Latest Odisha News

BREAKING NEWS

ବିଜେଡି ସରକାରରେ ଅର୍ଜିଥିଲେ…

ଭୁବନେଶ୍ବର: ବିଜେଡି ସରକାର ବେଳେ ଥିଲେ ପାଓ୍ବାରଫୁଲ୍, ଏବେ ପଡିଛି ଭିଜିଲାନସ ଛାଟ। ମାଳମାଳ ଫ୍ଲାଟ୍, ଆକାଉଣ୍ଟରେ କୋଟି କୋଟି ଟଙ୍କା । କୁବେର ଅଧିକାରୀଙ୍କ ସଂପତ୍ତି ଦେଖି ଭିଜିଲାନ୍ସ ଜଳକା। ଜଣକ ପରେ ଜଣେ ଅଧିକାରୀଙ୍କ ଘରେ ରେଡ୍ କରିବା ସହ ଆୟବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ କରୁଛନ୍ତି ମୋହନ ସରକାର । ଜାଲରେ ପଡିଥିବା ଅଧିକାରୀଙ୍କ ମଧ୍ୟରୁ ଅଧିକାଂଶ ଯନ୍ତ୍ରୀ । ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟଯନ୍ତ୍ରୀ ସୁନିଲ ରାଉତ ହୁଅନ୍ତୁ କି ଭୁବନେଶ୍ବର ଅବକାରୀ ବିଭାଗର ଯୁଗ୍ମ କମିଶନର ରାମଚନ୍ଦ୍ର ମିଶ୍ର, ଭିଜିଲାନ୍ସ ଜାଲରେ ପଡୁଛନ୍ତି ଦୁର୍ନୀତିଗ୍ରସ୍ତ ଅଧିକାରୀ ।

ସୁନିଲଙ୍କ କଳା ସାମ୍ରାଜ୍ୟ !

ଭିଜିଲାନ୍ସ ଜାଲରେ ପଡିଛନ୍ତି ବଲାଙ୍ଗୀର ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ସୁନିଲ ରାଉତ । କୁବେର ଯନ୍ତ୍ରୀଙ୍କ ଅମାପ ସଂପତ୍ତି ରେଡ୍ ବେଳେ ସାମନାକୁ ଆସିଥିଲା । କୋଟି କୋଟି ଟଙ୍କା ମୂଲ୍ୟର ଜମି, ଫ୍ଲାଟ, କୋଠା, ଫାର୍ମ ହାଉସ୍ ସାଙ୍ଗକୁ କେଜିଏ ସୁନା ଓ ଦାମୀ ଆସବାବପତ୍ର ଜବତ କରାଯାଇଛି । କେବଳ ଓଡିଶା ନୁହେଁ ମଥୁରାରେ ବି ଫ୍ଲାଟ୍ କିଣିଥିଲେ ସୁନିଲ । ସୁନିଲ ବର୍ଷେରୁ ଅଧିକ ସମୟ ଧରି ଲୋୟର ସୁକତେଲ ପ୍ରକଳ୍ପର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଭାବେ କାମ କରିଆସୁଥିଲେ । ତାଙ୍କ ସମୟରେ ହିଁ ଗତ ଜାନୁଆରୀ ୩ତାରିଖରେ ଲୋୟର ସୁକତେଲ ପ୍ରକଳ୍ପ ଉଦଘାଟିତ ହୋଇଥିଲା । ପ୍ରକଳ୍ପ କାର୍ଯ୍ୟରେ ସୁନିଲ ଦୁର୍ନୀତି କରିଥିବା ସନ୍ଦେହ କରାଯାଉଛି । ସୁନିଲଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ କଳା ସାମ୍ରାଜ୍ୟର ଚେର ଖୋଜୁଛି ଭିଜିଲାନସ ।

ଅବକାରୀ ଅଧିକାରୀଙ୍କ ଅମାପ ସଂପତ୍ତି

କୋଟି କୋଟି ଟଙ୍କାର ସଂପତ୍ତି, ମାଳମାଳ ପ୍ଲଟ୍ ଓ ଫ୍ଲାଟ୍ । ଆୟବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ବନ୍ଧା ହେଲେ ଭୁବନେଶ୍ବର ଅବକାରୀ ବିଭାଗ ଜଏଣ୍ଟ କମିଶନର ରାମଚନ୍ଦ୍ର ମିଶ୍ର। ଭୁବନେଶ୍ବର, ସୋନପୁର, ବରଗଡ ସମେତ ରାଜ୍ୟର ୧୦ଟି ସ୍ଥାନରେ ଏକକାଳୀନ ରେଡ୍ ବେଳେ ୫୨ଟି ପ୍ଲଟ୍, ଫାର୍ମ ହାଉସ୍, ରାଇସ ମିଲ୍ ସହ ଯେଉଁ ସଂପତ୍ତିର ଠିକଣା ମିଳିଲା ତାକୁ ଦେଖି ଜଳକା ହୋଇଥିଲା ଭିଜିଲାନ୍ସ । ୨କୋଟିରୁ ଅଧିକ ସଂପତ୍ତି ମିଳିଛି । ଆଉ ୮ମାସ ପରେ ଚାକିରିରୁ ଅବସର ନେଇଥାନ୍ତେ ରାମଚନ୍ଦ୍ର । ତେବେ ଚାକିରି କାଳରେ ଅମାପ ସଂପତ୍ତି ଠୁଳ କରିଥିଲେ ରାମଚନ୍ଦ୍ର ।

କୁବେର ଯନ୍ତ୍ରୀଙ୍କ କଳା ଟଙ୍କା

ଆଖି ଖୋସିବା ପରି ସଂପତ୍ତି, ଓଡିଶାରୁ ପଶ୍ଚିମବଙ୍ଗ ଲମ୍ବିଛି କଳା ସାମ୍ରାଜ୍ୟର ଚେର । ବାଲେଶ୍ବର ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କ ଘରେ କଳାଟଙ୍କାର ପାହାଡ । ବାଲେଶ୍ବର ଘର ସହ ୭ଟି ଜାଗାରେ ରେଡ୍ କରି କଳା ସାମ୍ରାଜ୍ୟର ହିସାବ କରୁଛି ଭିଜିଲାନ୍ସ । ପାଞ୍ଚ ମହଲା କୋଠା, ଫାର୍ମ ହାଉସ ସାଙ୍ଗକୁ ଓଡିଶାରେ ୮୮ଟି ଓ ପଶ୍ଚିମବଙ୍ଗରେ ୧୮ଟି ପ୍ଲଟ୍ ଠାବ ହୋଇଛି । ବାଲେଶ୍ବର ଜଳସେଚନ ବିଭାଗର ଦୀର୍ଘ ଦିନ ଧରି କାମ କରୁଛନ୍ତି ପ୍ରଭାସ । ୨୦୦୭ରେ ଏସଡିଓ ଥିବା ପ୍ରଭାସ ପରେ ପଦୋନ୍ନତି ପାଇଥିଲେ ।

ବିଜେଡି ସରକାର ବେଳେ କରିଥିଲେ ଠୁଳ

ଜିରୋ ଟଲରାନ୍ସର କଥା କହୁଥିବା ପୂର୍ବତନ ବିଜେଡି ସରକାର ଅମଳରେ ହିଁ ଏମାନେ କଳା ସାମ୍ରାଜ୍ୟର ନିଅ ରଖିଥିଲେ । ବର୍ଷ ବର୍ଷ ଧରି ସରକାରୀ ଟଙ୍କା ହେରଫେର କରିଥିଲେ । ଧରାପଡିବା ପଛ କଥା ଗତ ସରକାର ବେଳେ ଏଭଳି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ମଧ୍ୟରୁ କାହାକୁ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ କାମ ମିଳିଥିଲା ତ ଅନ୍ୟ କାହାକୁ ପଦୋନ୍ନତି  ମିଳିଥିଲା। ଏମାନଙ୍କର ବିଜେଡି ନେତା ଓ କ୍ଷମତାକେନ୍ଦ୍ରରେ ଥିବା ବାବୁମାନଙ୍କ ସହ ସୁସଂପର୍କ ନେଇ ବି ଚର୍ଚ୍ଚା ହେଉଛି । ବିଜେଡି ସରକାର ବେଳେ ଜଣେ ପାଓ୍ବାରଫୁଲ୍ ଅଧିକାରୀଙ୍କର ଆଶୀର୍ବାଦ ସୁନିଲ ରାଉତଙ୍କ ଉପରେ ରହିଥିଲା । ସେହିପରି ତତ୍କାଳୀନ ନବୀନ ସରକାରଙ୍କ କ୍ଷମତା କୋଟାରୀର ଜଣେ କ୍ଷମତାଶାଳୀ ଆଇପିଏସ୍ ଅଧିକାରୀଙ୍କ ଘନିଷ୍ଠ ଥିଲେ ରାମଚନ୍ଦ୍ର ମିଶ୍ର । କୁବେର ଯନ୍ତ୍ରୀ ପ୍ରଭାସ ଚନ୍ଦ୍ର ପ୍ରଧାନଙ୍କର ପଶ୍ଚିମ ଓଡିଶାର ପୂର୍ବତନ ମନ୍ତ୍ରୀଙ୍କ ସହ ସୁସଂପର୍କ ରହିଥିବା ଚର୍ଚ୍ଚା ହେଉଛି । କେଉଁଠି ନା କେଉଁଠି ବିଜେଡି ଲିଙ୍କରେ ଏସମସ୍ତ ଅଧିକାରୀ ରହିଥିବା କୁହାଯାଉଛି ।

ଭାତହାଣ୍ଡିରୁ ଗୋଟିଏ ଭାତ ଭଳି ଏମାନେ କିଛି ହାତଗଣତି ନାଁ। ସଂପତ୍ତି ଦେଖି ଲାଗୁଛି, ତାଲିକା ଆଗକୁ ଆହୁରି ଲମ୍ବିବ। ତେବେ ଦୁର୍ନୀତିକୁ ଜିରୋ ଟଲରାନ୍ସ ନୀତି ରଖିଥିବା ନବୀନ ସରକାର କେମିତି ଏସବୁ ଦୁର୍ନୀତିର ଟେର୍ ପାଇପାରିଲେନି ? ନା ପୂର୍ବ ସରକାରର କିଛି କ୍ଷମତାଶାଳୀ ଅଧିକାରୀ ବି ଏହି ମନି ଟ୍ରେଲରେ ସାମିଲ ରହିଛନ୍ତି ? ଅମାପ ସଂପତ୍ତି ରଖିଥିବା ଏହି ବାବୁ ମାନେ କେମିତି ସ୍କାନରରୁ ଖସିଗଲେ ? ଦୁର୍ନୀତି ବିରୋଧରେ ରଣହୁଙ୍କାର ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାର ଧୀରେ ଧୀରେ ଜନତାଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରୁଛି । ଭିଜିଲାନ୍ସ ଜାଲରେ ପଡୁଛି ବିଜେଡି ସରକାର ବେଳେ ଅର୍ଜିତ କଳା ଟଙ୍କା । ତେବେ କଳା ସାମ୍ରାଜ୍ୟର ଚେର କେତେବାଟ ଲମ୍ବିଛି, ସେନେଇ ପୁଙ୍ଖାନୁପୁଙ୍ଖ ତଦନ୍ତ ଜରୁରୀ ।

Comments are closed.