Latest Odisha News

ଜବତ ହେଲା ଆଇଏଏସ୍‌ ଅଧିକାରୀ ପୂଜା ଖେଡକାରଙ୍କ ଅଡି କାର

ନୂଆଦିଲ୍ଲୀ: ଦିନକୁ ଦିନ ବଢିବାରେ ଲାଗିଛି ଟ୍ରେନିଂ ଆଇଏଏସ୍‌ ଅଧିକାରୀ ପୂଜା ଖେଡକାର ଅଡ଼ୁଆ । ଜବତ ହୋଇଛି ଆଇଏଏସ୍‌ ଅଧିକାରୀ ପୂଜା ଖେଡକାରଙ୍କ ଅଡି କାର । ବାରମ଼୍ବାର ଟ୍ରାଫିକ୍‌ ନିୟମ ଭାଙ୍ଗିଥିବା ଅଭିଯୋଗରେ ପୁନେ ଟ୍ରାଫିକ୍‌ ପୋଲିସ ପୂଜାଙ୍କର ବିଳାଶପୂର୍ଣ୍ଣ ଅଡି କାରକୁ ଜବତ କରିଛି । ଜବତ ଅଡି କାରକୁ ପୋଲିସ୍‌ ଥାନାକୁ ନେଇଯାଇଛି ।

ଅନ୍ୟପଟେ ପୂଜାଙ୍କ ମା, ବାପାଙ୍କ ନାମରେ ମଧ୍ୟ ପୁନେର ପାଉଦ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି । ତାଙ୍କ ବିରୋଧରେ ଆର୍ମସ୍ ଆକ୍ଟରେ ଏକାଧିକ ଦଫା ଲାଗିଛି । ପୂଜାଙ୍କ ମା’ ମନୋରମା ବନ୍ଧୁକ ଦେଖାଇ ଧମକାଉଥିବା ଅଭିଯୋଗ ହେବା ପରେ ଏନେଇ ରୁଜୁ ହୋଇଛି ମାମଲା। ପୂଜା ଖେଡକର୍ ମହାରାଷ୍ଟ୍ର କ୍ୟାଡରର ୨୦୨୩ ବ୍ୟାଚ୍ ର ଜଣେ ଆଇଏଏସ୍ ଅଧିକାରୀ। ସେ ୟୁପିଏସସି ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ୮୪୧ ରାଙ୍କ୍ ହାସଲ କରିଥିଲେ। ଜଣେ ଟ୍ରେନିଂ ଆଇଏଏସ୍ ଅଧିକାରୀ ଭାବେ ପୁଣେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯୋଗ ଦେବା ପୂର୍ବରୁ ପୂଜା ଅନେକ କିଛି ବିଳାସପୂର୍ଣ୍ଣ ସୁବିଧା ଦାବି କରିଥିବା ଅଭିଯୋଗ ହୋଇଛି।

ପୁଣେ ଜିଲ୍ଲାପାଳଙ୍କ ରିପୋର୍ଟ ଅନୁସାରେ, ଜୁନ୍ ୩ରେ ଯୋଗ ଦେବା ପୂର୍ବରୁ ସେ ଏକ ଅଲଗା କ୍ୟାବିନ୍, ଫ୍ଲାଟ୍, ଗାଡ଼ି ଏବଂ ଜଣେ ପିଅନ ଦାବି କରିଥିଲେ। ତେବେ ଏହି ସମସ୍ତ ଦାବି ଖାରଜ କରିଦିଆଯାଇଥିଲା। ପୂଜା ପ୍ରଶିକ୍ଷଣ ନେଉଥିବାବେଳେ ନିଜ ପଦବୀର ଅପବ୍ୟବହାର କରିଥିବା ଅଭିଯୋଗ ମଧ୍ୟ ହୋଇଛି। ସେ ତାଙ୍କ ବ୍ୟକ୍ତିଗତ ଗାଡ଼ିରେ ଭିଆଇପି ନମ୍ବର ପ୍ଲେଟ୍, ନାଲି ଓ ନୀଳ ବତି ସହ ମହାରାଷ୍ଟ୍ର ସରକାରଙ୍କ ଷ୍ଟିକର ବ୍ୟବହାର କରୁଥିବାର ଅଭିଯୋଗ ହୋଇଛି। ଏହି ସମସ୍ତ କାର୍ଯ୍ୟକଳାପ ପାଇଁ ପୂଜାଙ୍କୁ ମହାରାଷ୍ଟ୍ର ସରକାର ପୁଣେରୁ ୱାଶିମ୍ ଜିଲ୍ଲାକୁ ବଦଳି କରିଥିଲେ। ସେ ଏବେ ଅତିରିକ୍ତ ଆସିଷ୍ଟାଣ୍ଟ୍ କଲେକ୍ଟର ଭାବେ କାର୍ଯ୍ୟରତ।

ସୂଚନା ଥାଉକି, ପୂଜା ଖେଡକର ପଛୁଆ ବର୍ଗ ପ୍ରମାଣ ପତ୍ର ପ୍ରସ୍ତୁତ କରିଥିବା ଅଭିଯୋଗ ରହିଛି । ଏପରିକି ସେ ମାନସିକ ରୋଗରେ ପୀଡ଼ିତ ଥିବା ନେଇ ମଧ୍ୟ ଏକ ନକଲି ସାର୍ଟିଫିକେଟ ଜମା କରିଛନ୍ତି । ଏହି ପ୍ରମାଣପତ୍ରର ଭେରିଫିକେସନ ପାଇଁ ତାଙ୍କୁ ୨୦୨୨ ଏପ୍ରିଲରେ ଦିଲ୍ଲୀ ଏମ୍ସ ଯିବାକୁ କୁହାଯାଇଥିଲା । ମାତ୍ର ସେ କୋରୋନା ମହାମାରୀର ବାହାନା ଦେଖାଇ ଯାଞ୍ଚ ଲାଗି ଏମ୍ସରେ ପହଞ୍ଚି ନଥିଲେ । ଏବେ ଏନେଇ ଅଭିଯୋଗ ହେବା ପରେ ଯାଞ୍ଚ ପ୍ରକ୍ରିୟାକୁ ତ୍ବରାନ୍ବିତ କରାଯାଇଛି । ଯଦି ସାର୍ଟିଫିକେଟ ଗୁଡ଼ିକ ନକଲି ବାହାରେ ତେବେ ସେ ଚାକିରିରୁ ବିଦା ହୋଇପାରନ୍ତି ।

Comments are closed.