Latest Odisha News

ନିଟ୍ ବିବାଦର ଶୁଣାଣି ଆଜି, ପୁନଃ ପରୀକ୍ଷା ନେଇ ହୋଇପାରେ ନିଷ୍ପତ୍ତି

ନୂଆଦିଲ୍ଲୀ: ନିଟ୍- ୟୁଜି ପରୀକ୍ଷାରେ ବିଭ୍ରାଟ ନେଇ ଆଜି ହେବ ଶୁଣାଣି । ମୋଟ ୩୮ ପିଟିସନ୍ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହେବ । ଏହା ମଧ୍ୟରୁ ୩୪ ପିଟିସନ୍ ଛାତ୍ରଛାତ୍ରୀ, ଶିକ୍ଷକ ଏବଂ କୋଚିଂ ସଂସ୍ଥା ଦ୍ବାରା ଦାଏର କରାଯାଇଥିବା ବେଳେ ୪ ଟି ପିଟିସନ୍ ଏନଟିଏ ଦ୍ବାରା ଦାଏର କରାଯାଇଛି । ଜଷ୍ଟିସ୍ ଡି ଓ୍ବାଇ ଚନ୍ଦ୍ରଚୂଡ, ଜଷ୍ଟିସ୍ ମନୋଜ ମିଶ୍ର ଏବଂ ଜଷ୍ଟିସ୍ ଜେ.ବି.ପାରଦିଓ୍ବାଲାଙ୍କ ଦ୍ବାରା ଗଠିତ ବେଞ୍ଚ ଏନେଇ ଶୁଣାଣି କରିବେ  ।

ଏବେ ବି ଦେଶରେ ଜାରି ରହିଛି ନିଟ୍ ବିବାଦ ବିରୋଧ । ପ୍ରଶ୍ନପତ୍ର ଲିକ୍‌, ଅସାଧୁ ଉପାୟ ଅବଲମ୍ବନ କରି ପରୀକ୍ଷାରେ ବିଭ୍ରାଟ ସୃଷ୍ଟି କରିବା ସମେତ ବିଭିନ୍ନ ଅନିୟମିତତାକୁ ନେଇ ଚଳିତ ବର୍ଷର ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍-ୟୁଜି ବାତିଲ ଓ ପୁନଃ ପରୀକ୍ଷା କରାଇବା ଲାଗି ନିର୍ଦ୍ଦେଶ ଦେବାକୁ ନିବେଦନ କରି ସୁପ୍ରିମକୋର୍ଟରେ ଦାଏର ୩୮ଟି ପିଟିଶନ୍‌ର ଶୁଣାଣି ସୋମବାର ହେବାକୁ ଯାଉଛି। ତେବେ ପରୀକ୍ଷାରେ ବିଭ୍ରାଟ ହୋଇଥିବାର କିଛି ଠୋସ୍ ପ୍ରମାଣ ନ ଥିବାରୁ ପରୀକ୍ଷାକୁ ବାତିଲ କରାଗଲେ ଏହାର ଫଳ ଓଲଟା ହେବା ସହ ଲକ୍ଷ ଲକ୍ଷ ସଚ୍ଚୋଟ ପରୀକ୍ଷାର୍ଥୀଙ୍କ ଭବିଷ୍ୟତ ଉପରେ ଏହା ପ୍ରତିଫଳିତ ହେବ  । ସେଥିପାଇଁ ଏନେଇ କେନ୍ଦ୍ର ସରକାର ଏବଂ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ବା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ସତ୍ୟପାଠ ଜରିଆରେ ସର୍ବୋଚ୍ଚ ଅଦାଲତଙ୍କୁ ଜଣାଇଥିଲେ। କୋର୍ଟ ଓ୍ବେବସାଇଟରେ ଅପ୍‌ଲୋଡ୍‌ ହୋଇଥିବା ଜୁଲାଇ ୮ କଜ୍‌ ଲିଷ୍ଟ ଅନୁଯାୟୀ ପ୍ରଧାନ ବିଚାରପତି ଡି.ଓ୍ବାଇ. ଚନ୍ଦ୍ରଚୂଡ଼, ଜଷ୍ଟିସ୍‌ ଜେ.ବି. ପାରଦିଓ୍ବାଲା ଏବଂ ମନୋଜ ମିଶ୍ରାଙ୍କ ବେଞ୍ଚ ନିଟ୍ ପରୀକ୍ଷା ସମ୍ପର୍କିତ ୩୮ଟି ପିଟିଶନ୍‌ର ଶୁଣାଣି କରିବେ।

Comments are closed.