Latest Odisha News

ଧାରାବାହିକ ଉପନ୍ୟାସ : ଈଶ୍ୱର ମରିଗଲା ପରେ (୧୧)

ମହାଶ୍ୱେତା ସାହୁଙ୍କ ଉପନ୍ୟାସ ‘ଈଶ୍ୱର ମରିଗଲା ପରେ’ 

ଗାଁ ପାଣି କାଦୁଅ – କୂଅପୋଖରୀ, ନଈ, ବିଲ ପାଟ ଭିତରେ ବଢ଼ି ଆସିଥିବା ଈଶ୍ୱର ଏକୁଟିଆ ହୋଇଯାଇଥିଲା । ନିଃସଙ୍ଗତା ଓ ଅସହାୟତା ତାକୁ ଯେମିତି ଭାରି କରିଦେଇଥିଲା । ସେ ଜାକିହୋଇ ବସିଥିଲା ଛୋଟା ଘରୁ ବାହାରି ଆସି ଖଣ୍ଡିଆ ପୋଲଆଡ଼େ । ଯାହା ଆପାତତଃ ଗହଳିକମ୍ ଥିଲା । ସେ ଚାଲିଚାଲି କାହିଁ କେତେବାଟ ଚାଲିଯିବାକୁ ଚାହେଁ । ପୁଣି ଭୟ, କାଳେ ହଜେଇ ଦେବ ଠିକଣା ।

ସେ ପ୍ଲାଟଫର୍ମକୁ ଯିବାକୁ ବାହାରିଲା । ଯେଉଁଟି ଗୋଟେ କୋଣକୁ ବୁଢ଼ୀଟେ ଥରୁଥିବ ଥୁରୁ… ଥୁରୁ ଥରିଲାପରି । ଦୂର ହୋଇ ଦିଶୁଥିଲା ପୁଳାଏ ଅନ୍ଧାର ଭିତରେ କାହାର ଆର୍ତ୍ତନାଦ । ସେ ଇଚ୍ଛାକରି ମଧ୍ୟ ଧାଇଁପାରିଲା ନାହିଁ । ଗୋଟେ ସ୍ଥାଣୁ ଭୟ ତାକୁ ପଥର କରି ଦେଇଥିଲା ।

ଗୋଟେ ଝିଅକୁ ଘେରିଥିଲେ ମଲାଶବ ଉପରେ ଶାଗୁଣା ବେଢ଼େଇଲା ପରି । ସେ ବିକଳ ହୋଇ ହାତଗୋଡ଼ ବାଡ଼େଇ ହେଉଥିଲା, ଯନ୍ତ୍ରଣାରେ ଛଟପଟ ହେଉଥିଲା । ସେ ବିଛେଇ ହୋଇ ପଡ଼ିଥିଲା ଉଲଗ୍ନ ହୋଇ । ତା’ ଉପରେ ଥିବା ଲୋକଟା କୁନ୍ଥେଇ ହେଉଥିଲା କି ହସୁଥିଲା ବୁଝିପାରିଲା ନାହିଁ ଈଶ୍ୱର । ଭୟରେ ଜଡ଼ସଡ଼ ଈଶ୍ୱର ପାଲଟି ଯାଇଥିଲା କାଠ । ତା’ ଦେହରେ ଟିକେ ମଧ୍ୟ ରକ୍ତ ନଥିଲା ଯେମିତି । ସେ ଆଉ ଦେଖିପାରିଲା ନାହିଁ । ମୂର୍ଚ୍ଛା ହେଲା
ପରି ତଳେ ପଡ଼ିରହିଲା ବୁଢ଼ୀଟି ପାଖରେ ।

ସେ ରାତିର ଅସହାୟତା କଥା ମନେପଡ଼ିଲେ ତା’ ଦେହ ଶିତେଇ ଉଠେ ଘୃଣା, କ୍ଷୋଭ, ଅପମାନ ଓ ଅପାରଗତାର କୋହରେ ଜଡ଼ସଡ଼ ହୋଇଯାଏ ଈଶ୍ୱର । ହୁଏତ ଚିତ୍କାର କରିପାରିଥାନ୍ତା… ଟାଣି ମାରିପାରିଥାନ୍ତା… କାହିଁକି କିଛି ମଧ୍ୟ କଲାନି?? ସେ କାହିଁକି ସ୍ଥାଣୁ, କାପୁରୁଷ ହୋଇଗଲା??

ଏମିତି ଦୃଶ୍ୟ ଦେଖିବା ତା’ ପାଇଁ ନୂଆ ଏବଂ ଆଚମ୍ବିତ କଲା ପରି ଥିଲା । ଏମିତି ସତରେ ହୁଏକି ସହରରେ?? ସିନେମା ପରି… ଗୋଟିଏ ରାତି ଈଶ୍ୱରକୁ ବୟସ୍କ କରିଦେଇଥିଲା ଯଥେଷ୍ଟ । କାନ୍ଦି କାନ୍ଦି ଆଖି ଦୁଇଟା ଫୁଲି ଯାଇଥିଲା । ଆଖିର ପତା ଦିଟା ଲାଗିଯାଇଥିଲା ଯେମିତି, ସେ ଖୋଲିପାରୁନଥିଲା। ପୋଲିସ ବାବୁଙ୍କ ବୁଟ୍‌ମାଡ଼ରେ ତା\’ର ନିଦ ଭାଙ୍ଗିଲା ।

– ଶଳା, ମହାରାଜ ପରି ଶୋଇଛି… ଉଠ୍‌… ଉଠ୍ ଏଠୁ… ଆଖି ମଳିମଳି ଅନେଇଲା ଚାରିଆଡ଼କୁ, ଗହଳି ବଢ଼ିଯାଇଥିଲା, ରାତିର ଆଲୁଅ ଅପସରି ଯାଇଥିଲା । ସକାଳର ସଦ୍ୟପ୍ରହର । ଆଉ ଏକ ଦୁନିଆ ।

ଯେମିତି ଏଇଠି କିଛି ମଧ୍ୟ ଘଟିନଥିଲା କେଇଘଣ୍ଟା ଆଗରୁ । ରାତିରେ ସେ ଆକୁତିଭରା ଦୃଶ୍ୟପଟ୍ଟ ଶୂନ୍ୟତାରେ ମିଳେଇ ଯାଇଥିଲା ଯେମିତି । ସବୁ ସ୍ୱାଭାବିକ, ସୁନ୍ଦର, ଚଞ୍ଚଳ ଥିଲା । ସକାଳୁ ସକାଳୁ ପ୍ଲାଟଫର୍ମକୁ ଝାଡ଼ୁ କରାଯାଉଥିଲା । ଅନେକ ପୁଅ ଓ ସ୍ତ୍ରୀଲୋକ ନିର୍ଦ୍ଦିଷ୍ଟ ଜ୍ୟାକେଟ୍ ଗଳେଇ ଲମ୍ବାଲମ୍ବା ଝାଡ଼ୁ ଓ ପାଣି ସ୍ପ୍ରେ ଧରି ସଫା
କରିବାରେ ବ୍ୟସ୍ତ ।

ନିଜକୁ ଅବିଶ୍ୱାସ କଲା । ସେ ରାତି, ସେ ଝିଅର ଦୃଶ୍ୟ ଈଶ୍ୱରକୁ ଦୁଃସ୍ୱପ୍ନ ପରି ମନେହୋଇଥିଲା । ସତେକି କାଲି ସେ ସ୍ୱପ୍ନ ଦେଖିଥିଲା ସେ ସବୁ । ସତରେ କ’ଣ ତାହା ବାସ୍ତବରେ ନଥିଲା?? ସେ ଖୋଜିଲା ସେ ବୁଢ଼ୀଟାକୁ… । କୁଆଡ଼େ ଗଲା ବୁଢ଼ୀଟା… ଯେ ତା’ ସହ ଥିଲା ସେଇଠଇ ସାକ୍ଷୀ । ନା’ ବୁଢ଼ୀ ନଥିଲା ସେଠି ତାକୁ ଖୋଜି ଖୋଜି ବାହାରିଗଲା ପ୍ଲାଟଫର୍ମରୁ ଈଶ୍ୱର ।

ଚା’ ଗ୍ଲାସ୍‌ଟେ ଧରି ଯେ ତାକୁ ଷ୍ଟେସନ୍ ଆଗରୁ ଅଟକାଇ ଦେଲା ସେ ଛୋଟା ଥିଲା । ହସିଦେଇ ପଚାରିଲା – କେତେବେଳୁ ଉଠିଲ?? ଚା ପିଅ… ମୁଁ ଏକା ପିଇବିନି… ଧର… ଧର…” ଅନେକ ଶବ୍ଦ ଯେମିତି ତଣ୍ଟିପାଖରେ ରୁଦ୍ଧ ହୋଇ ଯାଇଥିଲା । ସେ କିଛି କହିପାରିଲା ନାହିଁ, କେଇ କ୍ଷଣ । ପାଣି ମଗ୍‌ଟେ ଆଣିଲା ଚା’ ଦୋକାନର
ପାଣିବାଲ୍‌ତିରୁ । ମୁହଁରେ, ଆଖିରେ ପାଣି ଛାଟିଲା । ସମ୍ପର୍କ କେବେ ସତରେ କ’ଣ କିଏ ତିଆରି କରେ?? ନା’ ଆପେ ଆପେ ତିଆରି ହୋଇଯାଏ??

ଟିକେ ହସ, ଟିକେ ଲୁହ ଟିକେ ଅସହାୟତା, ଟିକେ ଆଦ୍ରତା, ଘଟଣା ପୁଣି ଦୁଃଘଟଣା ଭିତରେ ଗୋଟେ କଥା ଥାଏ ବିଶ୍ୱାସ । ସମ୍ପର୍କର ଚୌହଦୀରେ ବିଶ୍ୱାସ ଖୁବ୍ ଗୁରୁତ୍ୱ ରଖେ । ଈଶ୍ୱର ସହ ତା’ର ସଂପର୍କ କେମିତି ବଢ଼ିଥିଲା ତା\’ ଖବର ସେ ରଖିନାହିଁ, ତା’ ପାଇଁ ଦୁହେଁ ହେପାଜତ କରି ନାହାନ୍ତି… । ଚା’ ଗ୍ଲାସ୍‌ଟିକୁ ଓଠ ପାଖକୁ ନେବା ଭିତରେ ତିନିଚାରିଥର ଛିଙ୍କିଥିଲା ନିଗୁ । ଖୋଜିଥିଲା ତା\’ର ଠିକଣାର କାଗଜ ତା’ ପକେଟ୍ ଭିତରୁ । ଯାହା ଲୋଚାକୋଚା ହୋଇଯାଇଥିଲା । କାଗଜ ଉପରୁ ଆସ୍ତେ ଆସ୍ତେ ଲିଭି ଯାଇଥିଲା କେଇଟି ଅକ୍ଷର ସେଇ ଠିକଣା ଉପରୁ । ସେ ପଢ଼ିଥିଲା ଟିକେ ନିରିଖେଇ ଆଉ ଈଶ୍ୱରକୁ କହିଥିଲା ଠିକଣା ଜାଗାଟି ବିଷୟରେ ।

– ଏ ତୁମର କିଏ?? ପ୍ରଶ୍ନ କରିଥିଲା ଈଶ୍ୱର, ନିଗୁକୁ ରିକ୍ସାରେ ବସାଇ ଷ୍ଟେସନ୍‌ରୁ ପାର୍ ହେଲାବେଳେ ।
– ସେ ମୋ’ର କାକାଙ୍କ ଝିଅ… ମୁଁ କୁନିଟେ ହୋଇଥିଲି, ସେ ବାହା ହୋଇଥିଲେ । ଏବେ ନିଶ୍ଚୟ ବୁଢ଼ୀ ହୋଇ ଯିବେଣି । ତାଙ୍କ ସହ ମୋ’ର ଭେଟ ହୋଇନି କେବେ ମଧ୍ୟ ।

– କାହିଁକି??
– କକା ଆମଠୁ ଅଲଗା ହେବା ଆଗରୁ ମୁଁ ଛୋଟ ଥିଲି । କିଛି ମନେପଡ଼ୁନି । ଆଉ ଅଲଗା ହେବାପରେ ସେମାନେ ଆସନ୍ତି ନାହିଁ ଆମଘରକୁ… ।
– ଆରେ ତୁମକୁ ଚିହ୍ନିବେତ??
– କେଜାଣି!! ବେପରୁଆ ଭାବେ ଉତ୍ତର ଦେଇଥିଲାନିଗୁ ନିଜକୁ । କକାଙ୍କର ଏକମାତ୍ର ଝିଅ, ଖୁବ୍ ବଢ଼ୁଆଳ ବୋଲି ତାଙ୍କୁ ଚଉଦବର୍ଷରେ ବାହାକରିବାର ବ୍ୟବସ୍ଥା କଲା ବେଳେ, ସେ ନିଜେ ରାଜିହୋଇ ବାହା ହୋଇଯାଇଥିଲା । କକା ଜିଅନ୍ତା ଶ୍ରାଦ୍ଧ ହୋଇଯାଇଥିଲା । ଯାହା ପାଇଁ ସେ ଗାଁକୁ ଫେରନ୍ତି ନାହିଁ ।

ତାଙ୍କର ଅନେକ ଗୁଡ଼ାଏ ଭାଇଥିଲେ । ସମସ୍ତେ ପ୍ରାୟ ଜନ୍ମର କେଇବର୍ଷ ପରେ ମୃତ୍ୟୁବରଣ କରିଥିଲେ । ଶେଷକୁ ତାଙ୍କ ବୋଉ ତାଙ୍କ ସାନଭଉଣୀର ପୁଅକୁ ପୁଅକରି ନେଇ ଆସିଲେ । ତା’ପରେ ବାଦରେ ତାଙ୍କର ପାଞ୍ଚଭାଇଙ୍କର ଜନ୍ମ ବୋଲି ବୋଉ କହେ ।

ଟୁନିଅପା କାଳେ ଖୁବ୍ ସ୍ପଷ୍ଟବାଦୀ । ଯାହା କହେ ମୁହଁ ଉପରେ ସିଧାସିଧା… ଆଗପଛ ଦେଖେନି । ତାଙ୍କ ବାବାର ଏଇଗୁଣ କେବଳ ଟୁନିଅପା ଆଣିଥିଲା । କକା କହନ୍ତି ସେ ରାଇଟିଆ… ଯାହାକୁ ଖରାପ ଲାଗିଲା କ\’ଣ ହେଲା ।
ଟୁନିଅପାଙ୍କ ଶାଶୁଘର କାଳେ ନିପଟ ମଫସଲରେ ଥିଲା । ଯେଉଁଠି ସେ ଓ ତାଙ୍କ ପିଲାମାନେ ରହିବେନି ବୋଲି, ସେଠିକାର ସବୁ ସମ୍ପତ୍ତି ବିକ୍ରିକରି ଦେଇ ସେମାନେ ବର୍ତ୍ତମାନ ଭୁବନେଶ୍ୱର ଓ କଟକ ଜାଗା କିଣି ରହୁଛନ୍ତି ବାସିନ୍ଦା ହୋଇ ।

ଟୁନିଅପାର ବିରାଟ ପରିବାର ଥିଲା । ସେଠି ତା’ର କଞ୍ଜୁସ୍ ଶାଶୁ ଓ ଶଶ୍ୱର, ତା’ର ଦୁଇଝିଅ ଏବଂ ବାଳୁଙ୍ଗା ପୁଅଟେ ମଧ୍ୟ ଥିଲା । ପ୍ରଥମେ ଯେ ତାକୁ କବାଟ ଖୋଲି ପ୍ରଶ୍ନ କରିଥିଲା ସେ ଟୁନିଅପାର ପୁଅ କୁନା ଥିଲା । ନିଜ ବୟସ ଠାରୁ ଯଥେଷ୍ଟ ବଡ଼ ଦିଶୁଥିବା ବା ମେଦବୃଦ୍ଧି ଜନିତ ରୋଗରେ ପିଡ଼ିତ ଥିଲାପରି ଲାଗିଥିଲା ତାକୁ ଦେଖିବା ପରେ ।

ନିଗୁର ହସହସ ଚେହେରା ଉପରେ ବିରକ୍ତି ଓ ବିସ୍ମୟ ସୂଚକ ପ୍ରଶ୍ନବାଚୀଟିଏ ଛାଟି ଯେ ତା’ ପଛେ ପଛେ ଆସି ଦ୍ୱାରପାଖରେ ଠିଆ ହୋଇଥିଲା ସେ ଟୁନିଅପା ଥିଲା । ସୂତା ନାରଙ୍ଗୀ ଶାଢ଼ୀରେ ନିଜ ବୟସଠାରୁ ଯଥେଷ୍ଟ କମ୍ ଲାଗୁଥିଲା, ଯେତେ ବୟସ୍କ ନିଗୁ ନିଜେ ଆକଳନ କରିଥିଲା କଳ୍ପନାରେ ।

– ଟୁନିଅପା…??
– ହଁ! କ ‘ଣ ହେଲା?? କ’ଣ କାମ??
– ମୁଁ… ମୁଁ… ମାଧପୁରରୁ ଆସିଛି… । ଚିହ୍ନିପାରୁଚ କି??

ମୁଁ ନିଗୁ… ତୁମ ବଡ଼ବାପାଙ୍କ ପୁଅ… । ବହୁ ଉତ୍ସାହ ସହକାରେ ନିଜକୁ ପରିଚିତ କରାଉଥିଲା ନିଗୁ ।
– ଓଃ!! ଯେମିତି ଗରମ ତାୱାରେ ଗ୍ଲାସେ ପାଣି ଢାଳିଦେଲେ ଯେମିତି ଶୁଭେ ସେମିତି ଲାଗିଥିଲା ବିରାମସୂଚକ ଶବ୍ଦଟି ।
– ଏଠି କେମିତି?? ଓଲଟା ପ୍ରଶ୍ନ କରିଥିଲା ଟୁନିଅପା ନିଗୁକୁ ।

ସତ ଲୁଚାଇବାକୁ ନିଗୁ ମିଛ କହିଲା । କହିଲା- “ମୋ’ର ଗୋଟେ ପରୀକ୍ଷା ଅଛି ଆଗକୁ, ସେ ପାଇଁ ଆସିଥିଲି ଏଠିକି… ।
– କେତେଦିନ ରହିବୁ?? ଭିତରକୁ ଆସିବାକୁ ଇସାରା ଦେଇ ପଚାରିଲା ନିଗୁକୁ ପଛକରି ଟୁନି ।
ଉତ୍ତର ପ୍ରକୃତରେ ନଥିଲା ତା’ ପାଖରେ । କ’ଣ କହିବ ସେ । ଚୁପ୍‌ରହି ତା’ର ବ୍ୟାଗ୍‌ଟିକୁ କାନ୍ଧରେ ପକାଇ ଘର ଭିତରକୁ ଗଲା । ତା’ର ଶାଶୁ ଗୋଡ଼ଲମ୍ବାଇ ପାନଡ଼ବା ମେଲି, ପାନରେ ଚୂନ ବୋଳୁଥିଲେ । ପାଖ ଖଟରେ ତା\’ର ଶଶୁର ଶୋଇ ଶୋଇ ଦେଖୁଥିଲେ ଟି.ଭି. ।

ଅନ୍ୟକୁ କଷ୍ଟ ଦେବାଭଳି କଥା କହୁଥିବା ଟୁନିଅପା ପାଖରେ ସୁନ୍ଦର କୋମଳ ହୃଦୟଟେ ଥିଲା । ଯେ ବିନା ଦ୍ୱିଧାରେ ତାକୁ ଆଶ୍ରାଦେଲା ତା’ ଘରେ ସବୁ ପିଛିଲା ଶତ୍ରୁତାକୁ ପାର୍‌କରି । ଦିନେ ଟୁନିଅପା ତା\’ ବାପାଙ୍କର ସବୁଠାରୁ ପ୍ରିୟ ଥିଲା, ଥରେ ଡାକିଦେଲେ, ବାପାଙ୍କ ପାଖକୁ ଧାଇଁଯିବ ।

ନିମ୍ନ ମଧ୍ୟବିତ୍ତ ପରିବାରରେ ଜନ୍ମ ହୋଇଥିବା ଟୁନିଅପାକୁ ଜଣା – ନିମ୍ନମଧ୍ୟବିତ୍ତ ମାନଙ୍କ ପାଖରେ ଧନର ଅଭାବ ଥାଏ ସତ ମାତ୍ର ମନର ନୁହେଁ । ଯେଉଁ ମନ ଆଶ୍ରା ଖୋଜୁଥାଏ; ଓ ବାରମ୍ବାର ଧକ୍କା ଖାଉଥାଏ ମାନ ଅଭିମାନରେ । ଅଭିମାନ ଓ ଅଭିଯୋଗର ସ୍ୱରଲିପି ନେଇ ପରୀକ୍ଷା ଦେଉଥାଏ । ସେ ପାଇଁ ତାକୁ ଦେଖି ସେତେ ବେଶୀ ଖୁସି ହେବାପରି ଅନୁଭବ ଜମା ଆଶା କରୁନଥିଲା ନିଗୁ । ମଣିଷର ଏହା ଏକ ବିଚିତ୍ର ଅଡ଼ୁଆ ମନୋସ୍ଥିତି । ଯେମିତି ଚେତନାର ଚିତ୍ର ଆଙ୍କେ ତାହା ଯଦି ବାସ୍ତବରେ ସେମିତି ନହୁଏ, ତାକୁ ଧକ୍କା ଲାଗେ । ଅସହାୟ ଲାଗେ । ମୁହଁରୁ ହସ ବା ଖୁସିର କିଛି ମଧ୍ୟ ମାନଚିତ୍ର ମାପିପାରି ନଥିଲା ତା’ର ମୁହଁରୁ ନିଗୁ ।

ଈଶ୍ୱର ଚାଲିଯାଇଥିଲା – ଗଲାବେଳକୁ କହିଲା – ମୁଁ ପ୍ରାୟ ଷ୍ଟେସନ୍ ପାଖରେ ଥାଏ । ଦେଖାହେବ… ।
ଏକୁଟିଆ ହୋଇଯାଇଥିଲା ନିଗୁ ଯେମିତି । ଚାରିପାଖ ଶୂନ୍ୟ; ତାକୁ ଯେମିତି କାବୁକରି ନେଇଥିଲା ଅନେକ ଆବୁରୁଜାବୁର ଅନ୍ୟମନସ୍କତା । ସେ ଯେମିତି କାହା ଉପରେ ବୋଝ ପରି ଅନୁଭବ କରୁଥିଲା ପ୍ରତି ମୁହୂର୍ତ୍ତ । ତାକୁ ଟୁନିଅପାର ସିଧାସିଧା ଅନେକ କଥା କାଟୁଥିଲା । ଠିକ୍ ତା’ ବୋଉ ପରି, ମାତ୍ର ଏଠି କିଛି ପ୍ରତିକ୍ରିୟା ଦେଖାଇବା ବୃଥା ।

ଟୁନିଅପାର ବିରାଟ ଟି.ଭି ର ବିରାଟ ବିରାଟ ଛବି ଠିକ୍ ସିନେମାହଲ୍ ପରି ଲାଗୁଥିଲା । ଅନେକ ଚିତ୍ର, ଅନେକ ଚିଜ ତା’ ଘରେ ଥିଲା, ଯାହା ତା’ ଜୀବନକାଳ ମଧ୍ୟରେ କେବେ ଦେଖି ନଥିଲା । ସେମାନେ ତାଙ୍କ ଘରେ ଖରାଦିନେ ଅତିବେଶୀ ହେଲେ ଟେବୁଲ୍ ଫ୍ୟାନ୍ ଲଗାଇ ଶୁଅନ୍ତି । ମାତ୍ର ଟୁନିଅପା ଘରେ ରଂଗବେରଂଗର ଗୋଟେ ପାଣିବାକ୍ସଭିତରେ କେତେ ରଙ୍ଗର ପଥର ଓ ବିଭିନ୍ନ ରଙ୍ଗର ମାଛ । ଚକିତ ହୋଇ ନଇପଡ଼ି ନିରିଖେଇ ଦେଖିଲା ତା’ ଭିତରକୁ । ମାଛମାନେ ଖେଳୁଥିଲେ ଅତି ଚଞ୍ଚଳତାର ସହ । ଟୁନିଅପା ଘରେ ବଡ଼ ବଡ଼ କୁଲର ଥିଲା, ଏସି ଥିଲା ।

କ୍ରମଶଃ….

 

 

Comments are closed.