Mausi Maa Poda Pitha: ପୋଡା ହୁଏ ନାହିଁ ମହାପ୍ରଭୁଙ୍କ ପୋଡପିଠା! ଭରି ରହିଛି ମାଉସୀ ମା’ଙ୍କ ସ୍ନେହ…ଜାଣନ୍ତୁ ମାଉସୀ ମା’ କିପରି ପ୍ରସ୍ତୁତ କରନ୍ତି ମହାପ୍ରଭୁଙ୍କ ମନପସନ୍ଦର ଏହି ପିଠା?
ପୁରୀ: ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ମାନବୀୟ ସମ୍ପର୍କ, ସ୍ନେହ, ମମତା ଓ ଭକ୍ତିର ଏକ ଅପୂର୍ବ ଉଦାହରଣ। ନବଦିନ ଧରି ଆଡ଼ପ ମଣ୍ଡପରେ ରହିବା ପରେ ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିର ଫେରୁଥିବା ବେଳେ ମହାପ୍ରଭୁ ଶ୍ରୀଜଗନ୍ନାଥ ମାଉସୀ ମା’ଙ୍କ ମନ୍ଦିରରେ ଅଟକି ତାଙ୍କ ପ୍ରିୟ ଭୋଗ ପୋଡ଼ପିଠା ଗ୍ରହଣ କରନ୍ତି। ଶତାବ୍ଦୀ ଧରି ଚାଲିଆସୁଥିବା ଏହି ପରମ୍ପରା ଆଜି ବି ଭକ୍ତମାନଙ୍କ ଆଖିକୁ ଭିଜାଇ ଦିଏ।
ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ପ୍ରତ୍ୟେକ ଲୀଳା ମଣିଷ ଜୀବନ ସହ ଜଡ଼ିତ। ଯେପରି ଜଣେ ପୁତୁରା ମାଉସୀ ଘରକୁ ଯାଇ ସ୍ନେହ ଓ ଆଦରରେ ଭରପୂର ଖାଦ୍ୟ ଖାଏ, ସେହିଭଳି କାଳିଆ ଠାକୁର ମଧ୍ୟ ବାହୁଡ଼ା ବେଳେ ମାଉସୀ ମା’ଙ୍କ ହାତର ପୋଡ଼ପିଠା ଭୋଗ ଗ୍ରହଣ କରନ୍ତି। ଏହା କେବଳ ଭୋଗ ନୁହେଁ, ବରଂ ମାଉସୀ ମା’ଙ୍କ ଅସୀମ ସ୍ନେହ, ମମତା ଓ ଆତ୍ମୀୟତାର ପ୍ରତୀକ।
ଏହି ପରମ୍ପରା ପାଇଁ ବାହୁଡ଼ା ପୂର୍ବରୁ ମାଉସୀ ମା’ଙ୍କ ମନ୍ଦିରରେ ଆରମ୍ଭ ହୋଇଯାଏ ପୋଡ଼ପିଠା ପ୍ରସ୍ତୁତି। ଏହି ପବିତ୍ର ଦାୟିତ୍ୱ ତୁଲାନ୍ତି ମନ୍ଦିରର ପୂଜକ ଓ ସେବକ ବିଶ୍ୱନାଥ ମିଶ୍ର। ସମ୍ପୂର୍ଣ୍ଣ ଶୁଦ୍ଧପୁତ ଭାବେ ରହି, କେବଳ ଏକବେଳା ହବିଷା ଅନ୍ନ ଭୋଜନ କରି ସେ ପ୍ରସ୍ତୁତ କରନ୍ତି ଏହି ମହାପ୍ରସାଦ।
ପୋଡ଼ପିଠା ପ୍ରସ୍ତୁତିର ପ୍ରକ୍ରିୟା ମଧ୍ୟ ବେଶ୍ ନିଆରା। ଅଟାରେ ଛେନା, ଚିନି, ପିସ୍ତା ବାଦାମ, ଅଳେଇଚ, ଲବଙ୍ଗ ଓ ଦେଶୀ ଘିଅ ମିଶାଇ ଏକ ସ୍ୱତନ୍ତ୍ର ମିଶ୍ରଣ ପ୍ରସ୍ତୁତ କରାଯାଏ। ପରେ ଏହାକୁ ପିଠା ଆକାର ଦେଇ ଚୁଲିରେ ବସାଯାଇ ପ୍ରାୟ ୮ ଘଣ୍ଟା ଧରି ବାମ୍ଫରେ ସିଝାଯାଏ। ଥଣ୍ଡା ହେବା ପରେ ଖଣ୍ଡ ଖଣ୍ଡ କରି କଟାଯାଇ ପୁଣିଥରେ ଶୁଦ୍ଧ ଦେଶୀ ଘିଅରେ ଛଣାଯାଏ। ଶେଷରେ ତିନି ଠାକୁରଙ୍କ ପାଇଁ ତିନୋଟି କୁଡୁଆରେ ଏହି ଭୋଗ ସମର୍ପଣ କରାଯାଏ।
ବଡଦାଣ୍ଡ ମଧ୍ୟ ଭାଗରେ ବଳଗଣ୍ଡି ଛକ । ଏଇଠି ମାଉସୀ ମା ମନ୍ଦିର ରହିଛି । ସମୁଦ୍ରର ପ୍ରଳୟ କାଳରେ ଶୋଷଣ କରି ଶ୍ରୀକ୍ଷେତ୍ରକୁ ରକ୍ଷା କରିଥିବା ଅର୍ଦ୍ଧାସନୀ ବା ଅର୍ଦ୍ଧଶୋଷଣୀଙ୍କୁ ସମସ୍ତ ଦେବାଦେବୀ ମାତୃ ରୂପରେ ଗ୍ରହଣ କରିଛନ୍ତି । ଏଣୁ ଦେବୀ ଅର୍ଦ୍ଧାସିନି ଜଗତର ନାଥ ଶ୍ରୀଜଗନ୍ନାଥ , ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ମାଉସୀ ରୂପେ ପରିଚିତ । ବାହୁଡା ସମୟରେ ଶ୍ରୀକ୍ଷେତ୍ର ଅଭିମୁଖେ ଆସୁଥିବା କାଳିଆ ସୁନା ମାଉସୀ ମା ହାତରୁ ପୋଡ ପିଠା ଖାଇ ଫେରିଥାଏ । ଏଥିପାଇଁ ପ୍ରସ୍ତୁତ କରାଯାଉଛି ସୁଆଦିଆ ପୋଡ଼ପିଠା ।
ଆଶ୍ଚର୍ଯ୍ୟର କଥା ହେଉଛି, ଏହାର ନାମ ‘ପୋଡ଼ପିଠା’ ହୋଇଥିଲେ ମଧ୍ୟ ଏହାକୁ ସିଧାସଳଖ ପୋଡ଼ାଯାଏ ନାହିଁ। ବରଂ ଦୀର୍ଘ ସମୟ ବାମ୍ଫରେ ସିଝାଇବା ପରେ ଶୁଦ୍ଧ ଦେଶୀ ଘିଅରେ ଛଣାଯାଇ ଏହାକୁ ପ୍ରସ୍ତୁତ କରାଯାଏ। ଏହି ସ୍ୱତନ୍ତ୍ର ପ୍ରଣାଳୀ ହିଁ ଏହାର ସ୍ୱାଦ ଓ ପବିତ୍ରତାକୁ ଅନନ୍ୟ କରିଥାଏ।
ମା’ଙ୍କ ପୂଜକ ତଥା ପୋଡ ପିଠା ପ୍ରସ୍ତୁତରେ ନିୟୋଜିତ ବିଶ୍ବନାଥ ମିଶ୍ରଙ୍କ କହିବାନୁଯାୟୀ ପିଠା ପ୍ରସ୍ତୁତି ବେଳେ କୌଣସି ବାସ୍ନା ନଥାଏ। ମହାପ୍ରଭୁଙ୍କୁ ଅର୍ପଣ ପରେ ଏଥିରୁ ସ୍ବତନ୍ତ୍ର ବାସ୍ନା ଓ ମହକ ବାହାରିଥାଏ । ମହାପ୍ରଭୁ ଫେରିବା ବେଳେ ସେହି ପୋଡ଼ପିଠା ଖିଆ ଦୃଶ୍ୟକୁ ଦେଖିବା ପାଇଁ ଭକ୍ତ ମାନେ ଅତି ଆନନ୍ଦର ସହ ଅପେକ୍ଷାରେ ରହିଥାନ୍ତି ।
ମାଉସୀ ମା’ର ସ୍ନେହର ଡୋରି, ବାତ୍ସଲ୍ୟ ମମତା ଆଉ କାଳିଆ ଦିଅଁର ମାଉସୀ ମା’ ହାତ ପୋଡ ପିଠା ପାଇଁ ଆସକ୍ତି, ଅନୁରାଗ ବାହୁଡା ଯାତ୍ରାରେ ଦେଖିବାକୁ ମିଳିଥାଏ । ଏହା ହିଁ ଜଗନ୍ନାଥ ସଂସ୍କୃତି ଆଉ ମହାପ୍ରଭୁଙ୍କ ମାନବୀୟ ଲୀଳାଖେଳାର ଅପୂର୍ବ ନିଦର୍ଶନ ।
ମହାପ୍ରଭୁଙ୍କ ଏହି ଲୀଳା ଆମକୁ ଏକ ସୁନ୍ଦର ବାର୍ତ୍ତା ଦିଏ, ଭଗବାନଙ୍କୁ କେବଳ ଆଡ଼ମ୍ବର ନୁହେଁ, ନିଷ୍କପଟ ପ୍ରେମ, ସ୍ନେହ ଓ ଭକ୍ତି ହିଁ ସବୁଠାରୁ ପ୍ରିୟ। ମାଉସୀ ମା’ଙ୍କ ହାତର ପୋଡ଼ପିଠା ସେହି ଅମୂଲ୍ୟ ସ୍ନେହର ପ୍ରତୀକ, ଯାହା ପ୍ରତିବର୍ଷ ବାହୁଡ଼ା ଯାତ୍ରାକୁ ଆହୁରି ଭାବବିହ୍ୱଳ ଓ ସ୍ମରଣୀୟ କରିଦିଏ।
Comments are closed.