ନଭି ମୁମ୍ବାଇ : ନଭି ମୁମ୍ବାଇର ଖାରଘରଠାରେ ଅବସ୍ଥିତ ଏକମାତ୍ର ଜଗନ୍ନାଥ ମନ୍ଦିରରେ ମହାସମାରୋହରେ ପବିତ୍ର ବାହୁଡ଼ା ଯାତ୍ରା ପାଳନ କରାଯାଇଛି। ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଂଘ (ମୋୱା)ଦ୍ୱାରା ଆୟୋଜିତ ଏହି ଭବ୍ୟ ଉତ୍ସବ ଉପଲକ୍ଷେ ହରିହର ପୀଠ ଠାରେ ଥିବା ଗୁଣ୍ଡିଚା ମନ୍ଦିରର ଆଡ଼ପ ମଣ୍ଡପରେ ବିରାଜମାନ କରିଥିବା ଚତୁର୍ଦ୍ଧା ମୂର୍ତ୍ତିଙ୍କର ସାମ୍ନାରେ ସ୍ୱତନ୍ତ୍ର ନୀତିକାନ୍ତି ଓ ପୂଜାର୍ଚ୍ଚନା ଧାର୍ମିକ ବିଧି ମୁତାବକ ସମ୍ପନ୍ନ କରାଯାଇଥିଲା। ଅପରାହ୍ନରେ ମୌୱାର ଟ୍ରଷ୍ଟି ଓ ସଭାପତି ଭଗବାନ ପଣ୍ଡା ପାରମ୍ପରିକ ଛେରା ପହଁରା ନୀତି ସମ୍ପନ୍ନ କରିଥିଲେ ଓ ରଥ ଟଣା କାର୍ଯ୍ୟ ଶୁଭାରମ୍ଭ ହୋଇଥିଲା।
ହରିହର ପୀଠ ଠାରେ ଉପସ୍ଥିତ ସହସ୍ରାଧିକ ଭକ୍ତମାନେ ରଥଟିକୁ ଟାଣି ଟାଣି ମୁଖ୍ୟ ମନ୍ଦିରର ବେଢ଼ାକୁ ସନ୍ଧ୍ୟା ସୁଦ୍ଧା ଫେରାଇ ଆଣିଥିଲେ। ଖାରଘରର ରାଜରାସ୍ତାରେ ରାଜକୀୟ ରଥ ଉପରେ ମହାପ୍ରଭୁଙ୍କର ବାହୁଡା ଯାତ୍ରା ବେଶ ହୃଦୟସ୍ପର୍ଶୀ ଥିଲା।ଭକ୍ତ ଓ ଭଗବାନଙ୍କର ଅପୂର୍ବ ମିଳନ ଅନନ୍ୟ ଓ ଅନୁପମ ଥିଲା।ମନ୍ଦିର ଅଗଣାକୁ ଫେରିବା ପରେ ରଥ ଉପରେ ଜଗତର ନାଥ ଜଗନ୍ନାଥ, ବଡ଼ଭାଇ ବଳଭଦ୍ର , ଭଉଣୀ ଦେବୀ ସୁଭଦ୍ରା ଓ ପ୍ରଭୁ ସୁଦର୍ଶନ ଭକ୍ତମାନଙ୍କୁ ଦିବ୍ୟ ଓ ଭବ୍ୟ ଦର୍ଶନ ପ୍ରଦାନ କରିଥିଲେ। ରଥ ଉପରେ ଠାକୁର ମାନେ ଆସନ୍ତା ଦୁଇଦିନ ଧରି ରହିବେ ଏବଂ ଆସନ୍ତା ସତର ତାରିଖରେ ରଥରେ ହିଁ ସୁନା ବେଶ ଏବଂ ଅଧରପଣା ଆଦି ବିଧି ସମ୍ପନ୍ନ କରାଯିବା ପରେ ସେହିଦିନ ବିଳମ୍ବିତ ରାତିରେ ସାହି ରୋଷଣୀ କରାଯାଇ ଚାରିଦିଅଁଙ୍କୁ ରଥ ଉପରୁ ମୁଖ୍ୟ ମନ୍ଦିର ଭିତରକୁ ନିଆଯାଇ ରତ୍ନ ସିଂହାସନ ରେ ଆସୀନ କରାଯିବ ବୋଲି ଜଣାଯାଇଛି।
ସମଗ୍ର ବାହୁଡା ଯାତ୍ରା ଉତ୍ସବକୁ ସୂଚାରୁ ରୂପେ ଆୟୋଜନ କରିବାରେ ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଙ୍ଘର ଟ୍ରଷ୍ଟି ବୃନ୍ଦ ଯଥା ଭଗବାନ ପଣ୍ଡା, ବଳରାମ ପାତ୍ର, ବି.ଏସ. ପଟ୍ଟନାୟକ, ମନୋଜ କୁମାର ନାୟକ,ବିଘ୍ନରାଜ ପରିଡା, କେତନ ଗୋଖଲେ, ବି.ସି. ଖଟୁଆ,ଜି.ଏସ. ଗିଲ, କ୍ୟାପଟେନ ଏସ. ପି. ରାଓ, ମାଗୁଣି ରାଉତ,ପି.ଏମ ମହାପାତ୍ର ତଥା ରବିନାରାୟଣ ମିଶ୍ରଙ୍କ ନେତୃତ୍ବରେ ବରିଷ୍ଠ ଉପଦେଷ୍ଟା ମଣ୍ଡଳୀ ଏବଂ ପରିଚାଳନା କମିଟିର ଅନ୍ୟାନ୍ୟ ସଦସ୍ୟମାନେ ମହତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ।
Comments are closed.