Latest Odisha News

ନିଟ୍-ୟୁଜି ପେପର ଲିକ୍ ମାମଲାରେ ମାଷ୍ଟର ମାଇଣ୍ଡ ଗିରଫ

ନୂଆଦିଲ୍ଲୀ: ନିଟ୍-ୟୁଜି ପେପର ଲିକ୍ ମାମଲାରେ ଅନିୟମିତତା ବିରୋଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବା ପରଠାରୁ ଫେରାର ଥିବା ଅଭିଯୁକ୍ତକୁ ଗୁରୁବାର ସିବିଆଇ ଗିରଫ କରିଛି। ବିହାରର ନାଳନ୍ଦା ଜିଲ୍ଲାର ବାସିନ୍ଦା ତଥା ମାଷ୍ଟରମାଇଣ୍ଡ ସଞ୍ଜୀବ ମୁଖିଆଙ୍କ ସମ୍ପର୍କୀୟ କୁହାଯାଉଥିବା ରକି ଓରଫ ରାକେଶ ରଞ୍ଜନଙ୍କୁ ପାଟନା ଉପକଣ୍ଠରୁ ଗିରଫ କରିଛି ସିବିଆଇ।

ସିବିଆଇ ଏହି ମାମଲା ହାତକୁ ନେବା ପରଠାରୁ ତାଙ୍କୁ ଧରିବାକୁ ଚେଷ୍ଟା ଚଳାଇଥିଲା। ଗୁରୁବାର ସକାଳେ ସିବିଆଇ ତାଙ୍କୁ ଗିରଫ କରିବା ପରେ ଆଇନର ଜାଲରୁ ଖସିବା ପାଇଁ ଚାଲିଥିବା ଲୁଚକାଳି ଶେଷ ହୋଇଛି। ସିବିଆଇ ତାଙ୍କୁ ପାଟନାର ଏକ ସ୍ୱତନ୍ତ୍ର ଅଦାଲତରେ ହାଜର କରିଛି। ଯେଉଁଠାରେ ତାଙ୍କୁ ୧୦ ଦିନିଆ ସିବିଆଇ ହେପାଜତକୁ ପଠାଇ ଦିଆଯାଇଛି। ରକିଙ୍କୁ ଗିରଫ କରିବା ପରେ ପାଟନା ଓ ଆଖପାଖ ଅଞ୍ଚଳର ୩ଟି ସ୍ଥାନରେ ଏବଂ କୋଲକାତାର ଗୋଟିଏ ସ୍ଥାନରେ ମଧ୍ୟ ସିବିଆଇ ଚଢ଼ାଉ କରିଥିଲା। ଏହି ମାମଲାରେ ସିବିଆଇ ବିହାର ଓ ଝାଡ଼ଖଣ୍ଡର ୧୫ଟି ସ୍ଥାନରେ ଚଢ଼ାଉ କରି ଆପତ୍ତିଜନକ ପ୍ରମାଣ ସଂଗ୍ରହ କରିଛି।

ଏହି ମାମଲାରେ ଝାଡ଼ଖଣ୍ଡର ହଜାରୀବାଗସ୍ଥିତ ଓଏସିସ୍ ସ୍କୁଲର ପ୍ରଧାନ ଶିକ୍ଷକ ଓ ଉପାଧ୍ୟକ୍ଷ ଏବଂ ନିଟ୍ ପରୀକ୍ଷାର୍ଥୀଙ୍କୁ ଋଣ ଦେଇଥିବା ଅଭିଯୋଗରେ ବିହାର ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ମେଡିକାଲ ପ୍ରବେଶିକା ପରୀକ୍ଷାରେ ଅନିୟମିତତାର ତଦନ୍ତ କରୁଥିବା ସିବିଆଇ ଏହି ମାମଲାରେ ଏପର୍ଯ୍ୟନ୍ତ ୬ଟି ଏଫଆଇଆର ରୁଜୁ କରିଛି। ବିହାରରୁ ଆସିଥିବା ଏଫଆଇଆର ପେପର ଲିକ୍ ସହ ଜଡ଼ିତ ଥିବା ବେଳେ ଅବଶିଷ୍ଟ ଗୁଜରାଟ, ରାଜସ୍ଥାନ ଓ ମହାରାଷ୍ଟ୍ରରୁ ଆସିଥିବା ଏଫଆଇଆର ପ୍ରାର୍ଥୀଙ୍କ ନକଲି ଏବଂ ଠକେଇ ସହ ଜଡ଼ିତ। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ସୂଚନା ଆଧାରରେ ଏଜେନ୍ସିର ନିଜସ୍ୱ ଏଫଆଇଆର ପରୀକ୍ଷାରେ ହୋଇଥିବା ଅନିୟମିତତାର ବ୍ୟାପକ ତଦନ୍ତ ସହ ଜଡିତ ।

ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ଏମବିବିଏସ୍, ବିଡିଏସ୍, ଆୟୁଷ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ପାଠ୍ୟକ୍ରମରେ ନାମଲେଖା ପାଇଁ ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ନିଟ୍-ୟୁଜି ପରିଚାଳିତ ହୋଇଥାଏ। ଚଳିତ ବର୍ଷ ମେ’ ୫ ତାରିଖରେ ବିଦେଶର ୧୪ଟି ସହର ସମେତ ୫୭୧ଟି ସହରର ୪୭୫୦ଟି କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୨୩ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ।

Comments are closed.