Latest Odisha News

BREAKING NEWS

‘କିସ୍’କୁ ଜଙ୍ଗଲ ଜମି ହସ୍ତାନ୍ତର: ରୋକ୍ ଲଗାଇଲେ କେନ୍ଦ୍ର ସରକାର

ଭୁବନେଶ୍ବର; କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନ୍ସେସ(କିସ୍)କୁ ଜଙ୍ଗଲ ଜମି ହସ୍ତାନ୍ତର ପ୍ରକ୍ରିୟାକୁ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର।  କୌଣସି ସ୍ପଷ୍ଟୀକରଣ ନମିଳିବା ପର୍ଯ୍ୟନ୍ତ କିସ୍ କୁ ଜଙ୍ଗଲ ଜମି ହସ୍ତାନ୍ତର ନକରିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ । ଏନେଇ ଜୁନ୍ ୨୧ରେ ମୁଖ୍ୟ ଶାସନ ସଚିବ ଓ ଖୋର୍ଦ୍ଧା ଜିଲ୍ଲାପାଳ ପାଇଛନ୍ତି ଚିଠି ।

ରାଜସ୍ୱ ଜଙ୍ଗଲ ଜମି କିସ୍ କୁ ହସ୍ତାନ୍ତର କରିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ଏହି ପ୍ରକ୍ରିୟା ବେଳେ ଜଙ୍ଗଲ ଅଧିକାର ଆଇନକୁ ସଠିକ୍ ଭାବରେ ପାଳନ କରାଯାଇନଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କ ଠାରୁ ସ୍ପଷ୍ଟୀକରଣ ମାଗିଛନ୍ତି । ଯେ ପର୍ଯ୍ୟନ୍ତ ଆଦିବାସୀ ବ୍ୟାପାର ମନ୍ତ୍ରଣାଳୟକୁ ଆବଶ୍ୟକ ସ୍ପଷ୍ଟୀକରଣ ନ ମିଳିଛି କିମ୍ବା ଆନୁଷ୍ଠାନିକ ମଞ୍ଜୁରୀ ପ୍ରଦାନ ନକରାଯାଇଛି, ସେ ପର୍ଯ୍ୟନ୍ତ ପ୍ରକ୍ରିୟା ସ୍ଥଗିତ ରଖିବାକୁ କୁହାଯାଇଛି ।

ଆଦିବାସୀ ମନ୍ତ୍ରଣାଳୟର ଚିଠି ପାଇବା ପରେ ଜଙ୍ଗଲ ଜମିର ସ୍ଥିତି କ’ଣ? ଏହା କିସ୍ କୁ ପ୍ରଦାନ କରାଯାଇଛି କି ନାହିଁ ସେ ବିଷୟରେ ଅବଗତ ନଥିବା ଖୋର୍ଦ୍ଧା ଜିଲ୍ଲାପାଳ କହିଛନ୍ତି। ପୂର୍ବ କେସ୍ ରେକର୍ଡ ଷ୍ଟଡି କରାଯାଉଛି । ଏହି ମାମଲାରେ ବାସ୍ତବରେ କ’ଣ ହୋଇଛି ତାହାର ତଦନ୍ତ କରାଯିବ । ଆବଶ୍ୟକ ଅନୁଯାୟୀ ସଂପୃକ୍ତ ବିଭାଗରୁ ସ୍ପଷ୍ଟୀକରଣ ମଧ୍ୟ ନିଆଯିବ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଲ ରାଣା କହିଛନ୍ତି। ସେପଟେ ଏନେଇ କିସ୍ କୁ କୌଣସି ଯୋଗାଯୋଗ କରାଯାଇନଥିବା କହିଛନ୍ତି କିସ୍ ମୁଖପାତ୍ର ।

ସୂଚନାଯୋଗ୍ୟ, ଅଗଷ୍ଟ ୨୦୨୧ ରେ, ଚନ୍ଦକା ବିଭାଗୀୟ ବନ ଅଧିକାରୀ, ବନ୍ୟପ୍ରାଣୀ ୱାର୍ଡେନ, ଚନ୍ଦକା ବନ୍ୟପ୍ରାଣୀ ବିଭାଗ କାର୍ଯ୍ୟାଳୟ, ଖୋର୍ଦ୍ଧା ଜିଲ୍ଲାର ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଶିକ୍ଷା ବିକାଶ ନେଇ କିସ୍ କୁ ୪ହେକ୍ଟର ସରକାରୀ ରାଜସ୍ୱ ଜଙ୍ଗଲ ଜମି ବିନିଯୋଗ ପ୍ରସ୍ତାବ ଉପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ପାଇଁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ ।

Comments are closed.