Latest Odisha News

ସରନେମ୍ ବଦଳାଇବାକୁ ଚାହୁଁଛନ୍ତି କି? ତାହାଲେ ଦରକାର ସ୍ୱାମୀଙ୍କ ଅନୁମତି…..

ନୂଆଦିଲ୍ଲୀ: ସଂସଦରେ ସରକାର ରଖିଲେ ସ୍ପଷ୍ଟୀକରଣ । ବିବାହିତ ମହିଳା ଯଦି ସରନେମ ବା ସାଙ୍ଗିଆ ବଦଳାଇବାକୁ ଚାହିଁବେ, ତାହାହେଲେ ସ୍ୱାମୀଙ୍କ ନୋ ଅବଜେକସନ ସାର୍ଟିଫିକେଟ-ଏନଓସି ଜରୁରୀ । ଆଇନଗତ ଝମେଲା ଦୃଷ୍ଟିରୁ ସ୍ୱାମୀଙ୍କ ଏନଓସି ବାଧ୍ୟତାମୂଳକ ବୋଲି କହିଛନ୍ତି କେନ୍ଦ୍ର ସରକାର ।

ସାଙ୍ଗିଆ ବା ସରନେମ ବଦଳାଇବାକୁ ହେଲେ ବିବାହିତ ମହିଳାଙ୍କୁ ସ୍ୱାମୀଙ୍କ ଏନଓସି ଆଣିବା ଜରୁରୀ ବୋଲି କେନ୍ଦ୍ର ସରକାର ପୂର୍ବରୁ ଜାରି କରିଥିଲେ ବିଜ୍ଞପ୍ତି । ସରକାରୀ ବିଜ୍ଞପ୍ତିକୁ ଦିଲ୍ଲୀ ହାଇକୋର୍ଟରେ ଚ୍ୟାଲେଂଜ କରାଯାଇଛି । ସେ ଦୃଷ୍ଟିରୁ ସଂସଦରେ ଏ ପ୍ରସଙ୍ଗରେ ସରକାର ଦେଇଥିବା ସ୍ପଷ୍ଟୀକରଣ ବେଶ୍ ଗୁରୁତ୍ୱ ବହନ କରୁଛି ।

ରାଜ୍ୟସଭାରେ ତୃଣମୂଳ କଂଗ୍ରେସ ସଦସ୍ୟ ସାକେତ ଗୋଖଲେଙ୍କ ପ୍ରଶ୍ନର ଉତ୍ତର ଦେଇ ରାଷ୍ଟ୍ରମନ୍ତ୍ରୀ ତୋଖନ ସାହୁ ସ୍ପଷ୍ଟ କରିଛନ୍ତି ଯେ, ବିବାହିତ ମହିଳା ଯଦି ବିବାହ ପୂର୍ବର ନିଜର ସରନେମ ବା ସାଙ୍ଗିଆ ରଖିବାକୁ ଚାହିଁବେ, ତାହା ହେଲେ ସ୍ୱାମୀଙ୍କ ନୋ ଅବଜେକସନ ସାର୍ଟିଫିକେଟ ଜରୁରୀ । ଏ ନେଇ ଆଗରୁ ବାରମ୍ବାର ବିଜ୍ଞପ୍ତି ଜାରି କରାଯାଇଛି । ସ୍ପଷ୍ଟୀକରଣ ଦେଇ ମନ୍ତ୍ରୀ କହିଛନ୍ତି ଯେ, ସାଙ୍ଗିଆ ବଦଳିଲେ ଜଣେ ବ୍ୟକ୍ତିର ପରିଚୟ ମଧ୍ୟ ବଦଳିଯାଏ । ନାମର ଭୁଲ୍ ବ୍ୟବହାର ରୋକିବା ପାଇଁ ଯାଂଚ ଜରୁରୀ । ଏଥିପାଇଁ ନାମ ବଦଳାଇବା ପ୍ରକ୍ରିୟାରେ ପତିଙ୍କ ଏନଓସି ବାଧ୍ୟତାମୂଳକ ବୋଲି ସ୍ପଷ୍ଟ କରିଛନ୍ତି ସରକାର ।

ଦିଲ୍ଲୀ ହାଇକୋର୍ଟରେ ସରକାରଙ୍କ ଏନଓସି ସଂପର୍କିତ ବିଜ୍ଞପ୍ତିକୁ ଚ୍ୟାଲେଂଜ କରାଯାଇଥିବା ପିଟିସନର ଶୁଣାଣି ଅଗଷ୍ଟ ୭ ତାରିଖରେ ହେବ । ହାଇକୋର୍ଟ ଏହି ମାମଲାରେ କେନ୍ଦ୍ର ସରକାରଙ୍କ ଜବାବ ଲୋଡିଛନ୍ତି ।

ଉପନାମ ବା ସାଙ୍ଗିଆ ବଦଳାଇବା ପାଇଁ କେନ୍ଦ୍ର ସରକାରଙ୍କ ଅଧିସୂଚନା ଭେଦଭାବପୂର୍ଣ୍ଣ । ସରକାରୀ ବିଜ୍ଞପ୍ତି ସମ୍ବିଧାନର ଅନୁଚ୍ଛେଦ ୧୪, ୧୯ ଓ ୨୧ ଅନୁସାରେ ମୌଳିକ ଅଧିକାର ଉଲ୍ଲଂଘନ କରୁଛି ବୋଲି ଦର୍ଶାଇ ଜଣେ ୪୦ ବର୍ଷିୟା ମହିଳା ଦିଲ୍ଲୀ ହାଇକୋର୍ଟରେ ପିଟିସନ ଦାଖଲ କରିଛନ୍ତି ।

ମହିଳା ଜଣକ ଛାଡପତ୍ର ପୂର୍ବର ନାମ ରଖିବାକୁ ଚାହାନ୍ତି । କିନ୍ତୁ ସରକାରଙ୍କ ଅଧିସୂଚନା ତାଙ୍କ ପାଇଁ ସମସ୍ୟା ହୋଇଛି । ୨୦୧୪ରେ ମହିଳା ଜଣକ ପତିଙ୍କ ସରନେମ ବା ସାଙ୍ଗିଆ ନିଜ ନାମ ସହ ଯୋଡିଥିଲେ । ୨୦୧୯ରେ ସେ ପତି ଓ ନିଜର ସାଙ୍ଗିଆ ନାମ ପଛରେ ଲଗାଇଥିଲେ । ଗତବର୍ଷ ମହିଳା ଜଣକ ଛାଡପତ୍ର ଆବେଦନ କରିଛନ୍ତି, ଯାହା କି ବିଚାରାଧୀନ ଅଛି । ମହିଳା ଜଣକ ଶିକ୍ଷା ଓ ଆର୍ଥିକ ଦୃଷ୍ଟିରୁ ପୂର୍ବର ସରନେମ ରଖିବାକୁ ଚାହୁଁଛନ୍ତି । କିନ୍ତୁ ସରକାରଙ୍କ ଏନଓସି ଅଧିସୂଚନା ଅଡୁଆ ହୋଇଛି । ଏବେ ଦିଲ୍ଲୀ ହାଇକୋର୍ଟଙ୍କ ରାୟକୁ ଅପେକ୍ଷା ।

 

Comments are closed.