ମୁମ୍ବାଇ: ବ୍ୟାଙ୍କ ଋଣ ମାମଲାରେ ପଳାତକ ବିଜୟ ମାଲ୍ୟାଙ୍କ ବିରୋଧରେ ଏନ୍ବିଡବ୍ଲ୍ୟୁ ଜାରି କରାଯାଇଛି। ମୁମ୍ବାଇର ଏକ ସ୍ବତନ୍ତ୍ର ସିବିଆଇ କୋର୍ଟ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି। ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କରୁ ୧୮୦ କୋଟି ଋଣ ମାମଲାରେ ଏହି ଏନ୍ବିଡବ୍ଲ୍ୟୁ ଜାରି କରାଯାଇଛି।
ଜୁନ ୨୯ରେ କୋର୍ଟ ମାଲ୍ୟାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଥିଲେ, କିନ୍ତୁ ଜୁଲାଇ ୧ ଏହାର ଆଦେଶ ଉପଲବ୍ଧ ହୋଇଛି। ସିବିଆଇର ଯୁକ୍ତି ଶୁଣିବା ପରେ ଏବଂ ବିଜୟ ମାଲ୍ୟାଙ୍କ ପଳାତକ ସ୍ଥିତି ଆଧାରରେ କୋର୍ଟ କହିଛନ୍ତି ଯେ, ମାଲ୍ୟାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିବା ପାଇଁ ଏହି ମାମଲା ସମ୍ପୂର୍ଣ୍ଣ ଉପଯୁକ୍ତ। ତେଣୁ କୋର୍ଟରେ ତାଙ୍କର ଉପସ୍ଥିତି ନିଶ୍ଚିତ ହୋଇପାରିବ।
ସିବିଆଇ କୋର୍ଟ ଶୁଣାଣି ସମୟରେ କହିଛି, ତଦନ୍ତରୁ ଜଣାପଡିଛି ଯେ ଦେବାଳିଆ ଏୟାରଲାଇନ୍ସ କିଙ୍ଗଫିସର ପ୍ରମୋଟର ବିଜୟ ମାଲ୍ୟା ଜାଣିଶୁଣି ସରକାରୀ ବ୍ୟାଙ୍କରୁ ନିଆଯାଇଥିବା ୧୮୦ କୋଟି ଟଙ୍କା ଋଣ ପରିଶୋଧ କରିନାହାଁନ୍ତି। ବିଜୟ ମାଲ୍ୟା ୨୦୦୭ରୁ ୨୦୧୨ ମଧ୍ୟରେ ଋଣ ନେଇଥିଲେ। ଇଡି ଦ୍ୱାରା ଅନୁସନ୍ଧାନ କରାଯାଉଥିବା ମନି ଲଣ୍ଡରିଂ ମାମଲାରେ ବିଜୟ ମାଲ୍ୟାଙ୍କୁ ପଳାତକ ଘୋଷଣା କରାଯାଇଛି। ୨୦୧୬ରେ ବିଜୟ ମାଲ୍ୟାଙ୍କ ସହ ୧୦ ଜଣଙ୍କ ନାଁରେ ମାମଲା ହୋଇଥିଲା। ବର୍ତ୍ତମାନ ସେ ଲଣ୍ଡନରେ ଅଛନ୍ତି ଏବଂ ଭାରତ ସରକାର ତାଙ୍କୁ ବ୍ରିଟିଶ ସରକାରଙ୍କଠାରୁ ପ୍ରତ୍ୟର୍ପଣ କରିବାକୁ ଚେଷ୍ଟା କରୁଛନ୍ତି।
Comments are closed.