Latest Odisha News

ବଦଳିଲେ ଛତିଶଗଡ ରାଜ୍ୟପାଳ, ବିଶ୍ଵଭୁଷଣଙ୍କ ସ୍ଥାନରେ ରାମେନ ଡିକା

ନୂଆଦିଲ୍ଲୀ: ୧୦ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ରାଜ୍ୟପାଳ ନିଯୁକ୍ତି କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ । ରାଜସ୍ଥାନ, ତେଲେଙ୍ଗାନା, ସିକ୍କିମ, ଝଡଖଣ୍ଡ, ଛତିଶଗଡ, ମେଘାଳୟ, ମହାରାଷ୍ଟ୍ର, ଚଣ୍ଡିଗଡ, ପଣ୍ଡିଚେରୀ, ମଣିପୁରର ନୂତନ ରାଜ୍ୟପାଳ ନିଯୁକ୍ତି କରିଛନ୍ତି ରାଷ୍ଟ୍ରପତି । ଛତିଶଗଡର ପୂର୍ବତନ ରାଜ୍ୟପାଳ ବିଶ୍ଵଭୁଷଣ ହରିଚନ୍ଦନଙ୍କ ସ୍ଥାନରେ ରାମେନ ଡିକାଙ୍କୁ ରାଜ୍ୟପାଳ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ।

ହରିଚନ୍ଦନ ପୂର୍ବରୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ଭାବେ କାର୍ଯ୍ୟ କରୁଥିଲେ । ଗତବର୍ଷ ଫେବୃଆରୀରେ ତାଙ୍କୁ ଛତିଶଗଡ଼ର ରାଜ୍ୟପାଳଭାବେ ନିଯୁକ୍ତି କରାଯାଇଥିଲା । ବିଶ୍ଵଭୂଷଣ ହରିଚନ୍ଦନ ୨୦୧୯ ମସିହା ଜୁଲାଇ ମାସରୁ ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ରହିଥିଲେ । ତେବେ ରାଜ୍ୟପାଳ ଭାବେ ଦାୟିତ୍ୱ ନେବା ପୂର୍ବରୁ ସେ ଓଡ଼ିଶାର ରାଜନୀତିରେ ବେଶ ସକ୍ରିୟ ରହିଥିଲେ। ବିଶ୍ଵଭୂଷଣ ଚିଲିକା ବିଧାନସଭା ଆସନରୁ ଦୁଇ ଦୁଇଥର ବିଧାୟକ ଥିବାବେଳେ, ୧୯୯୭ରୁ ୨୦୦୯ ପର୍ଯ୍ୟନ୍ତ ଭୁବନେଶ୍ୱର ମଧ୍ୟ ଆସନରୁ ବିଧାୟକ ଥିଲେ।

୧୯୭୭ରେ ପ୍ରଥମ ଥର ପାଇଁ ସେ ମନ୍ତ୍ରୀ ହୋଇଥିଲେ । ୨୦୦୪ ମସିହାରେ ବିଜେପି-ବିଜେଡି ମେଣ୍ଟ ସରକାରରେ ସେ କ୍ୟାବିନେଟ୍‌ ମନ୍ତ୍ରୀ ଥିଲେ । ସେ ଓଡିଶାରେ ରାଜସ୍ୱ ଆଇନ, ଶିଳ୍ପ, ଖାଦ୍ୟ ଯୋଗାଣ, ସଂସ୍କୃତି, ପର୍ଯ୍ୟଟନ ଏବଂ ଗ୍ରାମ୍ୟ ଉନ୍ନୟନ ଆଦି ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ହରିଚନ୍ଦନ ରାଜନୀତି ଛଡା ସାହିତ୍ୟରେ ମଧ୍ୟ ରୁଚି ରଖନ୍ତି ଓ ନିଜ ଆତ୍ମଜୀବନୀ ସମେତ ଅନ୍ୟ ପୁସ୍ତକ ମଧ୍ୟ ରଚନା କରିଛନ୍ତି । ସେଥିପାଇଁ ତାଙ୍କୁ ୨୦୧୯ରେ ବିଶ୍ୱନାଥ ମିଶ୍ର ଆତ୍ମଜୀବନୀ ସମ୍ମାନ ଓ ୨୦୨୧ରେ କଳିଙ୍ଗ ରତ୍ନ ସମ୍ମାନରେ ସମ୍ମାନୀତ କରାଯାଇଥିଲା ।

ବର୍ତ୍ତମାନ ଓଡିଶାରେ ସରକାର ଗଢିଛି ବିଜେଡି । ବିଶ୍ଵଭୂଷଣଙ୍କ ପୁତ୍ର ପୃଥ୍ୱୀରାଜ ହରିଚନ୍ଦନ ୨୦୨୪ ବିଧାନସଭା ନିର୍ବାଚନରେ ବିଜେପିର ପ୍ରାର୍ଥୀ ଭାବରେ ଚିଲିକା ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ଜିତିଛନ୍ତି । ସେ ସମୁଦାୟ ୮୩,୨୬୪ ଖଣ୍ଡ ଭୋଟ୍ ପାଇ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପାର୍ଥୀ ରଘୁନାଥ ସାହୁଙ୍କୁ ୪,୫୬୬ ଖଣ୍ଡ ଭୋଟ୍‌ରେ ପରାସ୍ତ କରି ୧୭ଶ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇଛନ୍ତି । ୧୭ଶ ବିଧାନସଭାରେ ପୃଥ୍ୱୀରାଜ ହରିଚନ୍ଦନ ଆଇନ ମନ୍ତ୍ରୀ ଭାବରେ ଦାୟିତ୍ଵ ତୁଲାଉଛନ୍ତି ।

Comments are closed.