Latest Odisha News

ପୁଣି ହେବନି ନିଟ୍ ପରୀକ୍ଷା, କିଛି ଏମିତି ରୋକ ଠୋକ୍ ଶୁଣାଇ ଦେଲେ ସୁପ୍ରିମକୋର୍ଟ….

ନୂଆଦିଲ୍ଲୀ: ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା ଓ ପୁନଃ- ପରୀକ୍ଷାକୁ ନେଇ ଶୁକ୍ରବାର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ପୁଣି ପରୀକ୍ଷା ହେବ ନାହିଁ ବୋଲି ରୋକ୍ ଠୋକ୍ ଶୁଣାଇ ଦେଇଛନ୍ତି । ପୁନଃ- ପରୀକ୍ଷା ପାଇଁ ଦିଆଯାଇଥିବା ଆବେଦନକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ତେବେ ଏନେଇ ପୂର୍ବରୁ ସୁପ୍ରିମକୋର୍ଟ ମନା କରିଥିବା ବେଳେ ଏହାସହିତ ପୁନର୍ବାର କାହିଁକି ନିଟ୍ ପରୀକ୍ଷା କରାଯିବ ନାହିଁ ସେନେଇ ଶୁକ୍ରବାର ଶୁଣାଣିରେ କାରଣ ଦର୍ଶାଇଛନ୍ତି ।

ଏନେଇ ସୁପ୍ରିମ କୋର୍ଟ କହିଛନ୍ତି, ନିଟ୍‌ ପରୀକ୍ଷା ମାମଲାରେ ସେପରି ବଡ଼ଧରଣର ପେପର ଲିକ୍‌ ହୋଇନାହିଁ । ଏହା କେବଳ ପାଟନା ଓ ହଜାରୀବାଗରେ ଲିକ୍‌ ହୋଇଥିଲା । ତେବେ ଏଥିରେ ପୂରା ବ୍ୟବସ୍ଥାକୁ ଦାୟୀ କରାଯାଇପାରିବ ନାହିଁ । ଏହା କେବଳ କିଛି ସ୍ଥାନରେ ପରୀକ୍ଷା ପ୍ରକ୍ରିୟାର ଦୁର୍ବଳତା ଅଟେ । ଏହା ସହିତ କୋର୍ଟ ଆହୁରି ବି କହିଛନ୍ତି, ଉପଯୁକ୍ତ ପରୀକ୍ଷାର୍ଥୀଙ୍କ ଚିହ୍ନଟ କରି, ପେପର ଲିକକୁ ରୋକିବା ପାଇଁ ଷ୍ଟୋରେଜ୍ ବ୍ୟବସ୍ଥାର ଏସଓପି ତିଆରି କରିବା ସରକାର ଓ ଏନଟିଏର ଦାୟିତ୍ବ ।

ଏଥିସହିତ ପୁନର୍ବାର ପରୀକ୍ଷା ପାଇଁ କରାଯାଇଥିବା ଆବେଦନକୁ ମଧ୍ୟ ସୁପ୍ରିମକୋର୍ଟ ଖାରଜ କରିଛନ୍ତି । ଅନ୍ୟପକ୍ଷରେ ପରୀକ୍ଷା ବ୍ୟବସ୍ଥାରେ ଏଭଳି ଅନିୟମିତତାକୁ ଆଗକୁ ଧ୍ୟାନ ଦେବା ପାଇଁ ଏନଟିଏକୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ । ଏନେଇ ସୁପ୍ରିମକୋର୍ଟ କହିଛନ୍ତି, ପରୀକ୍ଷା କରିବାର ପ୍ରକ୍ରିୟାକୁ ଏନଟିଏ ବଦଳାଇବା ଦରକାର । ପ୍ରଶ୍ନପତ୍ର ପ୍ରସ୍ତୁତି ଠାରୁ ଆରମ୍ଭ କରି ପରୀକ୍ଷା ସରିବା ପର୍ଯ୍ୟନ୍ତ କଡା ଯାଞ୍ଚ ପ୍ରକ୍ରିୟା ଜାରି କରିବା ଉଚିତ୍ । ପ୍ରଶ୍ନପତ୍ର ସଂଚାଳନ ଓ ଏହାର ଯାଞ୍ଚ ପାଇଁ ଏକ ଏସଓପି ପ୍ରସ୍ତୁତ କରାଯିବା ଉଚିତ୍ । ଏହା ସହିତ ପ୍ରଶ୍ନପତ୍ର ବିଭିନ୍ନ ସ୍ଥାନକୁ ପଠାଇବା ବେଳେ ଖୋଲା ଇ-ରିକ୍ସାର ବ୍ୟବହାର ନକରି, ପୂରା ଲକ୍ ହୋଇ ରହୁଥିବା ରିଏଲ ଟାଇମ ଲକ୍ ଗାଡି ବ୍ୟବହାର କରିବା ଉଚିତ୍ । ଏହା ସହିତ ଏହାର ସିକ୍ୟୁରିଟି ବି ଧ୍ୟାନରେ ରଖିବା ଉଚିତ୍ । ଯେଉଁଥିରେ କିଛି ବି ଅନିୟମିତତା ହେଲେ ସଙ୍ଗେ ସଙ୍ଗେ ଏହାକୁ ଠାବ କରାଯାଇପାରିବ । ଏଥିପାଇଁ ଟିପ ଚିହ୍ନ ବ୍ୟବସ୍ଥା ଓ ସାଇବର ସୁରକ୍ଷା ପ୍ରତି ଦୃଷ୍ଟି ଦେବା ଆବଶ୍ୟକ ।

Comments are closed.