Latest Odisha News

BREAKING NEWS

ଭାରତ ସଫଳତାର ସହ ନିର୍ବାଚନ କରାଇ ବିଶ୍ବକୁ ମାର୍ଗ ଦେଖାଇଛି: ମୋଦୀ

ନୂଆଦିଲ୍ଲୀ: ଆଜି ସଂସଦ ଅଧିବେଶନରେ ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଦେବ ଅବସରରେ ପ୍ରଥମ ଥର ସାଂସଦ ହୋଇ ଆସିଥିବା ସଦସ୍ୟଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାମନ୍ତ୍ରୀ ମୋଦୀ। ଭାରତ ସଫଳତାର ସହ ନିର୍ବାଚନ କରାଇ ବିଶ୍ବକୁ ମାର୍ଗ ଦେଖାଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ସେପଟେ କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ବେଳେ ଗୃହରେ ବିରୋଧୀଙ୍କ ପ୍ରବଳ ହୋହଲ୍ଲା ଦେଖିବାକୁ ମିଳିଥିଲା।

ଗୃହରେ ମୋଦୀ ନିଜ ଅଭିଭାଷଣରେ କହିଛନ୍ତି ଯେ, ବିଶ୍ବର ସବୁଠାରୁ ବଡ଼ ନିର୍ବାଚନରେ ଲୋକ ଆମକୁ ଜିତାଇଛନ୍ତି। ବିରୋଧୀଙ୍କୁ ବି କଡ଼ା ସମାଲୋଚନା କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ମୁଁ କିଛି ଲୋକଙ୍କ ପୀଡ଼ା ବୁଝିପାରୁଛି ।ସେମାନେ ପରାଜୟ ପରେ ଯେଉଁ ସ୍ଥିତିରେ ଅଛନ୍ତି ତାର ପୀଡ଼ା ମଧ୍ୟ ମୁଁ ବୁଝି ପାରୁଛି ।

ମୋଦୀ କହିଛନ୍ତି ଯେ, ଦୁର୍ନୀତି ପ୍ରତି ‘ଶୂନ୍ୟ ସହ୍ୟ’ ନୀତି ରହିବ ବୋଲି ଆମେ ପ୍ରଥମରୁ କହିଥିଲୁ। ଆମ କାର୍ଯ୍ୟ ଲୋକ ଦେଖିଲେ ଏବଂ ଆମ ଉପରେ ବିଶ୍ବାସ ରଖିଲେ। ଲୋକଙ୍କ ବିଶ୍ବାସର ଫଳ ସ୍ବରୂପ ୩ୟ ଥର ଆମେ ବିଜୟ ହେଲୁ। ଆମ ପାଇଁ ଆମ ଦେଶ ପ୍ରଥମ ବୋଲି କହିଛନ୍ତି ମୋଦୀ। ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶର ସବୁ ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ଆମେ ପ୍ରୟାସ କରି ଚାଲିଛୁ। ଦେଶ ଲମ୍ବା ସମୟ ତୁଷ୍ଟୀକରଣ ମଡେଲ ଦେଖିସାରିଛି। କିନ୍ତୁ ଆମେ ତୁଷ୍ଟୀକରଣ ନୁହେଁ, ସନ୍ତୁଷ୍ଟିକରଣ ମନ୍ତ୍ରରେ ଚାଲିଛୁ।

ସମାଜର ଶେଷ ବ୍ୟକ୍ତି ପର୍ଯ୍ୟନ୍ତ ବିକାଶ ପହଞ୍ଚିବା ହିଁ ସନ୍ତୁଷ୍ଟିକରଣ। ସେଥିପାଇଁ ଦେଶବାସୀ ଆମକୁ ତୃତୀୟ ଥର ବିଜୟୀ କରାଇଛନ୍ତି। ସମସ୍ତଙ୍କୁ ନ୍ୟାୟ, କାହା ପ୍ରତି ହେବନି ଅନ୍ୟାୟ ସିଦ୍ଧାନ୍ତରେ ଆମେ ଚାଲିଛୁ। ଦେଶବାସୀ ଆମ ନୀତିକୁ ଦେଖିଛନ୍ତି; ଆମ ନିୟତି, ନିଷ୍ଠା ଦେଖିଛନ୍ତି। ବିକଶିତ ଭାରତ ନିର୍ମାଣ ଲକ୍ଷ୍ୟ ନେଇ ଲୋକଙ୍କ ପାଖକୁ ଆମେ ଯାଇଥିଲୁ। ଲୋକ ଆମ ଲକ୍ଷ୍ୟକୁ ସ୍ବୀକୃତି ଦେଇ ଆମକୁ ବିଜୟୀ କରାଇଥିଲେ। ଦେଶ ବିକଶିତ ହେଲେ, ଆଗାମୀ ପିଢ଼ିଙ୍କ ସ୍ବପ୍ନ ପୂରଣ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।

Comments are closed.