Latest Odisha News

BREAKING NEWS

ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ ସୁରମା ପାଢୀ

ଭୁବନେଶ୍ବର: ବିଧାନସଭାରେ ସରିଲା ବିଜେପି ବିଧାୟକ ଦଳ ବୈଠକ । ବିଜେପି ବିଧାୟକ ଦଳଙ୍କ ସମ୍ମତି କ୍ରମେ ବାଚସ୍ପତି ପାଇଁ ମନୋନୀତ ହେଲେ ବିଧାୟିକା ସୁରମା ପାଢୀ । ଏହା ସହିତ ବାଚସ୍ପତି ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ବୁଧବାର ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବିଧାନସଭା ୫୪ ନମ୍ବର ପ୍ରକୋଷ୍ଠରେ ବିଜେପି ବିଧାୟକ ଦଳ ବୈଠକ ବସିଥିଲା । ଆସନ୍ତାକାଲି ବାଚସ୍ପତି ନିର୍ବାଚନ ରହିଥିବାରୁ ବିଧାୟକ ଦଳ ବୈଠକ କରି ବାଚସ୍ପତି ପ୍ରାର୍ଥୀ ଚୟନ କରାଯାଇଛି । ରଣପୁର ବିଧାୟିକା ସୁରମା ପାଢୀଙ୍କ ନାଁ ରେ ମୋହର ବାଜିଛି ।

ସେପଟେ ନାମାଙ୍କନ ପତ୍ର ଦାଖଲ ପାଇଁ ନିର୍ଦ୍ଧାରିତ ସମୟ ଦିନ ୧୨ ସୁଦ୍ଧା ଅନ୍ୟ କୌଣସି ପ୍ରାର୍ଥୀ ନାମାଙ୍କନ ଭରି ନଥିବାରୁ ସୁରମା ପାଢୀ ବାଚସ୍ପତି, ଏହା ନିଶ୍ଚିତ । ଖାଲି ଘୋଷଣା ବାକି ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ରାଜ୍ୟ ବିଜେପିର ଅନ୍ୟତମ ମହିଳା ଚେହେରା ସୁରମା ପାଢୀ ରଣପୁରରୁ ବିଧାୟିକା ଭାବେ ନିର୍ବାଚିତ ହୋଇଛନ୍ତି । ୨୦୦୪ ମସିହାରେ ପ୍ରଥମ ଥର ପାଇଁ ରଣପୁରରୁ ଜିତିଥିଲେ ସୁରମା । ୨୦୦୪ରୁ ୨୦୦୯ ଯାଏ ସେ ବିଧାୟିକା ରହିଥିଲେ । ଦଳର ବିଭିନ୍ନ ସାଂଗଠନିକ କାମରେ ସବୁବେଳେ ଆଗରେ ରହିଛନ୍ତି ସୁରମା। ଦଳର ବରିଷ୍ଠ ନେତ୍ରୀ ସୁରମା ପାଢୀ ରାଜ୍ୟର ବିଭିନ୍ନ ପ୍ରସଙ୍ଗରେ ଦଳର ଆଭିମୁଖ୍ୟ ରଖିଛନ୍ତି । ଏହା ସହିତ ବିଜେପି-ବିଜେଡି ମେଣ୍ଟ ସରକାରରେ ସେ ସମବାୟ ମନ୍ତ୍ରୀ ମଧ୍ୟ ରହିଥିଲେ ।

Comments are closed.