Latest Odisha News

ଓ୍ବାଇଫାଇ ପାସଓ୍ବାର୍ଡ ପାଇଁ ତୁମୁଳ କାଣ୍ଡ, ମନା କରିବାରୁ ସ୍ତ୍ରୀର ଜୀବନ ନେଲା ସ୍ବାମୀ

ରୋହତକ: ସାଧାରଣ ଓ୍ବାଇଫାଇ ପାସଓ୍ବାର୍ଡ ହେଲା କାଳ । ସ୍ତ୍ରୀ ପାସଓ୍ବାର୍ଡ ଦେବାକୁ ମନା କରିବାରୁ ରାଗି ଯାଇ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ଜୀବନ ନେଲା ସ୍ବାମୀ । ଏବେ ଏମିତି କିଛି ଘଟଣା ଘଟିଛି ହରିୟାଣା ରୋହତକରେ । ଯାହାପରେ ପୁରା ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଯାଇଛି । ତେବେ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛି ପୋଲିସ୍ ।

ତେବେ ମିଳିଥିବା ସୁଚନା ଅନୁଯାୟୀ, ୩୦ ଜୁଲାଇରେ କିଛି ଏଭଳି ଅଭାବନୀୟ ଘଟଣା ଘଟିଛି । ଅଭିଯୁକ୍ତ ସ୍ବାମୀ ଜଣଙ୍କ ହେଉଛନ୍ତି ରୋହତକ ଜିଲ୍ଲା ମଦିନା ଗାଁର ଅଜୟ କୁମାର । ତେବେ ଗତ ୩୦ ତାରିଖରେ ସେ ମୋବାଇଲ ଚଲାଉଥିବା ବେଳେ ତାଙ୍କ ନେଟ୍ ସରିଯାଇଥିଲା । ଯାହା ପରେ ସେ ତାଙ୍କ ସ୍ତ୍ରୀ ରେଖାଙ୍କୁ ମୋବାଇଲ ହଟସ୍ପଟ୍ ଅନ୍ କରିବା ପାଇଁ କହିଥିଲେ । ହେଲେ ସ୍ତ୍ରୀ ଏହି ସମୟରେ ଗାଈଙ୍କ ଗୋବର ଗୋଟାଇବାରେ ବ୍ୟସ୍ତ ଥିବା ବେଳେ କାମ ସାରିକି ଅନ୍ କରୁଛନ୍ତି ବୋଲି କହିଥିଲେ । ଯାହା ଶୁଣିବା ପରେ ଅଜୟ ରାଗିଯାଇ ହଠାତ୍ ଏକ ଧାରୁଆ ଅସ୍ତ୍ର ଆଣି ସ୍ତ୍ରୀ ରେଖାଙ୍କୁ ଆକ୍ରମଣ କରିଥିଲେ । ଫଳରେ ଘଟଣା ସ୍ଥଳରେ ହିଁ ସ୍ତ୍ରୀଙ୍କର ମୃତ୍ୟୁ ହୋଇଯାଇଥିଲା ।

ଅନ୍ୟପକ୍ଷରେ ଏଭଳି କାଣ୍ଡ ଭିଆଇବା ପରେ ଅଭିଯୁକ୍ତ ସ୍ବାମୀ ଜଣଙ୍କ ଫରାର ହୋଇ ଗାଁ ଭିତରେ କେଉଁଠି ଲୁଚି ରହିଥିଲେ । ଏହାପରେ ରେଖାଙ୍କର ପରିବାର ଲୋକେ ପୋଲିସରେ ସୂଚନା ଦେବା ପରେ, ପୋଲିସ ଏନେଇ ଖୋଳତାଳ ଆରମ୍ଭ କରିଥିଲା । ଏହାପରେ ଖୋଜାଖୋଜି ପରେ ମଦିନା ଗାଁ ଭିତରୁ ହିଁ ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଥିଲା ପୋଲିସ୍ ।

Comments are closed.