Latest Odisha News

BREAKING NEWS

ଦେଶୀ ବନ୍ଧୁକ ସହ ୪ ଡକାୟତ ଗିରଫ, ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଜବତ

ବରଗଡ: ବରଗଡ ପୋଲିସକୁ ବଡ ସଫଳତା । ଦେଶୀ ବନ୍ଧୁକ ସହ ଧରାପଡିଲେ । ନିକଟରୁ ଲକ୍ଷାଧିକ ଟଙ୍କା ଓ ସୁନା ଗହଣା ଜବତ କରିଛି ଅତାବିରା ପୋଲିସ । ଡକାୟତଙ୍କ ଠାରୁ ସୁନା ଗହଣା ସହ ଏକ ଦେଶୀ ବନ୍ଧୁକ, ୫ଟି ଜୀବନ୍ତ ଗୁଳି, ୩ ଲକ୍ଷ ୮୦ ହଜାର ଟଙ୍କା, ଦୁଇଟି ବାଇକ, ଗୋଟେ ସ୍କୁଟି ସହ ଅନେକ ମାରଣାସ୍ତ୍ର ଜବତ କରିଛି ପୋଲିସ ।

ସୂଚନା ଅନୁସାରେ, ଗତ ଜୁନ ୨୦ ତାରିଖରେ ଅତାବିରା ବ୍ଲକ ବାବେବିରା ଗ୍ରାମର ଜଣେ ଚାଷୀ ବ୍ୟାଙ୍କରୁ ଟଙ୍କା ଉଠାଇ ନିଜ ଘରକୁ ଫେରିବା ବାଟରେ ତାଙ୍କୁ ୬ ଜଣ ଲୁଟେରା ବନ୍ଧୁକ ଦେଖାଇ ତାଙ୍କ ପାଖରୁ ୪ ଲକ୍ଷ ୩୮ ହଜାର ୩୫୨ ତାଙ୍କ ଲୁଟି ନେଇଥିଲେ । ଏନେଇ ଅତାବିରା ଥାନାରେ ଏତଲା ଦେଇଥିଲେ ଉକ୍ତ ଚାଷୀ । ଅଭିଯୋଗକୁ ଭିତ୍ତି କରି ଅତାବିରା ପୋଲିସ ୨ଟି ଟିମ୍ ଗଠନ କରି ତଦନ୍ତ ଆରମ୍ଭ କରିଥିଲା । ଶେଷରେ ଆଜି ପୋଲିସ ହାତରେ ଗିରଫ ହୋଇଛନ୍ତି ଉକ୍ତ ଡକାୟତଙ୍କ ମଧ୍ୟରୁ ୪ ଜଣ । ଅଭିଯୁକ୍ତମାନେ ହେଲେ ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଅନ୍ତର୍ଗତ ଡଙ୍ଗର ମୁଣ୍ଡାର ଚୈତନ୍ୟ ପୂଟା, ଇନ୍ଦ୍ର ଭୋଇ ଓ ବନାରସ ଗ୍ରାମର ଲଳିତ ସାହୁ ଏବଂ ଡୋଲେଶ୍ୱର ସାହୁ । ଏମାନଙ୍କ ଠାରୁ ଏକ ଦେଶୀ ବନ୍ଧୁକ, ୫ଟି ଜୀବନ୍ତ ଗୁଳି, ୩ ଲକ୍ଷ ୮୦ ହଜାର ଟଙ୍କା, ଦୁଇଟି ବାଇକ, ଗୋଟେ ସ୍କୁଟି ସହ ଅନେକ ମାରଣାସ୍ତ୍ର ଏବଂ ଅନେକ ସୁନା ଗହଣା ଜବତ କରିଛି ପୋଲିସ । ଏପରିକି ଏହି ଅଭିଯୁକ୍ତଙ୍କ ନାମରେ ଅତାବିରା ବ୍ୟତୀତ ବରପାଲି, ଡୁଙ୍ଗୁରିପାଲି, ସିନ୍ଧେକେଲା, ଓ ଆଗଲପୁର ଥାନାରେ ମଧ୍ୟ ମାମଲା ରହିଛି । ଏମାନଙ୍କୁ ପୁଲିସ କୋର୍ଟ ଚାଲାଣ କରି ଅଧିକରୁ ଅଧିକ ତଦନ୍ତ ଜାରି ରଖିଛି ।

Comments are closed.