ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି।

ସେହିପରି ମୃତ ହାତୀର ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ହାତୀର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ। କୌଣସି ରୋଗରୁ ତା’ର ମୃତ୍ୟୁ ହୋଇଛି ନା ପ୍ରାକୃତିକ କାରଣରୁ ମୃତ୍ୟୁ ଘଟିଛି, ତାହା ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଜଣାପଡ଼ିବ ବୋଲି କହିଛନ୍ତି ବନବିଭାଗ ଅଧିକାରୀ।

 

Comments are closed.