Latest Odisha News

ପହଣ୍ଡି ବେଳେ ମୁହଁମାଡି ପଡିଗଲେ ମହାପ୍ରଭୁ ବଳଭଦ୍ର, ଜଣାପଡିଲା କାରଣ….

ପୁରୀ: ମଙ୍ଗଳବାର ରଥରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ମହାପ୍ରଭୁଙ୍କ ପହଣ୍ଡି ବେଳେ ଘଟିଯାଇଛି ବଡ ଅଘଟଣ । ଚାରମାଳରୁ ଖସି ମୁହଁମାଡି ପଡିଛନ୍ତି ବଡ ଠାକୁର ବଳଭଦ୍ର । ହଠାତ୍ ଚାରମାଳରେ ପହଣ୍ଡି ବେଳେ ଖସିପଡିଥିଲେ ମହାପ୍ରଭୁ । ଏହାକୁ ନେଇ ପୂରା ଓଡିଶା ମର୍ମାହତ ଥିବା ବେଳେ ଏନେଇ ସ୍ପଷ୍ଟିକରଣ ଦେଇଛନ୍ତି ସେବାୟତ ।

ଏନେଇ ବରିଷ୍ଠ ସେବାୟତ କହିଛନ୍ତି, ମହାପ୍ରଭୁଙ୍କ ପଛରୁ ବନ୍ଧାଯାଇଥିବା ଛାଟେଣି ଖସିଯିବାରୁ ଏଭଳି ଅଭାବନୀୟ ଘଟଣା ଘଟିଛି । ତେବେ ଏକ ନିର୍ଦ୍ଦିଷ୍ଟ ବୈଜ୍ଞାନିକ ପଦ୍ଧତିରେ ମହାପ୍ରଭୁଙ୍କ ପହଣ୍ଡି ବିଜେ କରାଯାଏ ବୋଲି କହିଛନ୍ତି ସେବାୟତ । ତାଙ୍କ କହିବା ଅନୁଯାୟୀ, ଚାରମାଳ ଗଡାଣିଆ ହୋଇଥିବାରୁ ଏହା ଉପରେ ମହାପ୍ରଭୁ ଦୀର୍ଘ ସମୟ ଧରି ଛିଡା ହେବାରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଧୀରେ ଧୀରେ ଖସିବାକୁ ଲାଗିଥିଲା । ଯେଉଁ କାରଣରୁ ଛାଟେଣି ବନ୍ଧା ହୋଇଥିବା ପଟାଟି ଖସି ଯିବାରୁ ମହାପ୍ରଭୁ ଆଗକୁ ହାମୁଡେଇ ପଡିଥିଲେ । ତେବେ ଏଠି ପ୍ରଶ୍ନ ଉଠୁଛି ବେପୁରିଆ ହୋଇଯାଇଛନ୍ତି କି ସେବାୟତ? କାହିଁକି ଛାଟେଣି ଖସିଲା ? ଛାଟେଣି ଢିଲା ବନ୍ଧା ଯାଇଥିଲା ନାଁ ବନ୍ଧା ହିଁ ଯାଇନଥିଲା ?

ସେପଟେ ଏହାକୁ ନେଇ ବଡ ଅଭିଯୋଗ ଆଣିଛନ୍ତି ସୁଆର ମହାସୁଆର ନିଯୋଗର ବରିଷ୍ଠ ସେବାୟତ । ସେ କହିଛନ୍ତି, ପହଣ୍ଡି ବେଳେ ମହାପ୍ରଭୁଙ୍କୁ ପଛରୁ ପାଟ ଡୋରି ବନ୍ଧା ଯାଇନଥିଲା । ମହାପ୍ରଭୁ ପଡିବା ପରେ ପାଟ ଡୋରି ବନ୍ଧା ଯାଉଥିବାର ଦୃଶ୍ୟ କ୍ୟାମେରାରେ କଏଦ୍ ହୋଇଛି । ମହାପ୍ରଭୁ ପଡିବାର ପରମୁହୂର୍ତ୍ତରେ ପାଟଡୋରି ବନ୍ଧାଯାଇ ଶ୍ରୀ ଅଙ୍ଗ ସିଧା କରାଯାଉଥିବାର ଦୃଶ୍ୟ ଭିଜୁଆଲରେ ଦେଖଯାଉଛି । ତେବେ ଅସାବଧାନତା ଯୋଗୁଁ  ପାଟଡୋର ଖସିଯାଇଥିଲା, ନାଁ ଏହା ବନ୍ଧା ହିଁ ଯାଇନଥିଲା ତାହାର ଉତ୍ତର ସାପେକ୍ଷ । ଏହାସହିତ ପହଣ୍ଡି ସମୟରେ କେଉଁମାନେ ରହିବା ଉଚିତ୍ ସେନେଇ ଏକ ସୀମା ନିର୍ଦ୍ଧାରଣ ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ନୀତିକାନ୍ତିରେ ବଡ ଧରଣର ବିଭ୍ରାଟ ଯୋଗୁଁ ଏଭଳି ଘଟିଛି ବୋଲି ଇଙ୍ଗିତ କରିଛନ୍ତି ମାଧବ ଚନ୍ଦ୍ର ପୂଜା ପଣ୍ଡା, ସେ କହିଛନ୍ତି ନୀତି ନିର୍ଘଣ୍ଟ ନିୟମ ଅନୁଯାୟୀ ନୀତିକାନ୍ତି କରାଯାଇନଥିଲା । ନେତ୍ରୋତ୍ସବ ଓ ଖେଚେଡି ଭୋଗ ନକରି ତାଟି ନଖୋଲି ମହାପ୍ରଭୁଙ୍କ ସେନାପଟି ଲାଗି କରାଯାଇଥିଲା ବୋଲି ବଡ ଅଭିଯୋଗ କରିଛନ୍ତି ପୂଜା ପଣ୍ଡା । ଯାହା ଏଭଳି ଅଭାବନୀୟ ଘଟଣାର ମୁଖ୍ୟ କାରଣ ବୋଲି ଅନେକ ମହଲରେ ଚର୍ଚ୍ଚା କରାଯାଉଛି ।

ତେବେ ଆଡ଼ପ ପହଣ୍ଡି ବେଳେ ଅଘଟଣକୁ ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି । ନୀତି ନୀର୍ଘଣ୍ଟରେ ଏତେ ବିଭ୍ରାଟ କରାଗଲା କାହିଁକି ? କାହିଁକି ଏତେ ବଡ ଅଘଟଣ ଘଟିଲା । ସେବାୟତଙ୍କ ବେପରୁଆ ମନୋଭାବ ନା ଅସାବଧାନତା , ଏଥିପାଇଁ ଦାୟୀ କିଏ ? କାରଣ ଏ ଘଟଣା ନୂଆ ନୁହେଁ ଗତବର୍ଷ ରଥଯାତ୍ରା ବେଳେ ମଧ୍ୟ ଆଡପ ପହଣ୍ଡି ବେଳେ ଚାରମାଳରୁ ଖସିପଡିଥିଲେ ମହାପ୍ରଭୁ ଜଗନ୍ନାଥ । ଆଉ ଚଳିତ ବର୍ଷ ପୁଣି ବଡ ଠାକୁର ବଳଭଦ୍ର ଖସିପଡିଲେ । ଏହା କାହାର ବେପୁରୁଆ ମନୋଭାବ ଯୋଗୁଁ ହେଉଛି ତାହା ଏବେ ସାଧାରଣରେ ଚର୍ଚ୍ଚା । ପ୍ରତିବର୍ଷ ସମାନ ଘଟଣା ଘଟୁଥିଲେ ମଧ୍ୟ କାହିଁକି ଚେତୁନାହାନ୍ତି ଦଇତାପତି ଓ ସେବାୟତମାନେ । ପହଣ୍ଡି ବେଳେ ଚାରମାଳ, ଛାଟେଣି ଏବଂ ପାଟଡୋର ଠିକ୍ ଭାବରେ ବନ୍ଧା ହୋଇଛି କି ନାହିଁ ତାହା କାହିଁକି ଯାଞ୍ଚ କରୁନାହାନ୍ତି ସେବାୟତ ? ଏହା ସେବାୟତଙ୍କ ବେପୁରୁଆମି ନା ଆଗକୁ କିଛି ବଡ ଅଘଟଣର ସଙ୍କେତ ?

Comments are closed.