Latest Odisha News

ଅଗଷ୍ଟରୁ କିମସରେ ହେବ ମାଗଣା ଗ୍ରହଣଖଣ୍ଡିଆ ଅସ୍ତ୍ରୋପଚାର 

ଭୁବନେଶ୍ୱର: କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡ଼ିକାଲ୍‍ ସାଇନ୍ସ (କିମ୍‍ସ)ରେ ଆସନ୍ତା ଅଗଷ୍ଟ ମାସରୁ ମାଗଣା ଗ୍ରହଣଖଣ୍ଡିଆ ଅସ୍ତ୍ରୋପଚାର କରାଯିବ। ସ୍ମାଇଲ୍‍ ଫାଉଣ୍ଡେସନ୍‍ ସହଯୋଗରେ କିମ୍‍ସରେ ଏହି ସେବା ଯୋଗାଇ ଦିଆଯିବାକୁ ଥିବା ବେଳେ ସମାଜର ସବୁବର୍ଗ ଏହାର ସୁବିଧା ନେଇପାରିବେ। କିମ୍‍ସରେ ବିଶ୍ୱ ପ୍ଲାଷ୍ଟିକ ସର୍ଜରୀ ଦିବସ ପାଳନ ଅବସରରେ କିମ୍‍ସ ମେଡ଼ିକାଲ କଲେଜର ଅଧ୍ୟକ୍ଷ ପ୍ରଫେସର ଅମ୍ବିକା ପ୍ରସାଦ ମହାନ୍ତି, କିମ୍‍ସ ମେଡ଼ିକାଲ୍‍ ଅଧୀକ୍ଷକ ପ୍ରଫେସର ଆର.ସି.ଦାସ, କିମ୍‍ସ୍‍ ପରାମର୍ଶଦାତା ଡ଼ା.ଆର.ଏନ୍‍ ସାମନ୍ତ ଏବଂ ଡ଼ା.ପି.କେ ପଟ୍ଟନାୟକଙ୍କ ଉପସ୍ଥିତିରେ କିମ୍‍ସ ପକ୍ଷରୁ ଏହି ଘୋଷଣା କରାଯାଇଛି।

ଏନେଇ ଗତବର୍ଷ କିମ୍‍ସ ଓ ସ୍ମାଇଲ୍‍ ଫାଉଣ୍ଡେସନ୍‍ ମଧ୍ୟରେ ଏକ ବୁଝାମଣା ସ୍ୱାକ୍ଷର ହୋଇଥିଲା। ସମଗ୍ର ବିଶ୍ୱରେ ହାରାହାରି ୭ଶହ ଲୋକଙ୍କ ମଧ୍ୟରୁ ଜଣେ ଜନ୍ମରୁ ଗ୍ରହଣଖଣ୍ଡିଆ। ଏହାର ମାଗଣା ଚିକିତ୍ସାର ଉପକାରିତା ପ୍ରଭାବିତ ଲୋକଙ୍କ ଜୀବନ ମାନରେ ଉଲ୍ଲେଖନୀୟ ସୁଧାର ଆଣିପାରିବ। ଆସନ୍ତା ବର୍ଷ ବିଶ୍ୱ ପ୍ଲାଷ୍ଟିକ ସର୍ଜରୀ ଦିବସରୁ କିମ୍‍ସରେ ନୂତନ ବର୍ନ ୟୁନିଟ୍‍ କାର୍ଯ୍ୟ କରିବ । ସ୍ମାଇଲ୍‍ ସହଯୋଗରେ କିମ୍‍ସର ଏହି ପ୍ରୟାସ ଅନେକ ପରିବାରରେ ଖୁସି ଆଣିଦେବ ବୋଲି ହସ୍‍ପିଟାଲ୍‍ ପକ୍ଷରୁ ଆଶା ପୋଷଣ କରାଯିବା ସହ ସମସ୍ତଙ୍କୁ ସ୍ୱାସ୍ଥ୍ୟସେବା ଉପଲବ୍‍ଧ କରାଇବା ପ୍ରତିବଦ୍ଧତାର ଏକ ଅଂଶବିଶେଷ ବୋଲି ହସ୍ପିଟାଲ୍‍ ପକ୍ଷରୁ କୁହାଯାଇଛି।

Comments are closed.