Latest Odisha News

BREAKING NEWS

କୋଷାଗାର ନିର୍ଦ୍ଦେଶାଳୟ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ ଅନୁଷ୍ଠିତ

ପ୍ରଶଂସା ସାଉଁଟିଲା ସାମାଜିକ ନାଟକ ‘ଅକାହାଣୀ’

ଭୁବନେଶ୍ୱର : କୋଷାଗାର ନିର୍ଦ୍ଦେଶାଳୟ ସାଂସ୍କୃତିକ ପରିଷଦର ପଞ୍ଚଦଶତମ ବାର୍ଷିକ ଉତ୍ସବ ମହାସମାରୋହରେ ସ୍ଥାନୀୟ ରବିନ୍ଦ୍ର ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଓଡ଼ିଶା ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେ ମୁଖ୍ୟ ଅତିଥି , ଅର୍ଥ ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଯାମିନୀ ଷଡଙ୍ଗୀ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।

ସାଂସ୍କୃତିକ ଉତ୍ସବ ଆମ ଜୀବନଚର୍ଯ୍ୟାକୁ ଋଦ୍ଧିମନ୍ତ ଏବଂ ଭ୍ରାତୃଭାବକୁ ସୁଦୃଢ କରିଥାଏ । ଜୀବନକୁ ଏହା ଆମୋଦଦାୟକ ଏବଂ ଅର୍ଥପୂର୍ଣ୍ଣ କରିଥାଏ । ନିଜ ଈପସିତ ସ୍ୱପ୍ନ ପୂରଣ ପାଇଁ ଏହା ନୂତନ ଆଶା ଓ ଶକ୍ତିର ସଞ୍ଚାର କରିଥାଏ ବୋଲି ଶ୍ରୀ କୁମାର ଦେବ ମତବ୍ୟକ୍ତ କରିଥିଲେ ।

ଦୁଇଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହେବାକୁ ଥିବା ବେଳେ ଅତିଥିମାନଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ଜ୍ୱଳନ ଓ ମନ୍ତ୍ରପାଠ ମଧ୍ୟରେ ଆନୁଷ୍ଠାନିକ ଉଦଘାଟନ କାର୍ଯ୍ୟକ୍ରମ ସମ୍ପାଦିତ ହୋଇଥିଲା । ପରେ ପରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ବନ୍ଦେ ଉତ୍କଳ ଜନନୀ ଗାନ ଏବଂ କୋଷାଗାର ନିର୍ଦ୍ଦେଶାଳୟ ସାଂସ୍କୃତିକ ପରିଷଦର କାର୍ଯ୍ୟକାରୀ ସଭାପତିଗୋବର୍ଦ୍ଧନ ସାହୁଙ୍କ ଦ୍ୱାରା ସ୍ୱାଗତ ଅଭିଭାଷଣ ପ୍ରଦାନ କରାଯାଇଥିଲା । ପରିଷଦର ସମ୍ପାଦକ ଅନୁପ କୁମାର ମହାନ୍ତି ବାର୍ଷିକ ବିବରଣୀ ପାଠ କରିଥିଲେ । ମଞ୍ଚାସୀନ ଅତିଥିମାନଙ୍କୁ ଉପଢୌକନ ଏବଂ ଉତ୍ତରୀୟ ପ୍ରଦାନପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ପରିଷଦ ପକ୍ଷରୁ ପ୍ରକାଶିତ ସ୍ମରଣିକା ‘ପୁଣ୍ୟତୋୟା’କୁ ଅତିଥିମାନେ ଉନ୍ମୋଚନ କରିଥିବା ବେଳେ ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାରେ ସଫଳ ହୋଇଥିବା କୃତୀ ପ୍ରଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା । ପରେ ପରେ ପରିବେଷିତ ସାମାଜିକ ନାଟକ ‘ଅକାହାଣୀ’ର ବିଷୟବସ୍ତୁ ଓ କଳାକାରମାନଙ୍କ ଉଚ୍ଚକୋଟୀର ଅଭିନୟ ଦର୍ଶକମାନଙ୍କ ଦ୍ୱାରା ଆଦୃତ ହେବା ସହ ବେଶ ପ୍ରଶଂସା ସାଉଁଟିଥିଲା ।

ଏହି ସମାରୋହରେ ବିଭାଗର ଯୁଗ୍ମ ନିର୍ଦ୍ଦେଶିକା ହରପ୍ରିୟା ପାଣିଗ୍ରାହୀ ମଞ୍ଚ ସଞ୍ଚାଳନ କରିଥିଲେ ଏବଂ ଅପରାଜିତା ବେସନ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.