Latest Odisha News

ଆରଏସଏସର ମାନଭଞ୍ଜନ ପାଇଁ କିଛି ଏମିତି କଲେ ମୋଦି ସରକାର…..

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପରେ ବିଜେପି ଓ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ମଧ୍ୟରେ ବୃଦ୍ଧି ପାଇଥିବା ଦୂରତା ଓ କନ୍ଦଳରେ ବିରାମ ଲଗାଇଛନ୍ତି ମୋଦି ସରକାର । ନେଇଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ କିନ୍ତୁ ବିବାଦୀୟ ପଦକ୍ଷେପ । ଆରଏସଏସର କାର୍ଯ୍ୟକ୍ରମରେ ସରକାରୀ  କର୍ମଚାରୀଙ୍କ ଅଂଶ ଗ୍ରହଣ ନେଇ ଥିବା ଦୀର୍ଘ ୫୮ ବର୍ଷର ନିଷେଧାଦେଶକୁ ଉଠାଇ ଦିଆଯାଇଛି । ଏଭଳି ଏକ ନିଷ୍ପତ୍ତି ନେଇ ଭବିଷ୍ୟତର ରଣନୀତି ବାବଦରେ ସ୍ପଷ୍ଟ ସଙ୍କେତ ଦେଇଛି ବିଜେପି । ଭବିଷ୍ୟତର ରାଜନୈତିକ ଅଭିଯାନ ଆରଏସଏସର ପୂର୍ଣ୍ଣ ସହ ଯୋଗ ବିନା ସମ୍ଭବ ନାହିଁ ବିଜେପି ଜାଣିଛି । ଏ ଦୃଷ୍ଟିରୁ ଆରଏସଏସ କାର୍ଯ୍ୟକଳାପରେ ସରକାରୀ କର୍ମଚାରୀଙ୍କ ଅଂଶଗ୍ରହଣ ନେଇ ଥିବା କଟକଣା ଉଠାଇ ନେଇଛନ୍ତି ମୋଦି ସରକାର ।

ସ୍ୱାଭାବିକ ଭାବେ ଆରଏଏସ ମୋଦି ସରକାରଙ୍କ ନିଷ୍ପତ୍ତିର ସ୍ୱାଗତ କରିଛି । ସରକାରୀ କର୍ମଚାରୀ ଆରଏଏସର କାର୍ଯ୍ୟକ୍ରମରେ ଭାଗ ନେବା ଦ୍ୱାରା ଦେଶର ଗଣତାନ୍ତ୍ରିକ ବ୍ୟବସ୍ଥା ମଜବୁତ ହେବ ବୋଲି ପ୍ରତିକ୍ରିୟା ଦେଇଛି ସଂଘ । ୧୯୬୬ରେ ତତ୍କାଳୀନ କଂଗ୍ରେସ ସରକାର ସରକାରୀ କର୍ମଚାରୀଙ୍କ ଆରଏସଏସ କାର୍ଯ୍ୟକ୍ରମରେ ସାମିଲ ହେବା ଉପରେ କଟକଣା ଜାରି କରିଥିଲେ ।

ଗତ କିଛିମାସ ଧରି ସଂଘ ଓ ବିଜେପି ମଧ୍ୟରେ ତୁ ତୁ ମେଁ ମେଁ ଜାରି ରହିଥିଲା । ଲୋକସଭା ନିର୍ବାଚନରେ ବିଜେପି ନିଜର ସାମର୍ଥ୍ୟ ଅନୁସାରେ କାମ କରିନଥିବା ନେଇ ଅଭିଯୋଗ କରିଥିଲା ଆରଏସଏସ । ସଂଘ ନେତାମାନେ ଏ ନେଇ ପରୋକ୍ଷ ଟିକାଟିପ୍ପଣୀ କରିଥିଲେ । ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା ମଧ୍ୟ ଆରଏସଏସ ପ୍ରତି ଅରୁଚିକର ଟିପ୍ପଣୀ ଦେଇଥିଲେ ଯାହା କି ନାପସନ୍ଦ କରିଥିଲା ସଂଘ । ଟିକଟ ବଂଟନ ସମେତ କିଛି ସଂଗଠନ ଓ ରାଜନୈତିକ ପ୍ରସଙ୍ଗରେ ମଧ୍ୟ ଆରଏସଏସର ରାୟକୁ ଉପେକ୍ଷା କରାଯାଇଥିବା ନାଗପୁରରୁ ଅଭିଯୋଗ ଆସିଥିଲା । ମତଭେଦ ମଧ୍ୟରେ ନିକଟରେ ରାଂଚିରେ ସଂଘ ମୁଖ୍ୟ  ମୋହନ ଭାଗବତଙ୍କ ସୁପରମ୍ୟାନ ମନ୍ତବ୍ୟ ଥିଲା ବେଶ୍ ଚର୍ଚ୍ଚିତ ।

ଗତ କିଛି ଦିନ ହେବ ବିଜେପି ନେତୃତ୍ୱ ପ୍ରତି ଆରଏସଏସର ସ୍ୱର ଆହୁରି ଶାଣିତ ହୋଇଛି । ଏହାର ଫାଇଦା ଉଠାଇବାକୁ ଚେଷ୍ଟା କରିଛନ୍ତି ବିରୋଧୀ ଦଳ । ସେ ଦୃଷ୍ଟିରୁ ଆରଏସଏସର ମାନଭଞ୍ଜନ ପାଇଁ ବିଜେପି ଚେଷ୍ଟା କରୁଛି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।

ମୋଦି ସରକାରଙ୍କ ନିଷ୍ପତ୍ତିର କଡା ବିରୋଧ କରିଛି କଂଗ୍ରେସ । ବିଚାରଧାରା ଆଧାରରେ ସରକାରୀ କର୍ମଚାରୀଙ୍କ ରାଜନୀତିକରଣ କରିବାକୁ ମୋଦି ସରକାର ଚେଷ୍ଟା କରୁଥିବା କହି କଟୁ ସମାଲୋଚନା କରିଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ । ଏଭଳି ଏକ ନିଷ୍ପତ୍ତି ସରକାର କାହିଁକି ନେଲେ, ତାହାର ଜବାବ ଦିଅନ୍ତୁ ବୋଲି ଦାବି କରିଛି କଂଗ୍ରେସ । ଅନ୍ୟ ବିରୋଧୀ ଦଳ ମଧ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ନିଷ୍ପତ୍ତି ଦେଶବିରୋଧୀ ଓ ସାଂପ୍ରଦାୟିକ ବୋଲି ବିରୋଧୀ ଦଳ ସରକାରଙ୍କୁ ଘେରିଛନ୍ତି ।

କଂଗ୍ରେସର ସମ୍ବିଧାନ ବଂଚାଅ ଅଭିଯାନର ଜବାବରେ କିଛି ଦିନ ତଳେ ବିଜେପି ସମ୍ବିଧାନ ହତ୍ୟା ଦିବସ ସରକାରୀ ଭାବେ ପାଳନ କରିବା ପାଇଁ ଘୋଷଣା କରିଥିଲା । ଏବେ ସଂଘର କାର୍ଯ୍ୟକ୍ରମରେ ସରକାରୀ କର୍ମଚାରୀଙ୍କୁ ଭାଗ ନେବା ପାଇଁ ଅନୁମତି ଦେଇ ବିରୋଧୀଙ୍କ ସହ ଆଉ ଏକ ମୁହାଁମୁହିଁ ସ୍ଥିତି ସୃଷ୍ଟି କରିଛି ବିଜେପି ।

Comments are closed.