Latest Odisha News

BREAKING NEWS

ହୋମ୍‌ ଟିମକୁ ସୁହାଇନାହିଁ ଟି-୨୦ ବିଶ୍ୱକପ୍‌

ନୂଆଦିଲ୍ଲୀ: ଆଇସିସି ଟି-୨୦ ବିଶ୍ୱକପରୁ ବିଦାୟ ନେଇଛି ଆୟୋଜକ ୱେଷ୍ଟଇଣ୍ଡିଜ୍ ଟିମ୍ । ସୁପର ଏଇଟ୍ ପର୍ଯ୍ୟାୟରୁ ବିଦାୟ ନେଇଛି କାରିବିୟାନ ଟିମ୍ । କର ବା ମର ମ୍ୟାଚରେ ୨୦୧୨ ଓ ୨୦୧୬ ସଂସ୍କରଣର ଚାମ୍ପିଅନ ୱେଷ୍ଟଇଣ୍ଡିଜ ଦକ୍ଷିଣ ଆଫ୍ରିକାଠାରୁ ହାରି ଟୁର୍ଣ୍ଣାମେଂଟରୁ ବିଦାୟ ନେଇଛି । ପୂର୍ବରୁ ସହ ଆୟୋଜକ ଆମେରିକାର ଅଭିଯାନ ମଧ୍ୟ ସୁପର ଏଇଟରେ ଶେଷ ହୋଇଥିଲା ।

ୱେଷ୍ଟଇଣ୍ଡିଜର ବିଦାୟ ସହ ପୁଣି ଥରେ ଆଇସିସି ଟି-୨୦ ବିଶ୍ୱକପ ଆୟୋଜକ ଦଳ ପାଇଁ ଅଶୁଭ ସାବ୍ୟସ୍ତ ହୋଇଛି । ଆଜି ଯାଏଁ କୌଣସି ଆୟୋଜକ ଦଳ ଟି-୨୦ ବିଶ୍ୱକପ୍ ଜିତିପାରିନାହାନ୍ତି । ଏ କ୍ଷେତ୍ରରେ ଆମେ ସହ ଆୟୋଜକ ନବାଗତ ତଥା ଅନଭିଜ୍ଞ ଆମେରିକା ଟିମକୁ ବିଚାରକୁ ନେବା ନାହିଁ ।

୨୦୦୭ରେ ଟି-୨୦ ବିଶ୍ୱକପର ଉଦଘାଟନୀ ସଂସ୍କରଣ ଦକ୍ଷିଣ ଆଫ୍ରିକାରେ ଆୟୋଜିତ ହୋଇଥିଲା । କିନ୍ତୁ ସେମିଫାଇନାଲରେ ମଧ୍ୟ ପହଂଚି ପାରିନଥିଲା ଦକ୍ଷିଣ ଆଫ୍ରିକା । ସୁପର ଏଇଟ ପର୍ଯ୍ୟାୟରୁ ବିଦାୟ ନେଇଥିଲା ଦଳ । ସେହି ସଂସ୍କରଣରେ ଚାମ୍ପିଅନ ହୋଇଥିଲା ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ।

ଟି-୨୦ ବିଶ୍ୱକପର ପରବର୍ତ୍ତୀ ସଂସ୍କରଣର ଆୟୋଜକ ଥିଲା ଇଂଲଣ୍ଡ । ସର୍ବପ୍ରଥମେ ଇଂଲଣ୍ଡରେ ହିଁ ଟି-୨୦ କ୍ରିକେଟର ପ୍ରଚଳନ ଆରମ୍ଭ ହୋଇଥିଲା । ସେ ଦୃଷ୍ଟିରୁ ଆୟୋଜକ ଇଂଲଣ୍ଡକୁ ଟାଇଟଲ ଫେଭରିଟ ମନେ କରାଯାଉଥିଲା । କିନ୍ତୁ ଘରୋଇ ମାଟିରେ ବିଶ୍ୱକପ୍ ଜିତିପାରିନଥିଲା ଟି-୨୦ କ୍ରିକେଟର ଜନ୍ମଦାତା ଇଂଲଣ୍ଡ ଦଳ । ସୁପର ଏଇଟ୍ ପର୍ଯ୍ୟାୟରୁ ହିଁ ଶେଷ ହୋଇଥିଲା ଇଂଲଣ୍ଡର ଅଭିଯାନ । ଏହି ସଂସ୍କରଣରେ ପାକିସ୍ତାନ ଟିମ ଚାମ୍ପିଅନ ହୋଇଥିଲା ।

୨୦୧୦ ଟି-୨୦ ବିଶ୍ୱକପ୍ ୱେଷ୍ଟଇଣ୍ଡିଜରେ ଆୟୋଜିତ ହୋଇଥିଲା । କିନ୍ତୁ ପୂର୍ବ ଦୁଇ ସଂସ୍କରଣ ଭଳି ଏଥର ମଧ୍ୟ ଆୟୋଜକ ଦଳକୁ ନିରାଶ ହେବାକୁ ପଡିଥିଲା । ନକ୍ ଆଉଟ ରାଉଣ୍ଡକୁ ମଧ୍ୟ ଯାଇ ପାରିନଥିଲା ଇଣ୍ଡିଜ୍ ଟିମ୍ । ସୁପର ଏଇଟ ପର୍ଯ୍ୟାୟରେ ହିଁ ଶେଷ ହୋଇଥିଲା ଆୟୋଜକ କାରିବିୟାନ ଟିମର ଅଭିଯାନ । ଏହି ସଂସ୍କରଣରେ ଇଂଲଣ୍ଡ ହୋଇଥିଲା ଚାମ୍ପିଅନ ।

ଶ୍ରୀଲଙ୍କାରେ ଆୟୋଜିତ ହୋଇଥିଲା ୨୦୧୨ ଟି-୨୦ ବିଶ୍ୱକପ୍ । ସେତେବେଳର ଶ୍ରୀଲଙ୍କା ଟିମ୍ ଥିଲା ବେଶ୍ ଶକ୍ତିଶାଳୀ । ଘରୋଇ ମାଟିରେ ବି ଶ୍ରୀଲଙ୍କାର ରେକର୍ଡ ଅପେକ୍ଷାକୃତ ଭଲ ଥିଲା । ତେଣୁ ଆୟୋଜକ ଶ୍ରୀଲଙ୍କା ଥିଲା ଟାଇଟଲର ପ୍ରମୁଖ ଦାବିଦାର । ହେଲେ ଦଳକୁ ଅଳ୍ପରେ ଟାଇଟଲରୁ ବଂଚିତ ହୋଇଥିଲା । ଫାଇନାଲରେ ୱେଷ୍ଟ ଇଣ୍ଡିଜଠାରୁ ପରାସ୍ତ ହୋଇ ରନର୍ସ ଅପ୍ ହୋଇଥିଲା ଶ୍ରୀଲଙ୍କା । ଟି-୨୦ ବିଶ୍ୱକପ୍ ଆୟୋଜନ କରିଥିବା ଯେ କୌଣସି ଦେଶର ଏହା ଶ୍ରେଷ୍ଠ ପ୍ରଦର୍ଶନ ହୋଇ ରହିଛି ।

୨୦୧୪ ବିଶ୍ୱକପର ଆୟୋଜକ ଥିଲା ବାଂଲାଦେଶ । ଆୟୋଜକ ଦେଶ ହେଲେ ମଧ୍ୟ ବାଂଲାଦେଶ ଟାଇଟଲ ଦାବିଦାର ମଧ୍ୟରେ ନଥିଲା । ହେଲେ ଦଳ ନକଆଉଟ ପର୍ଯ୍ୟାୟକୁ ଯାଇପାରେ ବୋଲି ଆଶା କରାଯାଉଥିଲା । କିନ୍ତୁ ସୁପର ଏଇଟରେ ହିଁ ଶେଷ ହୋଇଥିଲା ବାଂଲାଦେଶର ଅଭିଯାନ । ଶ୍ରୀଲଙ୍କା ଏହି ସଂସ୍କରଣରେ ଚାମ୍ପିଅନ ହୋଇଥିଲା ।

୨୦୧୬ ଟି-୨୦ ବିଶ୍ୱକପର ଆୟୋଜକ ଥିଲା ଭାରତ । ଘରୋଇ ମାଟିରେ ମହେନ୍ଦ୍ର ସିଂହ ଧୋନିଙ୍କ ଟିମ୍ ଇଣ୍ଡିଆ ୨୦୦୭ର ସଫଳତାର ଦୋହରାଇବ ବୋଲି ଆଶା ବାନ୍ଧିଥିଲେ ଦେଶର କୋଟି କୋଟି କ୍ରିକେଟ ପ୍ରେମୀ । କିନ୍ତୁ ସେମିଫାଇନାଲରେ ୱେଷ୍ଟଇଣ୍ଡିଜଠାରୁ ହାରି ବିଦାୟ ନେଇଥିଲା ଟିମ୍ ଇଣ୍ଡିଆ । ୱେଷ୍ଟଇଣ୍ଡିଜ ହିଁ ହୋଇଥିଲା ଚାମ୍ପିଅନ ।

୨୦୨୧ରେ ଭାରତ ଥିଲା ଟି-୨୦ ବିଶ୍ୱକପର ଆୟୋଜକ । କିନ୍ତୁ କୋରୋନା ମହାମାରୀ ଯୋଗୁଁ ୟୁଏଇରେ ଖେଳାଯାଇଥିଲା ବିଶ୍ୱକପ୍ । ହେଲେ ଭାରତ ହିଁ ଥିଲା ଆୟୋଜକ । କିନ୍ତୁ ଏଥର ମଧ୍ୟ ଆୟୋଜକ ଦେଶ ଟାଇଟଲ ଜିତିବାରେ ବିଫଳ ହେଲା । ଭାରତର ଅଭିଯାନ ଗ୍ରୁପ୍ ପର୍ଯ୍ୟାୟରେ ହିଁ ଶେଷ ହୋଇଥିଲା । ଅଷ୍ଟ୍ରେଲିଆ ହୋଇଥିଲା ଚାମ୍ପିଅନ ।

୨୦୨୨ରେ ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ଆୟୋଜନ କରିଥିଲା ଟି-୨୦ ବିଶ୍ୱକପ୍ । ଟାଇଟଲ ଦାବିଦାରଙ୍କ ମଧ୍ୟରେ ଅଷ୍ଟ୍ରେଲିଆ ଥିଲା ଆଗରେ । କିନ୍ତୁ କଙ୍ଗାରୁ ଟିମର୍ ପ୍ରଦର୍ଶନ ଥିଲା ଅତି ନିରାଶାଜନକ । ଏକାଧିକ ଷ୍ଟାର ପ୍ଲେୟାରଙ୍କ ଉପସ୍ଥିତି ସତ୍ତ୍ୱେ ଗ୍ରୁପ୍ ପର୍ଯ୍ୟାୟରୁ ଆଗକୁ ଯାଇ ପାରିନଥିଲା ଅଷ୍ଟ୍ରେଲିଆ । ଏହି ସଂସ୍କରଣରେ ଚାମ୍ପିଅନ ହୋଇଥିଲା ଇଂଲଣ୍ଡ ।

ଏ ପର୍ଯ୍ୟନ୍ତ ଟି-୨୦ ବିଶ୍ୱକପ୍ ଆୟୋଜନ କରିଥିବା ଦେଶଗୁଡିକ ମଧ୍ୟରେ କେବଳ ଶ୍ରୀଲଙ୍କା ଓ ଭାରତର ରେକର୍ଡ ହିଁ ଅନ୍ୟ ଆୟୋଜକଙ୍କଠାରୁ ଭଲ ରହିଛି । ୨୦୧୨ରେ ଆୟୋଜକ ଶ୍ରୀଲଙ୍କା ଫାଇନାଲ ଖେଳିଥିଲା ଓ ୨୦୧୬ରେ ଆୟୋଜକ ଭାରତ ସେମିଫାଇନାଲ ପର୍ଯ୍ୟନ୍ତ ଯାଇପାରିଥିଲା ।

Comments are closed.