Latest Odisha News

BREAKING NEWS

ନୀତୀଶ, ନାଇଡୁଙ୍କ ଉପରେ ମୋଦି ମେହେରବାନ

ନୂଆଦିଲ୍ଲୀ: ଯାହା ଆଶା କରାଯାଉଥିଲା , ତାହା ହିଁ ହେଲା । ବଜେଟରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁଙ୍କ ଉପରେ ମେହେରବାନ ହୋଇଛନ୍ତି ମୋଦି ସରକାର । ନୀତୀଶଙ୍କ ଜେଡିୟୁ ଓ ନାଇଡୁଙ୍କ ଟିଡିପିର ଗୁରୁତ୍ୱପୂର୍ଣ୍ଣ ସମର୍ଥନ ଉପରେ ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳ ନିର୍ଭର କରୁଛି । ସ୍ୱାଭାବିକ ଭାବେ ବିହାର ଓ ଆନ୍ଧ୍ରକୁ ମିଳିିଛି ବଜେଟରେ ପ୍ରାଧାନ୍ୟ ।

 

କେନ୍ଦ୍ର ସରକାର ବିହାର ପାଇଁ ବଜେଟରେ ୨୬ ହଜାର କୋଟି ଟଙ୍କା ସହାୟତା ବ୍ୟବସ୍ଥା କରିଛନ୍ତି । ବିହାରରେ ସଡକ, ଏୟାରପୋର୍ଟ, ପୋଲ, ସ୍ୱାସ୍ଥ୍ୟ କ୍ଷେତ୍ର ଓ ବନ୍ୟା ନିୟନ୍ତ୍ରଣ ପାଇଁ ୨୬ ହଜାର କୋଟି ଟଙ୍କା ସହାୟତା ଘୋଷଣା କରାଯାଇଛି । କେବଳ ସେତିକି ନୁହେଁ, ୨୧ ହଜାର କୋଟି ଟଙ୍କାର ପାୱାର ପ୍ଲାଂଟ ପାଇଁ ବଜେଟରେ ବ୍ୟବସ୍ଥା କରାଯାଇଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ବିହାର ପାଇଁ ବଜେଟ୍ ସହାୟତାରେ ଖୁସି ପ୍ରକାଶ କରିଛନ୍ତି । ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପାଇଁ ନୀତୀଶଙ୍କ ଦାବିକୁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେଇଥିଲେ । ଏ ନେଇ ନୀତୀଶ ସରକାରଙ୍କୁ ଘେରିଥିଲେ ବିହାରର ବିରୋଧୀ ଦଳ । ବିଧାନସଭାରେ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରସଙ୍ଗରେ ବି ହଙ୍ଗାମା କରିଛନ୍ତି ବିରୋଧୀ । ଆରଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବ ନୀତୀଶଙ୍କ ଇସ୍ତଫା ଦାବି କରିଥିଲେ ।

ଏନଡିସି ବା ଜାତୀୟ ବିକାଶ ପରିଷଦ ମାନଦଣ୍ଡ ପୂରଣ କରୁନଥିବାରୁ ବିହାରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦେବାକୁ ମନା କରିଦେଇଥିଲେ କେନ୍ଦ୍ର ସରକାର । ଆଉ ନୀତୀଶଙ୍କୁ ଖୁସି କରିବା ପାଇଁ ବଜେଟରେ ବିହାର ପାଇଁ ବେଶ୍ ଅନୁଗ୍ରହ ଦେଖାଇଛନ୍ତି । ନୀତୀଶ ଖୁସି । କିନ୍ତୁ ବିରୋଧୀ ଏବେ ଚୁପ୍ ହୋଇପାରିବେ କି ? କେନ୍ଦ୍ରର ବିଶେଷ ସହାୟତା ଦେଖାଇ ବିରୋଧୀଙ୍କୁ ଚୁପ୍ କରାଇପାରିବେ କି ନୀତୀଶ ।

ନୀତୀଶ ବିହାରରେ ଆଗୁଆ ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ଜଣାପଡୁଛି । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମିଳିବ ନାହିଁ ବୋଲି ବୋଧହୁଏ ନୀତୀଶ ଜାଣିଥିଲେ । ବିହାର ପାଇଁ ବଜେଟ୍ ସ୍କ୍ରିପ୍ଟ ବୋଧହୁଏ ଆଗରୁ ହିଁ ପ୍ରସ୍ତୁତ କରି ରଖିଥିଲେ କେନ୍ଦ୍ର ସରକାର । ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ନ ହେଲା ନାହିଁ ମିିଳିଲା ବିଶେଷ ଆର୍ଥିକ ପ୍ୟାକେଜ ।

ଆନ୍ଧ୍ର ପ୍ରଦେଶର ଚନ୍ଦ୍ରବାବୁ ନାଇଡୁଙ୍କୁ ମଧ୍ୟ ଖୁସି କରିବାକୁ ଚେଷ୍ଟା କରିଛନ୍ତି ମୋଦି ସରକାର । ଆନ୍ଧ୍ର ପାଇଁ ମଧ୍ୟ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ବିଶେଷ ଆର୍ଥିକ ସହାୟତା । ଆନ୍ଧ୍ର ପାଇଁ ୧୫ ହଜାର କୋଟି ଆର୍ଥିକ ସହାୟତା ଘୋଷଣା କରାଯାଇଛି । ଆହୁରି ଆଗକୁ ଅଧିକ ସହାୟତା ପାଣ୍ଠି ପାଇଁ ପ୍ରତିଶ୍ରୁତି ଦିଆଯାଇଛି । ଆନ୍ଧ୍ରର ରାଜଧାନୀ ଅମରାବତୀର ବିକାଶ ପାଇଁ ୧୫ ହଜାର କୋଟି ପାଣ୍ଠି ମଧ୍ୟ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ।

ଏଥର ଓଡିଶାରେ ବିଜେପି ଲୋକସଭା ନିର୍ବାଚନରେ ୨୧ରୁ ୨୦ ଆସନ ଜିତିଥିଲେ ମଧ୍ୟ ବଜେଟରେ ରାଜ୍ୟ ପାଇଁ କିଛି ନାହିଁ । ଓଡିଶାରେ କେବଳ ପର୍ଯ୍ୟଟନର ବିକାଶ କରାଯିବ ବୋଲି ବଜେଟରେ ଉଲ୍ଲେଖ ରହିଛି । ବିଧାନସଭା ଅଧିବେଶନ ଚାଲିଛି । ତେଣୁ ବଟେଟରେ ଓଡିଶାକୁ ଉପେକ୍ଷା ଆଗକୁ ଏକ ବଡ ରାଡନୈତିକ ପ୍ରସଙ୍ଗ ହେବ ।

Comments are closed.