Latest Odisha News

BREAKING NEWS

ବିଜେପିରେ ସାମିଲ ହେଲେ ମମତା ମହାନ୍ତ

ଭୁବନେଶ୍ବର: ବିଜେପିରେ ସାମିଲ ହେଲେ ମମତା ମହାନ୍ତ । ଗତକାଲି ବିଜେଡିରୁ ଇସ୍ତଫା ଦେବା ସହିତ ରାଜ୍ୟସଭା ସଦସ୍ୟ ପଦରୁ ମଧ୍ୟ ସେ ଇସ୍ତଫା ଦେଇଥିଲେ । ଯାହା ପରେ ରାଜ୍ୟ ରାଜନୀତି ସରଗରମ ରହିଥିଲା ବେଳେ ଆଜି ବିଧିବଦ୍ଧ ଭାବେ ଦିଲ୍ଲୀରେ ବିଜେପିରେ ସାମିଲ ହୋଇଛନ୍ତି ମମତା ।

ତେବେ ନିର୍ବାଚନରେ ହାରିବା ପରେ ଏଥର ବିଜେଡିର ବଳ ଥିଲା ରାଜ୍ୟସଭାରେ ସଂଖ୍ୟାଗରିଷ୍ଠତା । ହେଲେ ଗତକାଲି ଏଥିରେ ମଧ୍ୟ ବିଜେଡିକୁ ଶକ୍ତ ଆଘାତ ଲାଗିଛି । ନିଜର ରାଜ୍ୟସଭା ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ ମମତା ମହାନ୍ତ । ଯାହାପରେ ରାଜ୍ୟସଭାରେ ଦଳର ସଂଖ୍ୟା ଗରିଷ୍ଠତା ୯ ରୁ ୮କୁ ଖସିଛି । ଏହା ସହିତ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିଜର ଇସ୍ତଫା ପତ୍ର ଦେଇ ବିଜେଡି ଦଳ ମଧ୍ୟ ଛାଡିଥିଲେ । ଯାହାକୁ ନେଇ ନିଜ ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦେଇଥିଲେ ମମତା ।

ଯେଉଁଥିରେ ମମତା ଲେଖିଥିଲେ, ବିଜେଡିରେ ସେ ଅଲୋଡା ହୋଇପଡିଥିଲେ । ଦଳରେ ତାଙ୍କର ଆବଶ୍ୟକତା ସେ ଅନୁଭବ ନକରିବାରୁ ସେ ଦଳ ତ୍ୟାଗ କରୁଥିବା କହିଥିଲେ । ଆଉ ଆଜି ବିଜେପିରେ ସାମିଲ ହୋଇଛନ୍ତି ମମତା । ବିଜେପି ଦିଲ୍ଲୀ ମୁଖ୍ୟାଳୟରେ ବିଜେପି କର୍ମକର୍ତ୍ତାଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି ମମତା । ଏନେଇ ସେ କହିଛନ୍ତି, ବିଜେଡିରେ ଅଣଦେଖା ହେଉଥିଲେ । ଦଳରେ ମୋର ଆଉ ଲୋଡା ନଥିବା ଅନୁଭବ କରି ମୁଁ ବିଜେଡି ଛାଡିଥିଲି । ଆଉ ଆଜି ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ବିଚାରଧାରାରେ ଅନୁପ୍ରାଣିତ ହେବା ସହ ଲୋକଙ୍କର ଓ କୁଡୁମୀ ସମାଜର ଉନ୍ନତି ପାଇଁ ବିଜେପିରେ ମିଶିଲି ବୋଲି କହିଛନ୍ତି ମମତା ।

ତେବେ କହିରଖୁଛୁ, ମୟୁରଭଞ୍ଜ ଜିଲ୍ଲାର ଜଣେ ଟାଣୁଆ ନେତ୍ରୀ ଭାବେ ପରିଚିତ ମମତା ମହାନ୍ତ ୨୦୨୦ରେ ବିଜେଡି ସାଂସଦ ଭାବେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୨୬ରେ ତାଙ୍କର କାର୍ଯ୍ୟକାଳ ସରିବା ପୂର୍ବରୁ ସେ ରାଜ୍ୟସଭା ସଦସ୍ୟ ପଦ ସହିତ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ ।

Comments are closed.